ବାଲେଶ୍ୱର : ରୂପସା ଉତ୍ତର କ୍ୟାବିନ ରେଳଫାଟକକୁ ଧକ୍କା ଦେଲା ମୁଢ଼ି ବୋଝେଇ ଭ୍ୟାନ
ଛିଣ୍ଡିଲା ବିଦ୍ୟୁତ ତାର : ଟ୍ରେନ ଚଳାଚଳ ବାଧାପ୍ରାପ୍ତ, ଅଟକିଲା ଦମକଳ
ବାଲେଶ୍ୱର : ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ରୂପସା ରେଳ ଷ୍ଟେସନ ଉତ୍ତର କେବିନ ଠାରେ ପୁଣି ଦୁର୍ଘଟଣା ଘଟିଛି । ରେଳ ଫାଟକ ପଡୁଥିବା ସମୟରେ ମଙ୍ଗଳବାର ଏକ ମୁଢ଼ି ବୋଝେଇ ପିକ୍ଅପ୍ ଭ୍ୟାନ୍ ଅତିକ୍ରମ କରୁଥିବାବେଳେ ଫାଟକକୁ ଧକ୍କା ଦେଇଥିଲା । ଫଳରେ ଫାଟକଟି ଭାଙ୍ଗି ଯାଇଥିଲା । ପିକ୍ଅପ୍ରେ ବୋଝେଇ ହୋଇଥିବା ମୁଢି ବସ୍ତାରେ ଫାଟକଟି ଭାଙ୍ଗି ଯାଇ ୨୫ କେଭି ବିଦ୍ୟୁତ ତାର ସହିତ ସଂଯୋଗ ହୋଇଥିଲା । ବିଦ୍ୟୁତ ତାର ଛିଣ୍ଡି ପଡିବାରୁ ଦୀର୍ଘ ସମୟ ଧରି ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଭୟରେ ଡ୍ରାଇଭର ପିକ୍ଅପ୍କୁ ରୂପସା ବସ ଷ୍ଟାଣ୍ଡ ଅଭିମୁଖେ ନେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା । ତେବେ ଏହି ଦୁର୍ଘଟଣା ପରେ ହିରାପୁର ଗ୍ରାମକୁ ନିଆଁ ଲିଭାଇବାକୁ ଯାଉଥିବା ଏକ ଦମକଳ ଅଟକି ରହିଥିବାରୁ ସେଠାରେ ଉତ୍ତେଜନା ଦେଖାଦେଇଥିଲା । ବିଭାଗୀୟ ଇଞ୍ଜିନିଅର ପହଞ୍ôଚ ଫାଟକ ମରାମତି କଲା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଏଠାରେ ତୁରନ୍ତ ଉଡ଼ନ୍ତା ପୋଲ ନିର୍ମାଣ ପାଇଁ ସାଧାରଣ ରେ ଦାବୀ ହୋଇଛି । ଆରପିଏଫ ପୋଲିସ ପହଞ୍ôଚ ତଦନ୍ତ ଜାରି ରଖିଛି ।
ସୂଚନା ଯେ, ଟ୍ରେନ ସଂଖ୍ୟା ବଢୁଥିବା ବେଳେ ଫାଟକ ଉଠାଇ ସଙ୍ଗେ ସଙ୍ଗେ ପୁଣି ଫାଟକ ପଡୁଛି । ଫାଟକ ଥରେ ପଡ଼ି ରହିଲେ ୪୫ ମିନିଟ ପର୍ଯ୍ୟନ୍ତ ପଡ଼ି ରହୁଥିବାରୁ ରାସ୍ତାର ଉଭୟ ପାର୍ଶ୍ୱ ଜାମ ରହୁଛି । ଦୀପାବଳି ପର୍ବ ବେଳେ ଏହି ଫାଟକକୁ ଏକ ପତ୍ର ବୋଝେଇ ଭ୍ୟାନ ଧକ୍କା ଦେଇ ଆର୍ପିଏଫ୍ ଥାନା ପୋଲିସ ହାତରେ ଧରାପଡ଼ିଥିଲା । ଏହି ରାସ୍ତା ମୟୂରଭଞ୍ଜ ୧୮ ନମ୍ବର ଜାତୀୟ ରାଜପଥ ଠାରୁ ବାଲେଶ୍ୱର ୬୦ ନମ୍ବର ଜାତୀୟ ରାଜପଥ କୁ ଯୋଗାଯୋଗ କରୁଥିବା ବେଳେ ଏହି ଫାଟକ ପାଇଁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ଅଟକି ରହିବା ସହ ରୋଗୀ, ପ୍ରସୂତି ଓ ଗର୍ଭବତୀଙ୍କୁ ହନ୍ତସନ୍ତ ହେଉଥିବା ବହୁଥର ଦେଖିବାକୁ ମିଳିଛି ।
