ସାମ୍ବାଦିକଙ୍କୁ ସାଲ୍ୟୁଟ କଲେ ରୋହିତ ଶର୍ମା
ଲର୍ଡସ୍ : କ୍ରିକେଟର ରୋହିତ ଶର୍ମାଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯେଉଁଥିରେ ସେ ରିପୋର୍ଟରଙ୍କୁ ତାଙ୍କର ପ୍ରଶ୍ନ ଲାଗି ସାଲ୍ୟୁଟ କରୁଥିବାର ଦେଖା ଯାଉଛି। ଲର୍ଡସ୍ ଟେଷ୍ଟମ୍ୟାଚ୍ ଅବସରରେ ରୋହିତ ଏହି ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରିଥିଲେ। ଏହି ସାମ୍ବାଦିକ ସମ୍ମିଳନୀ କାଳରେ ରିପୋର୍ଟର ତାଙ୍କୁ ପଚାରିଥିବା ଏକ ପ୍ରଶ୍ନରେ ରୋହିତ ଏତେ ବିହ୍ୱଳିତ ହୋଇପଡିଥିଲେ ଯେ ସାମ୍ବାଦିକଙ୍କୁ ସାଲ୍ୟୁଟ୍ କରିଥିଲେ।
ଇଂଲଣ୍ଡ ବିରୋଧରେ ଲର୍ଡସରେ ଖେଳା ଯାଉଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ରେ ରୋହିତଙ୍କ ପ୍ରଦର୍ଶନ ବେଶ ଉଲ୍ଲେଖନୀୟ ରହିଛି। ସେ ୧୪୫ଟି ବଲ ଖେଳି ୧୧ଟି ଚୌକା ଓ ଗୋଟିଏ ଛକ୍କା ବଳରେ ସେ ୮୩ ରନ୍ ସଂଗ୍ରହ କରିଛନ୍ତି। ଏଠାରେ ସେ ମାତ୍ର ୧୭ ରନ୍ ରେ ଶତକରୁ ବଞ୍ଚିତ ହୋଇଛନ୍ତି। ଯଦି ସେ ଶତକ ହାସଲ କରିଥାନ୍ତେ ତେବେ ବିଦେଶ ମାଟିରେ ଏହା ତାଙ୍କର ପ୍ରଥମ ଟେଷ୍ଟ ଶତକ ହୋଇଥାନ୍ତା। ଏଠାରେ କେ.ଏଲ.ରାହୁଲଙ୍କ ୱିକେଟ୍ ଯୋଡିରେ ରୋହିତ ୧୨୬ ରନ୍ର ବଡ଼ ସ୍କୋର କରିପାରିଛନ୍ତି। ତେବେ ଏହି ମ୍ୟାଚ୍ରେ ରାହୁଲ ଶତକ ସହ ଏବେବି କ୍ରିଜରେ ଅଛନ୍ତି। ପ୍ରଥମ ଦିନ ଖେଳ ଶେଷ ହେବା ପରେ ରୋହିତ ଶର୍ମା ଭର୍ଚୁଆଲ ପ୍ରେସ୍ କନଫରେନ୍ସରେ ଯୋଗ ଦେଇଥିଲେ। ଏହି ଅବସରରେ ଜନୈକ ସାମ୍ବାଦିକ ଯଦି ଭାରତୀୟ ଟିମ୍ ଅଗଷ୍ଟ ୧୫ ତାରିଖ ଦିନ ଏହି ଟେଷ୍ଟ ମ୍ୟାଚ୍ରେ ବିଜୟୀ ହୁଏ ତେବେ ଏହାକୁ ପାଳନ କରିବା ଲାଗି ବେଶ୍ ଅବସର ପାଇବ ବୋଲି କହିଥିଲେ। ଏଥିରେ ରୋହିତ ସମ୍ପୃକ୍ତ ସାମ୍ବାଦିକଙ୍କୁ ସାଲ୍ୟୁଟ ସାର୍.. ଯଦି ଏପରି ହୁଅନ୍ତା ତେବେ ବାସ୍ତବିକ ଏହା ଆମ ଲାଗି ବହୁତ ବଡ଼ କଥା ହୁଅନ୍ତା ବୋଲି କହିଥିଲେ। ଉଲ୍ଲେଖ ଯୋଗ୍ୟଯେ ଭାରତୀୟ ଟିମ୍ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ୩ ୱିକେଟ୍ ବିନିମୟରେ ୨୭୬ ରନ୍ ସଂଗ୍ରହ କରିଛି। କେ.ଏଲ.ରାହୁଲ ୧୨୭ ରନ୍ କରି କ୍ରିଜ୍ରେ ଥିବା ବେଳେ ଆଜିଙ୍କ୍ୟ ରାହାଣେ ଖାତା ଖୋଲିଛନ୍ତି। ଏଥିରେ ଯଦି ଦ୍ୱିତୀୟ ଦିନ ଖେଳରେ ଭାରତୀୟ ଦଳ ବଡ଼ ସ୍କୋର କରିବାକୁ ସକ୍ଷମ ହୁଏ ତେବେ ବିଜୟ ରାସ୍ତା ବେଶ ସୁଗମ ହୋଇପାରିବ। ଏହା ଛଡା ଲର୍ଡସ ଗ୍ରାଉଣ୍ଡରେ ବିଜୟ ବାସ୍ତବିକ ଭାରତୀୟ ଟିମ୍ ପାଇଁ ସବୁଠୁ ବଡ଼ ଉପଲବ୍ଧି ମଧ୍ୟ ହେବ।
