ରଥଖଳାରେ ରଥକାଠ ଅନୁକୂଳ
ପୁରୀ : ପରମ୍ପରା ଅନୁସାରେ ଶନିବାର ଶ୍ରୀପଂଚମୀରେ ରଥଖଳା ଠାରେ ରଥକାଠ ଅନୁକୂଳ ବିଧି ମୁତାବକ ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜଙ୍ଗଲୁ ତିନୋଟି ଟ୍ରକରେ ୬୩ ଖଣ୍ଡ ରଥକାଠ ଆସିଥିଲା ।
ସେଥିରୁ ତିନିଖଣ୍ଡ ୧୨ ଫୁଟିଆ ଧଉରା କାଠକୁ ପୂଜାର୍ଚ୍ଚନା କରାଯାଇଛି । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଥିବା ମା ସରସ୍ୱତୀଙ୍କୁ ପୂଜାର୍ଚ୍ଚନା ପରେ ରଥକାଠ ଅନୁକୂଳ ହୋଇଥିଲା । ଏହି ତିନୋଟି କାଠ ରଥ ନିର୍ମାଣ ସମୟରେ ଗୁଜ କାଠ ଭାବେ ବ୍ୟବହୃତ ହେବ । ରଥଖଳାକୁ ଚୂନ ପାଣି ପଡ଼ି ପବିତ୍ର କରାଯିବା ପରେ କାଠ ତିନୋଟିକୁ ମାର୍ଜନା କରାଯାଇ ଥିଲା । ଶ୍ରୀ ନଅର ରାଜଗୁରୁ ଓ ପୁରୋହିତମାନେ ମନ୍ତ୍ର ଉଚ୍ଚାରଣ ସହ ତିନି ରଥର ତିନିଖଣ୍ଡ କାଠକୁ ପୂଜାର୍ଚ୍ଚନା କରିଥିଲେ । ଆସନ୍ତା ଅକ୍ଷୟ ତୃତୀୟାରେ ତିନିରଥ ନିର୍ମାଣ ଅନୁକୂଳ କରାଯିବ । ପୂଜାର୍ଚ୍ଚନା ସମୟରେ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ, ଜିଲ୍ଲା ପ୍ରଶାସନର ଅଧିକାରୀ, ସେବାୟତ ଓ ବିଶ୍ୱକର୍ମା ମହାରଣା, ଭୋଇ ସେବାୟତ ଓ ଅନ୍ୟମାନେ ଉପସ୍ଥିତ ଥିଲେ ।
