ପୁଲୱାମା ସହିଦଙ୍କୁ ସଲାମ ! ତ୍ରୟୋଦଶ ଦିନରେ ପ୍ରତିଶୋଧ ନେଇଥିଲା ଭାରତ
ଆଜି ପ୍ରେମ ପାଇଁ ଦିନଟିଏ ବା ଭାଲେଣ୍ଟାଇନ୍ସ ଡେ । ହେଲେ ଆଜିର ଦିନରେ ଆମେ ଆମ ଜୀବନର ପ୍ରକୃତ ହିରୋ ବା ଯବାନଙ୍କୁ ହରାଇଛୁ। ପୁଲୱାମା ଆକ୍ରମଣକୁ ୪ ବର୍ଷ ପୂର୍ତ୍ତି । ସାରା ଦେଶ ଆଜି ଭାରତୀୟ ଯବାନମାନଙ୍କ ସେହି ବୀରତ୍ୱର ଗାଥା ଓ ବଳିଦାନକୁ ସ୍ମରଣ କରିବା ସହିତ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି।
୧୪ ଫେବୃଆରୀ ୨୦୧୯ । ପୂର୍ବବର୍ଷ ଭଳି ସେଦିନ ମଧ୍ୟ ଭାଲେଣ୍ଟାଇନ ଡେ ପାଳନ କରୁଥିଲେ ଦେଶର ଯୁବବର୍ଗ। ହେଲେ ହଠାତ ଦ୍ୱିପ୍ରହର ୩ଟା ୩୦ ଏପରି ଏକ ଖବର ଆସି ପହଞ୍ଚିଲା ଯାହା ସମଗ୍ର ଦେଶରେ ଶୋକର ଛାୟା ଖେଳାଇଦେଇଥିଲା। ଅଚାନକ ଯେମିତି ସବୁ କିଛି ବଦଳି ଗଲା । ସ୍ତବ୍ଧ ହୋଇଗଲା ସମଗ୍ର ଦେଶ। ଯେତେବେଳେ ଖବର ମିଳିଲା ଜମ୍ମୁ କାଶ୍ମୀର ପୁଲୱାମାରେ ଏକ ବଡ ଧରଣର ଆତଙ୍କୀ ଆକ୍ରମଣ ହୋଇଛି । ଆଉ ଏହି ଆକ୍ରମଣରେ ୪୦ ସେଣ୍ଟ୍ରାଲ ରିଜର୍ଭ ପୁଲିସ୍ ଫୋର୍ସ କର୍ମଚାରୀଙ୍କର ମୃତ୍ୟୁ ହୋଇଛି।
୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ଦେଶକୁ ଦୋହଲାଇ ଦେଇଥିବା ଏହି ଆକ୍ରମଣକୁ ୪ ବର୍ଷ ପୁରିଛି । ଆକ୍ରମଣ ସେ ଦୃଶ୍ୟ ଆଖି ସାମନାକୁ ଆସିବା କ୍ଷଣି ଆଜି ବି ଶିହରି ଉଠେ ଦେହ। ଶହୀଦଙ୍କ ପାଇଁ ଆଜି ବି ଲୁହ ଗଡାଉଛନ୍ତି ଦେଶବାସୀ । ଆକ୍ରମଣରେ ଦେଶ ପାଇଁ ଜୀବନ ଦେଇଥିବା ସହିଦଙ୍କୁ ଆଜି ବି ଝୁରୁଛି ମାଟି, ଆଉ ଦେଶ ପାଇଁ ହସି ହସି ପ୍ରାଣବଳୀ ଦେଇଥିବା ସହିଦଙ୍କୁ ମନେ ପକାଇ ଗୁମୁରି କାନ୍ଦୁଛନ୍ତି ପରିବାର ଆଉ ମାତୃଭୂମି ।
