ୟୁକ୍ରେନର ଖାରକିଭରେ ଗ୍ୟାସ ପାଇପଲାଇନ୍ ଧ୍ୱଂସ କଲା ଋଷ
ନୂଆଦିଲ୍ଲୀ : ଋଷ ଓ ୟୁକ୍ରେନ ମଧ୍ୟରେ ସଂଘର୍ଷ ଜାରି ରହିଛି । ଆଜି ଚତୁର୍ଥ ଦିନରେ ୟୁକ୍ରେନର ଖାରକିଭ ଇଲାକରେ ଥିବା ସବୁଠୁ ଦୀର୍ଘ ଗ୍ୟାସ ପାଇପଲାଇନକୁ ଧ୍ୱଂସ କରିଛନ୍ତି ଋଷ ସେନା । ଫଳରେ ଧୁଧୁ ହୋଇ ଜଳୁଛି ସାରା ଇଲକା । ଏହାର ନିଆଁ ଦୀର୍ଘ ସ୍ଥାନକୁ ମଧ୍ୟ ଦୃଶ୍ୟମାନ ହେଉଛି । ଏହାସହ ରାଜଧାନୀ କିବ୍ ଠାରୁ ୪ କିମି ଦୂରରୁ ଜାରି ରହିଛି ମିସାଇଲ ଓ ରକେଟ୍ ମାଡ । ତମାମ ପ୍ରତିବନ୍ଧକ ସତ୍ତେ୍ୱ ଋଷ ନିଜ ଜିଦରେ ଅଟଳ । ବିସ୍ଫୋରଣ ଓ ଗୁଳି ବର୍ଷାଇବା ସହ ପରିମାଣୁ ବୋମା ପରି ଶକ୍ତିଶଳୀ ବୋମା ବର୍ଷଣ କରିବାକୁ ବାରମ୍ବାର ଧମକାଉଛି ଋଷ । ତଥାପି ପଛକୁ ହଟିନି ୟୁକ୍ରେନ୍ ସେନା । ଆଜି ଚତୁର୍ଥ ଦିନରେ ମଧ୍ୟ ମିସାଇଲ ଓ ରକେଟ ମାଡ ଜାରି ରଖିଛି ଋଷ ।
ଋଷ ଓ ୟୁକ୍ରେନ୍ ମଧ୍ୟରେ ଚତୁର୍ଥ ଦିନରେ ବି ଘମାଘୋଟ ଲଢେଇ କମିବାର ନାଁ ନେଉନି। ଋଷ ସେନା ଧୀରେ ଧୀରେ ୟୁକ୍ରେନ୍ର ରାଜଧାନୀ କିଭ୍ ଅଭିମୁଖେ ବଢୁଛି। କିଭ୍ ଠାରୁ ଆଉ ମାତ୍ର ୪ କି.ମି ଦୂରରେ ଏବେ ଋଷ ସେନା ଅଛି। ଏହି ମଧ୍ୟରେ ଆଉ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଋଷ ସେନା ୟୁକ୍ରେନ୍ର ଦ୍ଵିତୀୟ ବଡ଼ ସହର ଖାରକିଭ୍ରେ ଏକ ଗ୍ୟାସ୍ ପାଇପଲାଇନ୍ ଉଡାଇ ଦେଇଛନ୍ତି। ଋଷର ବାରୁଦ ବର୍ଷାରେ ୟୁକ୍ରେନ୍ ସମ୍ପୂର୍ଣ୍ଣ ଅଣନିଃଶ୍ଵାସୀ ହୋଇପଡିଛି। ଏହାଦ୍ଵାରା ବହୁ ସାଧାରଣ ନାଗରିକଙ୍କ ଜୀବନ ଯାଉଛି। କିଭ୍ ଉପରେ କବ୍ଜା କରିବା ପାଇଁ ଋଷ ସୈନିକ ଚତୁର୍ଦ୍ଦିଗରୁ ଆକ୍ରମଣ କରୁଛନ୍ତି। ଆହୁରି ମଧ୍ୟ ୧୦ ଜଣ ଗ୍ରୀସ୍ ନାଗରିକଙ୍କ ମୃତ୍ୟୁ ହୋଇଛି। ମାରିୟୁପୋଲ ନିକଟରେ ଋଷର ବିସ୍ଫୋରଣରେ ଏହି ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୬ ଜଣ ଆହତ ହୋଇଛନ୍ତି। ଏନେଇ ଗ୍ରୀସ୍ ପ୍ରଧାନମନ୍ତ୍ରୀ କ୍ୟାରିକୋସ୍ ଟ୍ଵିଟ୍ କରି ଚିନ୍ତା ପ୍ରକଟ କରିଛନ୍ତି।
ତେବେ ଋଷର ପ୍ରହାର ସହୁଥିବା ୟୁକ୍ରେନ୍ ଏବେ ଏକା ପଡ଼ିଯାଇଛି। ଏପରି ସ୍ଥିତିରେ ୟୁକ୍ରେନ୍କୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ଜର୍ମାନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଜର୍ମାନୀ ୟୁକ୍ରେନକୁ ସିଧାସଳଖ ଭାବେ ଅସ୍ତ୍ର ଓ ଅନ୍ୟାନ୍ୟ ସାମଗ୍ରୀ ଯୋଗାଇବ ବୋଲି ଶନିବାର ଘୋଷଣା କରିଛି। ତା ସହିତ ସ୍ୱିଫ୍ଟ ଗ୍ଲୋବାଲ ବ୍ୟାଙ୍କିଙ୍ଗ୍ ସିଷ୍ଟମରେ ଋଷ ଉପରେ ବ୍ୟାନ ଲଗାଇବାକୁ ମଧ୍ୟ ଜର୍ମାନୀ ସମର୍ଥନ କରିଛି। ଜର୍ମାନୀ ଚାନ୍ସସେଲର ଶନିବାର କହିଛନ୍ତି ଯେ ତାଙ୍କ ଦେଶ ଏକ ହଜାର ଆଣ୍ଟି ଟ୍ୟାଙ୍କ ଅସ୍ତ୍ର ଏବଂ ୫୦୦ ଷ୍ଟାଙ୍ଗର ସର୍ଫେସ ଟୁ ଏୟାର ମିଶାଇଲ୍ ୟୁକ୍ରେନ୍କୁ ଖୁବ୍ଶୀଘ୍ର ମିଳିବ।ସେପଟେ ୟୁକ୍ରେନ୍ ଉପରେ ଋଷର ଆକ୍ରମଣ ପରେ ଆମେରିକା ଓ ତାର ସହଯୋଗୀ ଦେଶ ଋଷର ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ, ବ୍ୟବସାୟୀ, ବ୍ୟାଙ୍କ୍ ତଥା ସମ୍ପୂର୍ଣ୍ଣ ଅର୍ଥନୈତିକ ସେକ୍ଟର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।
