ଫ୍ୟାନ୍ସଙ୍କ ପାଇଁ ଖୁସି ଖବର! ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳାରେ ଫେରିବେ ରୋହିତ
ବେଙ୍ଗାଲୁରୁ: ଭାରତୀୟ ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ଦ୍ରୁତ ଆରୋଗ୍ୟ ଲାଭ କରୁଛନ୍ତି । ମାଂସପେଶୀ ଯନ୍ତ୍ରଣା ପାଇଁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇ ପାରି ନଥିବା ରୋହିତ ସଂପ୍ରତି ବେଙ୍ଗାଲୁରୁ ସ୍ଥିତ ଜାତୀୟ କ୍ରିକେଟ୍ ଏକାଡେମି (ଏନ୍ସିଏ)ରେ ରହି ସଂପୂର୍ଣ୍ଣ ସୁସ୍ଥତା ଲାଭ କରିବା ଲାଗି ଚେଷ୍ଟା ଚଳାଇଛନ୍ତି । ଯୋଜନା ମୁତାବକ ଅଭ୍ୟାସ ଏବଂ ଅନ୍ୟାନ୍ୟ ଶାରୀରିକ ଅଭ୍ୟାସ କରୁଛନ୍ତି । ସବୁକିଛି ଠିକ୍ଠାକ୍ ରହିଲେ ଆସନ୍ତାମାସରେ ଘରୋଇ ପରିବେଶରେ ଖେଳାଯିବାକୁ ଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୬ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର ଶୃଙ୍ଖଳାରେ ଭାରତୀୟ ଦଳକୁ ସେ ଫେରିବାର ଯଥେଷ୍ଟ ସମ୍ଭାବନା ରହିଛି । ୱେଷ୍ଟଇଣ୍ଡିଜ୍ ବିପକ୍ଷ ଘରୋଇ ଶୃଙ୍ଖଳା ଫେବ୍ରୁଆରି ୬ରୁ ଆରମ୍ଭ ହେବାର ଅଛି । ଏହି ଗସ୍ତରେ ୱେଷ୍ଟଇଣ୍ଡିଜ୍ ତିନିଟି ଲେଖାଏଁ ଦିନିକିଆ ଏବଂ ଟି-୨୦ ମ୍ୟାଚ୍ ଖେଳିବ । ଦିନିକିଆ ଶୃଙ୍ଖଳା ଫେବ୍ରୁଆରି ୬ରୁ ୧୨ ଏବଂ ଟିି-୨୦ ଶୃଙ୍ଖଳା ଫେବ୍ରୁଆରି ୧୫ରୁ ୨୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବ ।
ଭାରତର ସୀମିତ ଓଭର କ୍ରିକେଟ୍ ଦଳର ଅଧିନାୟକ ରୋହିତ ଶର୍ମା ହାମଷ୍ଟ୍ରିଙ୍ଗ ଜନିତ ସମସ୍ୟାରୁ ଶୀଘ୍ର ସୁସ୍ଥଲାଭ କରୁଛନ୍ତି । ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ଛଅ ମ୍ୟାଚ୍ ବିଶିଷ୍ଟ ସୀମିତ ଓଭର କ୍ରିକେଟ୍ ସିରିଜ୍ରେ ପଡିଆକୁ ପ୍ରତ୍ୟାବର୍ତନ କରିବାକୁ ତାଙ୍କ ପାଖରେ ଭଲ ସୁଯୋଗ ରହିଛି । ରୋହିତଙ୍କୁ ଦକ୍ଷିଣ ଆଫ୍ରିକା ଗସ୍ତ ପୂର୍ବରୁ ଟେଷ୍ଟ ଦଳର ଉପ ଅଧିନାୟକ କରାଯାଇଥିଲା । ମାତ୍ର ଗସ୍ତ ପୂର୍ବରୁ ଅଭ୍ୟାସ୍ ସମୟରେ ତାଙ୍କ ଜଂଘମାଂସପେଶୀ ଟାଣି ଧରିଥିଲା ଏବଂ ତାଙ୍କୁ ଦଳରୁ ବାହାରିବାକୁ ପଡିଥିଲା । ସଂପୂର୍ଣ୍ଣ ଫିଟନେସ୍ ହାସଲ କରିନପାରିବା କାରଣରୁ ରୋହିତ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ୍ରୁ ମଧ୍ୟ ବାଦ୍ ପଡିଛନ୍ତି ।
ବିସିସିଆଇ ସୂତ୍ର ଅନୁଯାୟୀ, ଜାତୀୟ କ୍ରିକେଟ୍ ଏକାଡେମୀ (ଏନସିଏ)ରେ ରୋହିତଙ୍କ ରିହାବିଲିଟେସନ ବହୁତ ଭଲ ଚାଲିଛି । ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ୍ ପୂର୍ବରୁ ସେ ସୁସ୍ଥ ହୋଇଯିବାର ଆଶା କରାଯାଉଛି । ଅହମ୍ମଦାବାଦରେ ଫେବୃଆରୀ ୬ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଦିନିକିଆକୁ ତିନି ସପ୍ତାହ ସମୟ ରହିଛି । ଦୁଇ ଦଳ ମଧ୍ୟରେ ତିନୋଟି ଦିନିକିଆ ଏବଂ ତିନୋଟି ଟି-୨୦ ମ୍ୟାଚ୍ ଖେଳାଯିବ । ରୋହିତ ଗତ କିଛି ସମୟ ଧରି ହାମଷ୍ଟ୍ରିଙ୍ଗ ସମସ୍ୟା ଦେଇ ଗତି କରୁଛନ୍ତି । ଏହି କାରଣରୁ ୨୦୨୦-୨୧ ଅଷ୍ଟ୍ରେଲିଆ ଗସ୍ତରେ ସୀମିତ ଓଭର ସିରିଜ୍ ପରେ ପ୍ରଥମ ଦୁଇଟି ଟେଷ୍ଟ ମ୍ୟାଚ୍ରୁ ସେ ବାଦ୍ ପଡିଥିଲେ । ବିସିସିଆଇର ବର୍ତମାନ ନିୟମ ଅନୁଯାୟୀ, ପ୍ରତ୍ୟେକ ଖେଳାଳିଙ୍କୁ ପ୍ରତ୍ୟାବର୍ତନ କରିବାକୁ ହେଲେ ପ୍ରଥମେ ଏନସିଏରେ ବାଧ୍ୟତାମୂଳକ ଫିଟନେସ୍ ଟେଷ୍ଟ ସାର୍ଟିଫିକେଟ୍ ହାସଲ କରିବାକୁ ପଡିବ ।