ଜମ୍ମୁ-ଶ୍ରୀନଗର ରାଷ୍ଟ୍ରୀୟ ରାଜମାର୍ଗ ଦେଇ ୨୫୦୦ ଯବାନଙ୍କୁ ନେଇ ୭୮ ଟି ବସ୍ ଯାଉଥିଲା । ଆଉ ସବୁଦିନ ପରି ଯବାନମାନେ ନିଜ ଗନ୍ତବ୍ୟ ସ୍ଥଳକୁ ଆଗେଇ ଚାଲିଥିଲେ। ସିଆରପିଏଫ୍ ଯବାନଙ୍କ ଗାଡି ପୁଲୱାମା ପହଁଚିବା ପୂର୍ବରୁ ହିଁ ରାସ୍ତାର ଆରପଟରୁ ଆସୁଥିବା ଗୋଟିଏ କାର୍ ଗାଡିକୁ ଧକ୍କା ଦେଇଥିଲା । କେହି କିଛି ବୁଝିବା ପୂର୍ବରୁ ଏତେ ଜୋର୍ ରେ ବିସ୍ଫୋରକ ହୋଇଥିଲା ଯେ ଏଥିରେ ସାରା ଦେଶର ଛାତି ଥରି ଉଠିଲା ।ବିସ୍ଫୋରଣ ଏତେ ଜୋରରେ ହୋଇଥିଲା ଯେ, ଏହାର ଆଖପାଖ ୧୦ରୁ ୧୨ କିଲୋମିଟର ଯାଏଁ ସାରା ଅଂଚଳ ଏକ ପ୍ରକାର ଥରି ଯାଇଥିଲା। ରାସ୍ତାରେ ପଡିଥିଲା ଯବାନଙ୍କ ଖଣ୍ଡ ବିଖଣ୍ଡିତ ରକ୍ତାକ୍ତ ଶରୀର। କେହି କିଛି ବୁଝିବା ଆଗରୁ ସବୁକିଛି ଶୂନ୍ୟ ହୋଇଯାଇଥିଲା।
ଆତଙ୍କବାଦୀ ଆଦିଲ୍ ଅହମ୍ମଦର ଆତ୍ମଘାତୀ ବିସ୍ଫୋରଣରେ ଘଟଣାସ୍ଥଳରେ ହିଁ ଟଳିପଡିଲେ ସିଆରପିଏଫର ଅନେକ ଯବାନ । କେବଳ ଏତିକି ନୁହେଁ, କୋହଲା ପାଗର ସୁଯୋଗ ନେଇ ଯବାନଙ୍କ ଉପରେ ଆତଙ୍କବାଦୀ ପୁଣି କରିଥିଲେ ଅନ୍ଧାଧୁନ୍ ଗୁଳିମାଡ଼ ।
ପୁଲୱାମା ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଂସଦରେ ପାକିସ୍ତାନକୁ ଚେତାବନୀ ଦେଇଥିଲେ ଯେ, କାଶ୍ମୀରରେ ରକ୍ତ ଓ ଜଳ ଏକାସାଙ୍ଗରେ ପ୍ରବାହିତ ହୋଇପାରିବ ନାହିଁ। ପୁଲୱାମାର ଶହୀଦଙ୍କ ତ୍ରୟୋଦଶ ଦିନରେ ପ୍ରତିଶୋଧ ନେଇଥିଲା ଭାରତ । ୨୬ ଫେବୃଆରୀ ୨୦୧୯ରେ, ପାକିସ୍ତାନର ବାଲାକୋଟରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକରେ ଜୈଶ-ଏ-ମହମ୍ମଦ ସଂଗଠନର ଆତଙ୍କବାଦୀ ଲୁଚି ରହିଥିବା ସ୍ଥାନକୁ ଧ୍ୱସ୍ତବିଧ୍ୱସ୍ତ କରିଦେଇଥିଲା ଭାରତ । କିନ୍ତୁ ଆଜିର ଦିନଟି ସବୁଦିନ ପାଇଁ ଭାରତୀୟଙ୍କ ମନରେ ଏକ ଅଭୁଲା ସ୍ମୃତି ହୋଇ ରହିବ। ଆଉ ସମସ୍ତଙ୍କ ମନରେ ପ୍ରତିଶୋଧର ନିଆଁ ଜଳୁଥିବ। କାରଣ ଆଜିର ଦିନରେ ନିଜର ବୀର ପୁତ୍ରଙ୍କୁ ହରାଇଥିଲା ଥିଲା ଦେଶ। ସେଥିପାଇଁ ଆଜିର ଦିନକୁ କଳା ଦିବସ ଭାବେ ଘୋଷଣା କରାଯାଇଥିଲା। ତେବେ ପ୍ରତିଟି ଭାରତୀୟଙ୍କୁ ଏହି ଖବର ମାଧ୍ୟମରେ ନିବେଦନ ଯେ, ଅନ୍ତତଃ ଆଜିର ଦିନରେ ବୀର ଯବାନଙ୍କ ନାଁରେ ଗୋଟିଏ ଗୋଲାପ ଫୁଲ ଶ୍ରଦ୍ଧାଞ୍ଜଳୀ ଭାବେ ଅର୍ପଣ କରନ୍ତୁ ।
