ଭାରତୀୟ ଟିମ୍କୁ ଆହୁରି ଉଚ୍ଚତମ ସ୍ଥାନକୁ ନେଇଯିବେ ରୋହିତ : କୋଚ୍ ରାଜକୁମାର
ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାରେ ସିରିଜ୍ ପରାଜୟ ପରେ ବିରାଟ କୋହଲି ଟେଷ୍ଟ ଫର୍ମାଟ ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । କୋହଲିଙ୍କର ଏହି ନିଷ୍ପତି ପରେ ଟେଷ୍ଟ ଫର୍ମାଟର ନୂଆ ଅଧିନାୟକ କିଏ ହେବେ ସେ ନେଇ ଲାଗିରହିଛି କଳ୍ପନାଜଳ୍ପନା । ତେବେ ଟିମ୍ ଇଣ୍ଡିଆର ପରବର୍ତୀ ଟେଷ୍ଟ ଅଧିନାୟକ ରୋହିତ ଶର୍ମା ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଥିବା ବେଳେ ବଡ ବୟାନ ଦେଇଛନ୍ତି କୋହଲିଙ୍କ ପିଲାଦିନର କୋଚ୍ । କୋହଲିଙ୍କ କୋଚ୍ ରାଜକୁମାର ଶର୍ମା, ରୋହିତ ଶର୍ମାଙ୍କୁ ସମର୍ଥନ ଜଣାଇଛନ୍ତି ଏବଂ କହିଛନ୍ତି, ‘ ଭାରତୀୟ ଟିମ୍କୁ ରୋହିତ ଆହୁରି ଉଚ୍ଚତମ ସ୍ଥାନକୁ ନେଇଯିବେ ।’
ସେ ଆହୁରି ମଧ୍ୟ କହିଛନ୍ତି, ‘ମୋତେ ଲାଗୁନାହିଁ ଯେ, ଏହି ପଦ ପାଇଁ ରୋହିତ ଶର୍ମାଙ୍କ ବ୍ୟତିତ ଆଉ କିଏ ଫିଟ୍ ହେବେ ଏବଂ ଟିମ୍ ପାଇଁ ଯେତେବେଳେ ବି ସୁଯୋଗ ମିଳିଛି ସେ ପ୍ରମାଣିତ କରି ଦେଖାଇଛନ୍ତି । କେବଳ ସେତିକି ନୁହେଁ ଦୀର୍ଘ ବର୍ଷ ହେଲା ଆଇପିଏଲରେ ମଧ୍ୟ ନିଜ ଅଧିନାୟକତ୍ୱର ଜଲୱା ଦେଖାଉଛନ୍ତି ।’ ଭାରତୀୟ ଦଳର ଆଗାମୀ ଟେଷ୍ଟ ସିରିଜ୍ ଘରୋଇ ମାଟିରେ ଶ୍ରୀଲଙ୍କା ବିପକ୍ଷରେ ରହିଛି । ଆସନ୍ତା ଫେବୃଆରୀ ମାସରେ ଖେଳାଯିବ ଟେଷ୍ଟ ସିରିଜ୍ । ମ୍ୟାନେଜମେଂଟ ହାତରେ ସମୟ ଥିବାରୁ ବୁଦ୍ଧିବିଚାରୀ ନୂଆ ଅଧିନାୟକ ମନୋନୟନ କରାଯିବ । ରୋହିତଙ୍କ ବ୍ୟତିତ ଲୋକେସ୍ ରାହୁଲ ଏବଂ ଅନ୍ୟ କିଛି ଖେଳାଳିଙ୍କ ନାଁ ମଧ୍ୟ ଅଧିନାୟକ ରେସ୍ରେ ରହିଛି ।
ସୂଚନା ଯେ, ପ୍ରଥମେ ଟି-୨୦ ଫର୍ମାଟର ଅଧିନାୟକ ପଦ ନିଜଆଡୁ ଛାଡିଥିଲେ କୋହଲି । ପରେ ତାଙ୍କୁ ଦିନିକିଆ ଅଧିନାୟକ ପଦରୁ ମଧ୍ୟ ବାଦ୍ ଦେଇଥିଲା ବିସିସିଆଇ । ଏହା ପରେ ରୋହିତ ଶର୍ମାଙ୍କୁ ଉଭୟ ଫର୍ମାଟରେ ପୂର୍ଣ୍ଣକାଳୀନ ଅଧିନାୟକ ଭାର ମିଳିଥିଲା । କିନ୍ତୁ ନିକଟରେ ଶେଷ ହୋଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ୍ ପରେ ଅଚାନକ ବଡ ଘୋଷଣା କରିଥିଲେ କୋହଲି । ଟେଷ୍ଟ ଫର୍ମାଟର ଅଧିନାୟକ ପଦରୁ ଇସ୍ତଫା ନେଇ ସୋସିଆଲ ମିଡିଆରେ ପ୍ରକାଶ କରିଥିଲେ । ସେବେଠାରୁ ଟେଷ୍ଟ ଫର୍ମାଟ ପାଇଁ ନୂଆ ଅଧିନାୟକ ଖୋଜା ଚାଲିଛି । ରେସ୍ରେ ରୋହିତ ଶର୍ମାଙ୍କ ବ୍ୟତିତ ଲୋକେସ୍ ରାହୁଲ, ଋଷଭ ପନ୍ତ ଏବଂ ଯଶପ୍ରୀତ ବୁମରାହଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ତେବେ ଖୁବଶୀଘ୍ର ନୂଆ ଟେଷ୍ଟ ଅଧିନାୟକ ଘୋଷଣା ହୋଇପାରେ ।
