ଫେବୃୟାରୀ ୧୩ ରୁ ରୋଟାରୀ କ୍ଲବର ମେଗା ସର୍ଜରୀ ଶିବିର ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ହେଉଛି
ଏହି ମାଗଣା ସର୍ଜରୀ କ୍ୟାମ୍ପ ଯୋଗଦେବେ ଖ୍ୟାତନାମା ଡାକ୍ତରଙ୍କ ଟିମ
ବାରିପଦା : ଓଡ଼ିଶାରେ ପ୍ରଥମ ଥର ପାଇଁ ବାରିପଦା ରୋଟାରୀ କ୍ଲବ ପକ୍ଷରୁ ଆଗାମୀ ୧୩ତାରିଖ ଠାରୁ ୭ଦିନିଆ ମାଗଣା ଅସ୍ତ୍ରୋପଚାର ଶିବିର ଆୟୋଜିତ ହେବ । ଏନେଇ ଶୁକ୍ରବାର ରୋଟାରୀ କ୍ଲବ ପକ୍ଷରୁ ସଭାପତି ରାକେଶ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ, ରୋଟାରୀ କ୍ଲବ, ଜିଲ୍ଲା ପ୍ରଶାସନ, ପିଆରଏମ ମେଡିକାଲ କଲେଜ ଏବଂ ହସ୍ପିଟାଲର ମିଳିତ ଉଦ୍ୟମ କ୍ରମେ ଫେବୃଆରୀ ମାସ ୧୩ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ୭ ଦିନିଆ ମଲ୍ଟି ଡିସିପ୍ଲିନାରୀ ସର୍ଜିକାଲ କ୍ୟାମ୍ପ ବାରିପଦା ଠାରେ ଅନୁଷ୍ଠିତ ହେବ । ରୋଟାରୀ ମେଡିକାଲ ମିଶନ ପକ୍ଷରୁ ଚକ୍ଷୁ ଏବଂ ଦନ୍ତ ରୋଗ ଚିକିତ୍ସା, ଅର୍ଥୋପେଡିକ୍ଟ, ପ୍ଲାଷ୍ଟିକ ସର୍ଜରୀ, ସ୍ତ୍ରୀ ଓ ପ୍ରସୂତି ରୋଗ, ଚର୍ମ ରୋଗ, ୟୁରୋଲୋଜି, ଇଏଣ୍ଡଟି, ଜେନେରାଲ ସର୍ଜରୀ ଆଦି ରୋଗ ଗୁଡିକର ଉଚ୍ଚ ଅଭିଜ୍ଞ ଖ୍ୟାତନାମା ଡାକ୍ତର ମାନଙ୍କ ଏକ ଦଳ ଦ୍ୱାରା ନିଃଶୁଳ୍କ ଭାବେ ଅସ୍ତ୍ରୋପଚାର କରାଯିବ । ଏଥିପାଇଁ ନିକଟସ୍ଥ ପିଏଚସି, ସିଏଚସି ଏବଂ ଡାକ୍ତରଖାନା କିମ୍ବା କ୍ଳବର ନମ୍ବର ୯୪୩୭୦୩୪୩୩୫, ୯୪୩୯୭୩୨୦୩୦ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ରୋଗୀଙ୍କ ନାମ ପଂଜିକରଣ କରିବା ପରେ ୧୦ଜଣିଆ ଟେକନିସିଆନ ଓ ସ୍ୱେଚ୍ଛାସେବୀ ଦଳଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ଆବଶ୍ୟକ ସ୍ଥଳେ ଅସ୍ତ୍ରୋପଚାର ବ୍ୟବସ୍ଥା ମାଗଣାରେ କରାଯିବ ବୋଲି ଜଣାଯାଇଛି । ଉକ୍ତ ଶିବିରକୁ ସଫଳ କରିବା ପୂର୍ବରୁ ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ଅଧ୍ୟକ୍ଷତା ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ରୂପଭାନୁ ମିଶ୍ର ଏବଂ ଅନ୍ୟ ଉଚ୍ଚ ପଦସ୍ତ ଅଧିକାରୀ ତଥା ଡାକ୍ତର ମାନେ ମଧ୍ୟ ଏଥିରେ ସହଯୋଗ କରିବେ ବୋଲି ସଭାପତି ଶ୍ରୀ ସିଂ ସୂଚନା ଦେଇଛନ୍ତି I
