ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ ଚୂଡ଼ାନ୍ତ ତାଲିକାରେ ରାଉରକେଲା
ମିଳିବ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର
ରାଉରକେଲା/ଭୁବନେଶ୍ୱର : ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ ପ୍ରତିଯୋଗିତାରେ ରାଉରକେଲା ବିଶ୍ୱର ୧୫ଟି ସହର ଭିତରେ ସ୍ଥାନ ପାଇଛି । ଏହି ଅନ୍ତର୍ଜାତୀୟ ମାନ୍ୟତା ପାଇବାରେ ରାଉରକେଲା ହେଉଛି ଭାରତର ଏକମାତ୍ର ସହର । ଏହି ବିଶେଷ ସଫଳତା ସହ ରାଉରକେଲାକୁ ବ୍ଲୁମବର୍ଗ ଫିଲାନଥ୍ରପିକ୍ ସଂସ୍ଥା ପକ୍ଷରୁ ୧ ନିୟୁତ ଆମେରିକୀୟ ଡଲାର ପୁରସ୍କାର ସହିତ ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ବିଭିନ୍ନ ବୈଷୟିକ ସହାୟତା ଓ ପରାମର୍ଶ ଯୋଗାଇ ଦିଆଯିବ ।
ଏହି ପ୍ରତିଯୋଗିତାରେ ସାମିଲ ହୋଇ ରାଉରକେଲା ମହାନଗର ନିଗମ ପକ୍ଷରୁ ଏକ ବିଶେଷ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ରାଉରକେଲା ସହରର ଛେଣ୍ଡ୍ ଠାରେ ଏକ ୫ ଟନ୍ କ୍ଷମତା ବିଶିଷ୍ଟ ଶୀତଳଭଣ୍ଡାର ସ୍ଥାପନ କରାଯାଇଛି । ଏହା କାର୍ଯ୍ୟକ୍ଷମ ହେବା ଫଳରେ ସହରର ଛୋଟ ଛୋଟ ଚାଷୀ, ପନିପରିବା ତଥା ଫଳ ବ୍ୟବସାୟୀମାନେ ନିଜର ସାମଗ୍ରୀ ସେଠାରେ ସଂରକ୍ଷଣ କରିପାରୁଛନ୍ତି । ଏହି ଶୀତଳଭଣ୍ଡାରକୁ ପରିଚାଳନା କରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମଧ୍ୟ ସେମାନଙ୍କ ଜୀବିକା କରିପାରିଛନ୍ତି । ଏଥିସହିତ ସହରବାସୀଙ୍କ ଦୁଆର ମୁହଁରେ ତାଜା ଫଳ ଓ ପନିପରିବା ପହଂଚିପାରୁଛି । ଏହି ପ୍ରକଳ୍ପରେ ଟେକ୍ନୋଲୋଜିର ବ୍ୟାପକ ବ୍ୟବହାର କରି ଏହାକୁ ଦୀର୍ଘସ୍ଥାୟୀ ତଥା ସଫଳ କରାଯାଇପାରିଛି ।
ଏହି ବିଶ୍ୱସ୍ତରୀୟ ସଫଳତା ପାଇଁ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ଏବଂ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର ନିଗମର କର୍ମକର୍ତା ଏବଂ ପ୍ରକଳ୍ପ ସହ ସଂପୃକ୍ତ ସମସ୍ତ ଅଂଶୀଦାର ଓ ରାଉରକେଲାବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ବ୍ଲୁମବର୍ଗ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଭାଗନେଇ ରାଉରକେଲା