ନୁପୂର ଶର୍ମାଙ୍କୁ ଖୋଲାଖୋଲି ହତ୍ୟା ଧମକ ! ‘ଯିଏ ନୁପୂର ଶର୍ମାଙ୍କ ମୁଣ୍ଡ କାଟି ଆଣିବ, ମୋ ଘର ଦେଇଦେବି’
ନୂଆଦିଲ୍ଲୀ : ପ୍ରଫେଟ ମହମ୍ମଦଙ୍କ ଉପରେ ବିବାଦୀୟ ମନ୍ତବ୍ୟ ଦେଇଥିବା ନିଲମ୍ବିତ ବିଜେପି ନେତ୍ରୀ ନୁପୂର ଶର୍ମାଙ୍କୁ ନେଇ ସାରା ଦେଶରେ ଚର୍ଚ୍ଚା । ପ୍ରାୟ ଦିନ ତାଙ୍କ ସମ୍ୱନ୍ଧୀୟ ବିଷୟ ଘଟଣା ସବୁ ସାମ୍ନାକୁ ଆସୁଛି । ନୁପୂର ଶର୍ମାଙ୍କ ସମସ୍ୟା କମ୍ ହେବାର ନାମ ନେଉନାହିଁ । ନିକଟ ଅତୀତରେ ହୋଇଥିବା ଶୁଣାଣି ସମୟରେ ସୁପ୍ରିମକୋର୍ଟ ନୁପୁର ଶର୍ମାଙ୍କ ବିରୋଧରେ କଡ଼ା ଟିପ୍ପଣୀ କରିଥିଲେ । ବର୍ତ୍ତମାନ ସୋସିଆଲ ମିଡିଆରେ ରାଜସ୍ଥାନର ଅଜମେରରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ନୁପୂର ଶର୍ମାଙ୍କୁ ଖୋଲାଖୋଲି ହତ୍ୟା ଧମକ ଦିଆଯାଉଛି ।
ଏହି ଧମକକୁ ବିଶ୍ୱ ପ୍ରସିଦ୍ଧ ସୁଫି ସନ୍ଥ ଖ୍ୱାଜା ଗରିବ ନୱାଜଙ୍କ ଦରଗାହର ଖାଦିମ ଦେଇଛନ୍ତି । ଭାଇରାଲ୍ ଭିଡିଓରେ ଖାଦିମ ସଲମାନ ଚିଶ୍ତି କହୁଛନ୍ତି ଯେ ନୁପୂର ଶର୍ମାଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ସ୍ୱରୂପ ସେ ଟଙ୍କା ଓ ଘର ଦେବେ । ଏହି ଭାଇରାଲ ଭିଡିଓରେ ନୁପୂର ଶର୍ମାଙ୍କ ବେକ କାଟିଥିବା ବ୍ୟକ୍ତିଙ୍କୁ ଉପହାର ସ୍ୱରୂପ ତାଙ୍କ ଘର ଦେବାକୁ ପ୍ରତିଶୃତି ଦେଇଛନ୍ତି । ଏଠାରେ କହି ରଖୁଛୁ ଯେ, ଭିଡିଓଟି ପ୍ରାୟ ୨ ମିନିଟ୍ ୫୦ ସେକେଣ୍ଡର ହେବ । ଏଥିରେ ସଲମାନ ଚିଶ୍ତି ନିଜର ଧାର୍ମିକ ଭାବନାକୁ ଦର୍ଶାଇ ନୁପୂର ଶର୍ମାଙ୍କୁ ଧମକ ଦେଉଛନ୍ତି । ଅନ୍ୟପକ୍ଷରେ ଭିଡିଓ ଭାଇରାଲ ହେବା ପରେ ଅଜମେର ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ପୋଲିସ ଏହି ଭିଡିଓର ତଦନ୍ତ ଆରମ୍ଭ କରିଛି ।
ଏହି ଭିଡିଓ ଏପରି ଏକ ସମୟରେ ଆସିଛି ଯେତେବେଳେ ନିକଟ ଅତୀତରେ ନୁପୂର ଶର୍ମାଙ୍କ ପ୍ରଫେଟ୍ ମହମ୍ମଦଙ୍କ ବିଷୟରେ ବିବାଦୀୟ ବୟାନ ପରେ ତାଙ୍କ ସମର୍ଥନ କରିବାକୁ ନେଇ ରାଜସ୍ଥାନର ଉଦୟପୁରର ଟେଲର କହ୍ନେୟା ଲାଲଙ୍କ ହତ୍ୟା କରାଯାଇଥିଲା । ଏହି ହତ୍ୟାକାଣ୍ଡର ଷଡଯନ୍ତ୍ରକୁ ଗୌସ୍ ମହମ୍ମଦ ଓ ରିୟାଜ ମହମ୍ମଦ ଜୁନ ୧୭ରେ କରିଥିଲେ । ଏଭଳି ପରିସ୍ଥିତିରେ ନୁପୂର ଶର୍ମାଙ୍କ ହତ୍ୟାକୁ ନେଇ ଭିଡିଓ ଜାରି କରାଯାଇଥିବା ଭିଡିଓରୁ ସାରା ଅଜମେରରେ ଆଲୋଡ଼ନ ସୃଷ୍ଟି ହୋଇଛି ।
