ଜଳ ପ୍ରକଳ୍ପ ସ୍ଥାୟୀ କାର୍ଯ୍ୟକାରୀ ପାଇଁ ସରପଞ୍ଚଙ୍କୁ ଗୁହାରି
ଯାଜପୁର : ଦଶରଥପୁର ବ୍ଲକ ବିରିପଟା ପଞ୍ଚାୟତ ବରେଇ ଗ୍ରାମରେ ସ୍ଥାପିତ ଜଳ ପ୍ରକଳ୍ପଟି ଯନ୍ତ୍ରୀକ ତୃଟି ଯୋଗୁ ବିଭିନ୍ନ ସମୟରେ ବନ୍ଦ ରହୁଥିବା ହେତୁ ଗ୍ରାମର ଜନସାଧାରଣ ଶୁଦ୍ଧ ପାନୀୟ ଜଳ ପାଇଁ ଅସୁବିଧାର ସମ୍ମୁଖିôନ ହେଉଛନ୍ତି । ଗ୍ରାମରେ ଥିବା ନଳକୂପ ମାନଙ୍କରୁ ଦୂଷିତ ଜଳ ବାହାରୁଥିବାରୁ ଗ୍ରାମବାସୀ ନଳକୂପ ଜଳ ବ୍ୟବହାର କରିବାକୁ ଉଚିତ୍ ମଣୁନାହାନ୍ତି । ସେହିପରି ଗ୍ରାମରେ ଥିବା ବିଦ୍ୟାଳୟ ଓ ଅଙ୍ଗନୱାଡୀ କେନ୍ଦ୍ରର ଛୋଟ ଛୋଟ ପିଲା ବିଶୁଦ୍ଧ ପାନୀୟ ଜଳ ପଇବାରେ ହନ୍ତସନ୍ତ ହେଉଛନ୍ତି । ଜଳ ପ୍ରକଳ୍ପ ବନ୍ଦ ରହୁଥିବା ବେଳେ ରୁ ବାଧ୍ୟ ହୋଇ ଲୋକେ ଦୁଷିତ ଜଳ ବ୍ୟବହାର କରୁଥିବା ହେତୁ ଗ୍ରାମରେ ବିଭିନ୍ନ ଜଳ ବାହିତ ରୋଗ ବ୍ୟାପୁଛି । ଏ ସମ୍ପର୍କରେ ଗ୍ରାମବାସୀ ବିଭିନ୍ନ ସମୟରେ ବିଭାଗୀୟ ଯନ୍ତ୍ରୀ ଓ ଉଚ୍ଚ ପଦସ୍ତ କର୍ତ୍ତୁପକ୍ଷଙ୍କୁ ଅବଗତ କରିଥିଲେ ମଧ୍ୟ ଏହାର ସ୍ଥାୟୀ ପ୍ରତିକାର ହୋଇପାରୁ ନଥିବା ବେଳେ ଗୁରୁବାର ଗ୍ରାମବାସୀ ସ୍ଥାନୀୟ ସରପଞ୍ଚ ଗାୟତ୍ରୀ ନାୟକଙ୍କୁ ଏକ ଲିଖିତ ଦାବିପତ୍ର ପ୍ରଦାନ କରି ଏ ସମ୍ପର୍କରେ ପଦକ୍ଷେପ ଗ୍ରହଣ କରିବା ସହିତ ସ୍ୱଜଳଧାରା ପ୍ରକଳ୍ପର ସ୍ଥାୟୀ ପ୍ରତିକାର କରିବାକୁ ଦାବି ଜଣାଇଛନ୍ତି ।