ବିଶ୍ୱର ପ୍ରମୁଖ ୧୫ଟି ସହର ଭିତରେ ସ୍ଥାନ ପାଇବା ଆମ ସୁନ୍ଦରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ । ଆଗାମୀ ଦିନରେ ଏଭଳି ଅଭିନବ ପ୍ରକଳ୍ପ ପରିକଳ୍ପନା କରିବା ଦିଗରେ ଏହି ପୁରସ୍କାର ନିଶ୍ଚିତ ଭାବେ ସମସ୍ତଙ୍କୁ ଉତ୍ସାହିତ କରିବ । ବିଶେଷକରି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସକ୍ରିୟ ଭୂମିକା ଫଳରେ ଏହି ପ୍ରକଳ୍ପ ସହରର ସମସ୍ତ ଅଂଶୀଦାରମାନଙ୍କୁ ସୁଫଳ ଯୋଗାଇ ଦେଉଛି ବୋଲି କହିଛନ୍ତି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ।
‘‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜରେ ଭାଗ ନେଇ ରାଉରକେଲା ମହାନଗର ନିଗମ ଏକ ଅଭିନବ ପ୍ରସ୍ତାବ ଦେଇଥିଲା । ଏହାକୁ ଆଧାରକରି ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କ ସହିତ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ଜୀବିକା ଓ ଆର୍ôଥକ ବିକାଶ ଉପରେ ଆମେ ଗୁରୁତ୍ୱ ଦେଇଛୁ । ଏହି ପ୍ରକଳ୍ପର ସଠିକ୍ କାର୍ଯ୍ୟାନ୍ୱୟନ ଯୋଗୁଁ ରାଉରକେଲା ସହର ଆଜି ବିଶ୍ୱର ୧୫ଟି ପ୍ରମୁଖ ସହର ଭିତରେ ସ୍ଥାନ ପାଇପାରିଛି । ରାଉରକେଲାକୁ ଏହି ସମ୍ମାନ ମିଳିଥିବାରୁ ବ୍ଲୁମବର୍ଗ ର୍କୃପକ୍ଷଙ୍କୁ ମଧ୍ୟ କୃତଜ୍ଞତା ଜଣାଉଛି ବୋଲି କହିଛନ୍ତି ମହାନଗର ନିଗମ କମିଶନର ଡାକ୍ତର ଶୁଭଙ୍କର ମହାପାତ୍ର । ‘ବ୍ଲୁମବର୍ଗ-୨୦୨୧ ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ’ରେ ମୋଟ ୯୯ଟି ଦେଶ ଭାଗ ନେଇଥିଲେ । କୋଭିଡ୍ ମହାମାରୀ ଭଳି ଏକ ଜଟିଳ ସମୟରେ ଅର୍ଥନୈତିକ ପୁନରୁଦ୍ଧାର ଏବଂ ସାମଗ୍ରିକ ଅଭିବୃଦ୍ଧି, ସ୍ୱାସ୍ଥ୍ୟ ଏବଂ ଜନକଲ୍ୟାଣ, ଜଳବାୟୁ ଓ ପରିବେଶ ତଥା ଉତମ ଶାସନ ଓ ସମାନତା ଆଦି ବିଷୟକୁ ଆଧାରକରି ଆସିଥିବା ୬୩୦ଟି ପ୍ରସ୍ତାବକୁ ନେଇ ଏହି ପ୍ରତିଯୋଗିତା କରାଯାଇଥିଲା । ସେଥିମଧ୍ୟରୁ ଅଭିନବ ତଥା ଉଭାବନଶୀଳ ପ୍ରକଳ୍ପ ପ୍ରସ୍ତାବ ଲାଗି ପ୍ରଥମ ଦଫାରେ ରାଉରକେଲା ସହିତ ୫୦ଟି ସହର ମନୋନୀତ ହୋଇଥିଲେ । ଆଜି ଚୂଡ଼ାନ୍ତ ପର୍ଯ୍ୟାୟରେ ରାଉରକଲୋ ବିଶ୍ୱର ୧୫ଟି ପ୍ରମୁଖ ସହର ମଧ୍ୟରେ ସ୍ଥାନ ପାଇ ଏକ ନୂଆ ଉଚ୍ଚତାକୁ ଯାଇ ପାରିଛି ।
