ଯୁଦ୍ଧର ୧୬ତମ ଦିନରେ କିବରେ ପ୍ରବେଶ କଲେ ରୁଷ ସେନା
କିବ୍ : ୟୁକ୍ରେନ ଉପରେ ରୁଷର ଆକ୍ରମଣ ୧୬ତମ ଦିନରେ ପ୍ରବେଶ କରିଥିବେ ବି ରୁଷର ଧ୍ୱଂସଲୀଳା କମିବା ବଦଳରେ ବଢିଚାଲିଛି । ଗତ କିଛିଦିନ ହେଲେ ୟୁକ୍ରେନ ରାଜଧାନୀ କିବକୁ ଘେରିରହିଥିବା ରୁଷ ସେନା ଶୁକ୍ରବାର ସହର ଭିତରକୁ ପ୍ରବେଶ ଆରମ୍ଭ କରିଛନ୍ତି । କେବଳ ଏତିକି ନୁହେଁ, ପୂର୍ବରୁ ରୁଷର ଆକ୍ରମଣ କେବଳ ପୂର୍ବ ୟୁକ୍ରେନରେ ସୀମିତ ରହୁଥିବାବେଳେ ଏବେ ପଶ୍ଚିମ ପାର୍ଶ୍ୱରେ ବି ଆକ୍ରମଣ ଆରମ୍ଭ ହୋଇଯାଇଛି ।
ପଶ୍ଚିମ ୟୁକ୍ରେନରେ ଥିବା ପ୍ରମୁଖ ସହର ଡିନିପ୍ରୋ, ଲୁସକ ଓ ଇଭାନୋ ଫ୍ରାଙ୍କିସ୍କ ଉପରେ ରୁଷ ପକ୍ଷରୁ ଆକ୍ରମଣ କରାଯାଇଛି । ଏସବୁ ସହରରେ ଥିବା ବିମାନ ଘାଟି ଉପରେ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି । ଆଉଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମେ, ରୁଷ ରାଷ୍ଟ୍ରପତି ବିଦେଶୀ ସ୍ୱେଚ୍ଛାସେବୀମାନଙ୍କୁ ରୁଷ ସେନା ସହ ମିଶି ଯୁଦ୍ଧ କରିବାକୁ ଅନୁମତି ଦେଇଛନ୍ତି । ଏହା ଫଳରେ ସିରିଆରୁ ଆସିଥିବା ଆତଙ୍କବାଦୀମାନେ ଯୁଦ୍ଧରେ ଭାଗ ନେଇପାରିବେ । ଅନ୍ୟପକ୍ଷରେ ୟୁକ୍ରେନ ପକ୍ଷରୁ କୁହାଯାଇଛି ଯେ ରୁଷ ସେନା ଗତ ୨୪ ଘଂଟାରେ ବିଶେଷ ଅଗ୍ରଗତି କରିପାରି ନାହିଁ । ରୁଷ ସେନାକୁ ୟୁକ୍ରେନର ସେନା, ରକେଟ ଓ ଡ୍ରୋନଗୁଡ଼ିକ ପ୍ରବଳ ପ୍ରତିରୋଧ କରୁଛନ୍ତି । ଏହା ଦ୍ୱାରା ଆକ୍ରମଣକାରୀ ସେନାର ପ୍ରବଳ କ୍ଷତି ହୋଇଛି ।
ଅନ୍ୟପକ୍ଷରେ ଭାରତୀୟ ଦୂତାବାସ ସେଠାରେ ପଢ଼ୁଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରିଛି । ଏଥିରେ କୁହାଯାଇଛି ଯେ ସମସ୍ତ ଛାତ୍ରଛାତ୍ରୀ ବର୍ତମାନ ଋଷ ଛାଡି ଭାରତ ଯିବାର କୌଣସି କାରଣ ନାହିଁ । ସୂଚନା ମୁତାବକ ଋଷର ବିଭିନ୍ନ ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ଭାରତୀୟ ଛାତ୍ରମାନେ ଦୂତାବାସକୁ ପ୍ରଶ୍ନ କରିଥିଲେ ଯେ ବର୍ତମାନ ଯୁଦ୍ଧ ପରିସ୍ଥିତି ଲାଗି ରହିଥିବାରୁ ଋଷରେ ରହିବେ ନା ଭାରତ ପଳାଇବେ । ଏହାର ଉତରରେ ଭାରତୀୟ ଦୂତାବାସ କହିଛି ଯେ ଋଷ ଛାଡି ଭାରତ ଫେରିଯିବା ପାଇଁ କୌଣସି ସୁରକ୍ଷା କାରଣ ଦେଖୁନାହୁଁ ।
