ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି! ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି
ନୂଆଦିଲ୍ଲୀ : ଋଷ-ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଜାରି ରହିଛି । ଏଥିପାଇଁ ଅଶୋଧିତ ତୈଳ ଦର ବଢିବାରେ ଲାଗିଛି । ବିଶ୍ୱ ବଜାରରେ ଅଶୋଧିତ ତୈଳର ମୂଲ୍ୟ ବ୍ୟାରେଲ ପିଛା ୧୧୦ ଡଲାରକୁ ବୃଦ୍ଧି ପାଇଛି । ଏହି ସମୟରେ, ବିଶ୍ୱରେ ଶକ୍ତି ସଙ୍କଟ ବୃଦ୍ଧି ହେବାର ଅନ୍ତର୍ଜାତୀୟ ଶକ୍ତି ଏଜେନ୍ସି ଆଇଇଏ ଚେତାବନୀ ଦେଇଛି ।
ଅଶୋଧିତ ତୈଳ ଦର ବୃଦ୍ଧିକୁ ନେଇ ପୂର୍ବରୁ ଏକ୍ସପର୍ଟ ମାନେ ଚିନ୍ତା ବ୍ୟକ୍ତ କରିଥିଲେ । ଯୁଦ୍ଧ ପାଇଁ ଋଷରୁ ଅଶୋଧିତ ତୈଳ ଯୋଗାଣ ପ୍ରଭାବିତ ହୋଇଛି । ହଠାତ୍ ଏହାର ମୂଲ୍ୟରେ ୭ ପ୍ରତିଶତ ବୃଦ୍ଧି ଘଟିଛି । ୨୦୧୪ ପରେ ଏହି ମୂଲ୍ୟ ସର୍ବାଧିକ ରହିଛି । ବିଶ୍ୱ ଚୁକ୍ତି ଅନୁଯାୟୀ ଅଶୋଧିତ ତୈଳ ଯୋଗାଣ କରାଯାଉନାହିଁ । ଜାପାନ ସମେତ ଆଇଇଏ ସଦସ୍ୟ, ଆମେରିକା ସେମାନଙ୍କ ଭଣ୍ଡାରରୁ ୬୦ ନିୟୁତ ବ୍ୟାରେଲ ତୈଳ ମୁକ୍ତ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ଆଇଇଏ କହିଛି ଯେ, ତୈଳ ସଂରକ୍ଷଣ ଅପେକ୍ଷା ଦ୍ରୁତ ଗତିରେ ରିଲିଜ୍ ହେବା ପରେ ଏହାର ମୂଲ୍ୟ ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଯଦି ଏହି ବୃଦ୍ଧି ଜାରି ରହେ, ତେବେ ଦୁନିଆରେ ଏକ ଶକ୍ତି ସଙ୍କଟ ହୋଇପାରେ । ଆମେରିକା ବଜାରରେ ଥିବା ଭଣ୍ଡାରରୁ ୩୦କୋଟି ବ୍ୟାରେଲ ତେଲ ବଜାରକୁ ଛଡାଯାଇଛି । ସମଗ୍ର ବିଶ୍ୱରେ ତେଲର ବ୍ୟବହାର ବଢୁଥିବାରୁ ରିଜର୍ଭରେ ରଖାଯାଇଥିବା ତେଲ ଏଥିପାଇଁ ପର୍ଯ୍ୟାପ୍ତ ହେବ ନାହିଁ ବୋଲି ଆଶଙ୍କା କରାଯାଉଛି ।
