ମୟୂରଭଞ୍ଜ ପୁସ୍ତକ ମେଳାରେ ସାରସ୍ୱତ ମଞ୍ଚ ଆଜିର ଡିଜିଟାଲ ଯୁଗରେ ମଧ୍ୟ ବହି ଅପରିହାର୍ଯ୍ୟ
ବାରିପଦା : ୯ମ ମୟୁରଭଞ୍ଜ ପୁସ୍ତକମେଳାର ସପ୍ତମ ଦିବସରେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ନିରୋଜ କୁମାର ପଣ୍ଡାଙ୍କ ପୌରହିତ୍ଯରେ ଆୟୋଜିତ ସାରସ୍ୱତ ଆସରରେ ବାରିପଦା ନଗରପାଳ କୃଷ୍ଣାନନ୍ଦ ମହାନ୍ତି ମୁଖ୍ଯ ଅତିଥି ଭାବେ ଯୋଗଦେଇ ଆଜିର ଡିଜିଟାଲ ଯୁଗରେ ମଧ୍ୟ ବହି ଅପରିହାର୍ଯ୍ୟ ଓ ପୁସ୍ତକ ପଠନ ବ୍ୟକ୍ତିର ଜ୍ଞାନବୃଦ୍ଧି ସହ ମାନସିକଶାନ୍ତି ପ୍ରଦାନରେ ସହାୟକ ହୋଇଥାଏ ବୋଲି କହିଥିଲେ । ମୁଖ୍ଯବକ୍ତା ଭାବରେ ସାମ୍ବାଦିକ କଲ୍ୟାଣୀ କୁମାର ସିହ୍ନା ଯୋଗଦେଇ ବହିମେଳା ଆୟୋଜନ ଆମ ଉତର ପୀଢିର ଜ୍ଞାନବୃଦ୍ଧି ତଥା ପାଠକିୟତା ସୃଷ୍ଟିରେ ସହାୟକ ହୋଇପାରିବ ବୋଲି କହିଥିଲେ । ସମ୍ମାନୀୟ ବକ୍ତା ଭାବରେ ବାଳାଙ୍ଗୀ ମହୋତ୍ସବ ଏବଂ ଓଡିଆ ଜାଗରଣ ମଞ୍ଚର ପ୍ରତିଷ୍ଠାତା ସମ୍ପାଦକ ଶରତ ଚନ୍ଦ୍ର ନାୟକ ଯୋଗଦେଇ ପ୍ରାକ ସ୍ୱାଧୀନତା କାଳରେ ଓଡିଆ ଭାଷା ସାହିତ୍ୟର ଶ୍ରୀବୃଦ୍ଧି ପାଇଁ ମୟୂରଭଂଜ ରାଜା ମହାରାଜା ମାନଙ୍କର ଅବଦାନକୁ ମନେପକାଇବା ସହ କବି ଏବଂ ଲେଖକ ମାନଙ୍କୁ କିଭଳି ଆର୍ôଥକ ପ୍ରୋତ୍ସାହନ ଯୋଗାଇ ଦେଉଥିଲେ ସେ ବିଷୟରେ ଆଲୋକପାତ କରିଥିଲେ । ସମ୍ମାନୀୟ ଅତିଥି ଭାବରେ ଦିଗନ୍ତ ବିକାଶ ସାଇନ୍ସ ଏଣ୍ଡ ଟେକନୋଲୋଜିର ନିର୍ଦେଶକ ସତ୍ୟ ନାରାୟଣ ନାୟକ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଶ୍ରେଣୀଗୃହରେ ପ୍ରତ୍ଯକ୍ଷ ଶିକ୍ଷାଗ୍ରହଣ ଏବଂ ଅନଲାଇନ ପାଠପଢା ବିଷୟରେ ଆଲୋଚନା କରିଥିଲେ । ପୁସ୍ତକମେଳାର ଯୁଗ୍ମ ସମ୍ପାଦକ ବିଶେଶ୍ୱର ଦ୍ୱିବେଦୀ ଅତିଥିଙ୍କୁ ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ ସଦସ୍ୟ ବନମାଳୀ ପାତ୍ର ଧନ୍ଯବାଦ ଅର୍ପଣ କରିଥିଲେ । ଏହି ଅବସରରେ ଆୟୋଜିତ ଦେଶାତ୍ମବୋଧକ ଓ ଭଜନ ପ୍ରତିଯୋଗିତାରେ ୧୯ଜଣ ପ୍ରତିଯୋଗୀ ଭାଗନେଇ ଥିବାବେଳେ ସତ୍ଯବ୍ରତ ଜେନା ପ୍ରଥମ, ଯୁଗ୍ମଭାବେ ମୋନାଲିସା ସେଠି ଓ ପ୍ରୀତି ବେହେରା ଦ୍ୱିତୀୟ ଏବଂ ସୂର୍ଯ୍ଯାସ୍ମିତା ଶୁଭଦର୍ଶିନୀ ତୃତୀୟସ୍ଥାନ ଅଧିକାର କରିଥିଲେ ।
