ବିମାନ ବନ୍ଦରରେ ସଲମାନ୍ ଖାନ୍ଙ୍କୁ ଅଟକାଇବା ଘଟଣା : ଏଏସଆଇଙ୍କୁ ପୁରସ୍କୃତ କଲା ସିଆଇଏସଏଫ୍
ମୁମ୍ବାଇ : ବଲିଉଡ୍ ଅଭିନେତା ସଲମାନ୍ ଖାନ୍ଙ୍କୁ ମୁମ୍ବାଇ ବିମାନବନ୍ଦରରେ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ (ସିଆଇଏସ୍ଏଫ୍) ର ଏଏସଆଇ ସୋମନାଥ ମହାନ୍ତି ସିକ୍ୟୁରିଟି ଚେକ ପାଇଁ ଏଣ୍ଟ୍ରି ଗେଟରେ ଅଟକାଇ ଦେଇଥିଲେ। ଏହାପରେ ଏହି ମାମଲାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା ଓ ଏଏସଆଇ ଶ୍ରୀ ମହାନ୍ତି ସୋସିଆଲ ମିଡ଼ିଆରେ ହିରୋ ପାଲଟି ଯାଇଥିଲେ। ତାପରେ ପୁଣି ଖବର ଆସିଥିଲା ଯେ ସଲମାନଙ୍କୁ ଏଣ୍ଟ୍ରି ଗେଟରେ ଅଟକାଇଥିବାରୁ ସୋମନାଥଙ୍କ ଅଡୁଆ ବଢିଯାଇଛି ଏବଂ ତାଙ୍କ ବିରୋଧରେ ସିଆଇଏସଏଫ ପ୍ରୋଟୋକଲ ଉଲ୍ଲଙ୍ଘନ ଅଭିଯୋଗ ହୋଇଛି। କିନ୍ତୁ ସିଆଇଏସଏଫ ଏହାକୁ ଖଣ୍ଡନ କରିଛି। ଏନେଇ ସିଆଇଏସ୍ଏଫ୍ ପକ୍ଷରୁ ଏକ ଟ୍ୱିଟ୍ କରାଯାଇ ଏ ନେଇ ସ୍ପଷ୍ଟ କରାଯାଇଛି । ସିଆଇଏସ୍ଏଫ୍ ଯବାନଙ୍କୁ ଦଣ୍ଡିତ କରାଯାଇନି ବରଂ ସମ୍ମାନୀତ କରାଯାଇଛି । ନିଜ ଦାୟିତ୍ୱକୁ ସଠିକ୍ ଭାବେ ତୁଲାଇଥିବାରୁ ସିଆଇଏସ୍ଏଫ୍ ଯବାନ ସୋମନାଥ ମହାନ୍ତିଙ୍କୁ ପୁରସ୍କୃତ କରାଯାଇଥିବା ସିଆଇଏସ୍ଏଫ୍ ପକ୍ଷରୁ କୁହାଯାଇଛି । ଏବଂ ଦଣ୍ଡିତ ଖବରକୁ ଭୁଲ ବୋଲି କୁହାଯାଇଛି ।
The contents of this tweet are incorrect & without factual basis. In fact, the officer concerned has been suitably rewarded for exemplary professionalism in the discharge of his duty. @PIBHomeAffairs
— CISF (@CISFHQrs) August 24, 2021
ଏହି ମାମଲାରେ ପ୍ରଚାର ହେଉଥିବା ଭୁଲ ଖବରକୁ ନେଇ ସିଆଇଏସଏଫ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟରେ ଲେଖିଛି, ‘ଏହି ଟ୍ୱିଟରେ ଦର୍ଶାଇଯାଇଥିଲା କଣ୍ଟେଣ୍ଟ ଭୁଲ ଓ ଏଥିରେ କୌଣସି ସତ୍ୟତା ନାହିଁ। ଅସଲରେ ମାମଲା ସହ ଜଡିତ ଅଧିକାରୀଙ୍କୁ ବୃତ୍ତିଗତତା (ପ୍ରଫେସନାଲିଜିମ) ଦେଖାଇଥିବାରୁ ପୁରସ୍କୃତ କରାଯାଇଛି।’ ସଲମାନଙ୍କୁ ସିକ୍ୟୁରିଟି ଚେକ ପାଇଁ ଅଟକାଇଥିବା ସିଆଇଏସଏଫ ଅଫିସର ସୋମନାଥ ମହାନ୍ତିଙ୍କ ଭିଡିଓ ସୋସିଆଲ ମିଡ଼ିଆରେ ଜୋରସୋରରେ ଭାଇରାଲ ହୋଇଥିଲା। ଏହାକୁ ଦେଖି ୟୁଜର୍ସ ସଚ୍ଚୋଟତାର ସହ ନିଜ ଦାୟିତ୍ୱ ବହନ କରିଥିବା ସୋମନାଥ ମହାନ୍ତିଙ୍କୁ ଅନେକ ପ୍ରଶଂସା କରିଥିଲେ।
