ସୈନ୍ୟ ପ୍ରତ୍ୟାହାର କରୁ ଋଷିଆ, କଥାବାର୍ତା ଲାଗି ଆମେ ପ୍ରସ୍ତୁତ : ଜେଲଂସ୍କି
କିଭ : ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲଂସ୍କି ତାଙ୍କ ଦେଶ ଯୁଦ୍ଧକୁ ନେଇ ଋଷିଆ ସହ ପୁଣି କାଥାବାର୍ତା ଲାଗି ପ୍ରସ୍ତୁତ ଥିବା ରବିବାର ଗଣମାଧ୍ୟମକୁ କହିଛନ୍ତି । ଗଣମାଧ୍ୟମ ଆଲୋଚନାରେ ଜେଲଂସ୍କି ଏଥିପାଇଁ ଋଷିଆ ପ୍ରଥମେ ତାର ସୈନ୍ୟ ପ୍ରତ୍ୟାହାର କରୁ ଓ ଯୁଦ୍ଧରେ ବିରାମ ଲଗାଉ ବୋଲି କହିଛନ୍ତି । ଯାହା ଦ୍ୱାରା ପୁଣି ନୂଆ କରି କଥାବାର୍ତା ଆରମ୍ଭ ହୋଇପାରିବ ବୋଲି ସେ କହିଛନ୍ତି । ସେ ଯୁଦ୍ଧ ଆରମ୍ଭ ହେବାର ପୂର୍ବଦିନ ଅର୍ଥାତ ୨୩ ଫେବୃଆରୀ କଥା କହିଛନ୍ତି ।
ସେ କହିଛନ୍ତି ଯେ ଯୁଦ୍ଧ ଘୋଷଣାର ପୂର୍ବଦିନ ଫେବୃଆରୀ ୨୩ ର ସ୍ଥିତି ଉପରେ ପୁଣି ଥରେ ଆଲୋଚନା ହେବା ଜରୁରି । ୟୁକ୍ରେନର ଲୋକେ ମୋତେ ଦେଶର ରାଷ୍ଟ୍ରପତି ଭାବେ ନିର୍ବାଚିତ କରିଛନ୍ତି । କୌଣସି ଅନ୍ୟ ଉପାୟରେ ରାଷ୍ଟ୍ରପତି ହୋଇ ନାହିଁ ବୋଲି ଜେଲଂସ୍କି କହିଥିବା ବେଳେ ୨୩ ଫେବୃଆରୀ ସ୍ଥିତିରୁ ଜଣାପଡୁଛି ଯେ ୟୁକ୍ରେନ ଋଷିଆ ସହିତ ଶାନ୍ତି ସ୍ଥାପନା ପୂର୍ବରୁ କ୍ରିମିୟାକୁ ପୁଣି ନିଜ ନିୟନ୍ତ୍ରଣକୁ ନେବା ଲାଗି ଜୋର ଦେଇପାରିବ ନାହିଁ । ଏହି ଅନ୍ତରୀପକୁ ଋଷିଆ ୮ ବର୍ଷ ପୂର୍ବେ ନିଜ ନିୟନ୍ତ୍ରଣକୁ ନେଇଥିଲା ।
ଋଷିଆ ଓ ୟୁକ୍ରେନ ମଧ୍ୟରେ ପୁଣି କୁଟନୈତିକ ବାର୍ତା ଆରମ୍ଭ କରିବା ପାଇଁ ଆହ୍ୱାନ କରି ଜେଲଂସ୍କି କହିଛନ୍ତି ଯେ ସେମାନେ ଆମର ସମସ୍ତ ପୋଲ ନଷ୍ଟ କରିଦେଇଛନ୍ତି । ୟୁକ୍ରେନ ଓ ଋଷିଆ ପ୍ରତିନିଧି ମଣ୍ଡଳ ମାର୍ଚ୍ଚ ଶେଷ ସପ୍ତାହରେ ତୁର୍କି ମଧ୍ୟସ୍ଥତାରେ ଇସ୍ତାନାବୁଲ ଆଲୋଚନା କରିଥିଲା । ତେବେ ଏହା ପୂର୍ବରୁ ଜେଲଂସ୍କି ଯୁଦ୍ଧ ଜାରି ରଖିବା ପାଇଁ ଗ୍ଲୋବାଲ ଫଣ୍ଡ ରେସିଂ ପ୍ଲାଟଫର୍ମ ଆରମ୍ଭ କରିଥିଲେ । ଏହା ସହିତ ଲୋକଙ୍କୁ ଏହା ମଧ୍ୟ ଅପିଲ କରିଥିଲେ ଯେ ଏକଜୁଟ ହୋଇ ଯୁଦ୍ଧକୁ ରୋକା ଯାଇପାରିବ । ଯଦି ଋଷିଆର ବରବାଦିରୁ ବାହାରିବାକୁ ହେବ ତେବେ ସମସ୍ତଙ୍କୁ ସହାୟତା କରିବାକୁ ହେବ । ଯୁକ୍ରେନ ସମସ୍ତଙ୍କ ସହଯୋଗକୁ ମନେ ରଖିବ ବୋଲି ସେ କହିଥିଲେ । ତେବେ ଏହା ପୂର୍ବରୁ ଜେଲଂସ୍କି ଆତ୍ମସମର୍ପଣ ଲାଗି ମନା କରିଦେଇଥିଲେ ଓ ବଳ ଥିବା ପର୍ଯ୍ୟନ୍ତ ଋଷିଆର ମୁକାବିଲା କରିବୁ ବୋଲି କହିଥିଲେ ।
