ୟୁକ୍ରେନର ଜାପୋରିଝରିଆ ଆଣବିକ କେନ୍ଦ୍ରକୁ ଅକ୍ତିଆର ପାଇଁ ଋଷର ଯୋଜନା
ନୂଆଦିଲ୍ଲୀ : ୟୁକ୍ରେନ-ଋଷିଆ ମଧ୍ୟରେ ଚାଲିଥିବା ଯୁଦ୍ଧରେ ବିରାମ ଲାଗୁନି । ଏବେ ୟୁରୋପର ସବୁଠୁ ବଡ ପରମାଣୁ ପ୍ଲାଣ୍ଟ ବା ୟୁକ୍ରେନର ଜାପୋରିଝରିଆ ଆଣବିକ କେନ୍ଦ୍ରକୁ ସ୍ଥାୟୀ ଏବଂ ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ନେବାକୁ ଋଷିଆ ଯୋଜନା କରୁଛି । ଋଷର ପରମାଣୁ ଶକ୍ତି କମ୍ପାନୀ ରୋସାଟମ୍ ଅଧିନକୁ ପରମାଣୁ ପ୍ଲାଣ୍ଟ ଆଣିବାକୁ ଯୋଜନା କରୁଥିବା ୟୁକ୍ରେନ ଅନ୍ତରାଷ୍ଟ୍ରୀୟ ଆଟମିକ୍ ଏନର୍ଜି ଏଜେନ୍ସିକୁ ଜଣାଇଛି । ଅନ୍ତରାଷ୍ଟ୍ରୀୟ ଆଟମିକ୍ ଏନର୍ଜି ଏଜେନ୍ସି ର ମହାନିର୍ଦ୍ଦେଶକ ରାଫେଲ ମାରିଆୋ ଗ୍ରୋସି ଏକ ବିବୃତ୍ତି ଜରିଆରେ ଏହି ସୂଚନା ଦେଇଛନ୍ତି ।
ୟୁକ୍ରେନର ପରମାଣୁ ଶକ୍ତି କମ୍ପାନୀ ଅପରେଟର ଏନେରୋଗୋଟମ୍ ଅନ୍ତରାଷ୍ଟ୍ରୀୟ ଆଟମିକ୍ ଏନର୍ଜି ଏଜେନ୍ସି ମହାନିର୍ଦ୍ଦେଶକଙ୍କୁ ଏକ ଚିଠି ଲେଖିଛନ୍ତି । ସେ ଉଲ୍ଲେଖ କରିଛନ୍ତି ଯେ, ପ୍ରାୟ ୪୦୦ ଋଷୀୟ ସେନା ଜାପୋରିଝରିଆ ପରମାଣୁ ପ୍ଲାଣ୍ଟ ଭିତରେ ଉପସ୍ଥିତ ରହିଛନ୍ତି ଏବଂ ସେମାନେ ଏହି ନ୍ୟୁକ୍ଲିୟର ପ୍ଲାଣ୍ଟ ଋଷ୍ ସାମରିକ ବାହିନୀ ଅଧିନରେ ଥିବା ଦାବି କରିଛନ୍ତି । କିଛି ଦିନ ପୂର୍ବରୁ ଋଷୀୟ ବିଶେଷଜ୍ଞ ଏହି ପ୍ଲାଣ୍ଟରେ ପହଞ୍ଚିଥିଲେ ଏବଂ ବିକିରଣ ସ୍ଥିତି ଅନୁଧ୍ୟାନ କରିଥିଲେ । ବର୍ତ୍ତମାନ ପରମାଣୁ ପ୍ଲାଣ୍ଟର ନିୟମିତ କର୍ମଚାରୀ ସବୁଦିନ ଭଳି ପ୍ଲାଣ୍ଟର ତଦାରଖ କରୁଛନ୍ତି ଏବଂ ଦୈନନ୍ଦିନ କାର୍ଯ୍ୟ କରୁଛନ୍ତି । କିନ୍ତୁ ପ୍ଲାଣ୍ଟର ପରିଚାଳନା ଏବେ ଋଷ୍ ସେନା ହାତରେ ରହିଛି । ଏହା ପୂର୍ବରୁ ୟୁକ୍ରେନ ଅନ୍ତରାଷ୍ଟ୍ରୀୟ ଆଟମିକ୍ ଏନର୍ଜି ଏଜେନ୍ସିକୁ ସୂଚୀତ କରିଥିଲା ଯେ, ମାର୍ଚ୍ଚ ୪ରେ ଋଷ ସେନା ସର୍ବବୃହତ୍ ନ୍ୟୁକ୍ଲିୟର ପ୍ଲାଣ୍ଟ ଉପରେ ଆକ୍ରମଣ କରିଥିଲା ଏବଂ ୬ ରିଆକ୍ଟର ସହ ପ୍ଲାଣ୍ଟ ନିଜ ଦଖଲକୁ ନେଇଥିଲା ।
