ରୋହିତ ଶର୍ମା ଭାରତୀୟ ଟେଷ୍ଟ ଅଧିନାୟକ ନିଯୁକ୍ତ
ମୁମ୍ବାଇ : ଆସନ୍ତା ଶ୍ରୀଲଙ୍କା ବିପକ୍ଷ ସିରିଜ ପାଇଁ ରୋହିତ ଶର୍ମାଙ୍କୁ ଭାରତୀୟ ଟେଷ୍ଟ କ୍ରିକେଟ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି । ଗତ ମାସରେ ବିରାଟ କୋହଲି ଟେଷ୍ଟ ଦଳର ଅଧିନାୟକ ପଦ ଛାଡ଼ିବା ପରେ ରୋହିତଙ୍କୁ ଏହି ଦାୟିତ୍ୱ ମିଳିବା ଏକରକମ ନିଶ୍ଚିତ ମନେକରାଯାଉଥିଲା । ରୋହିତଙ୍କୁ ପୂର୍ବରୁ ହିଁ ଭାରତୀୟ ଦିନିକିଆ ଓ ଟି-୨୦ ଦଳର ଅଧିନାୟକ ନିଯୁକ୍ତ କରାଯାଇସାରିଛି । ଚଳିତ ୱେଷ୍ଟଇଣ୍ଡିଜ ବିପକ୍ଷ ସିରଜରେ ସେ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି ।
ଶନିବାର ବିସିସିଆଇ ପକ୍ଷରୁ ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ ଘୋଷଣା କରାଯାଇଛି । ଭାରତୀୟ ଟେଷ୍ଟ ଦଳରୁ ଅଜିଙ୍କ୍ୟ ରାହାଣେ, ଚେତେଶ୍ୱର ପୂଜାରା, ଋଦ୍ଧିମାନ ଶାହା ଓ ଇଶାନ୍ତ ଶର୍ମାଙ୍କୁ ବାଦ ଦିଆଯାଇଛି । ଋଦ୍ଧିମାନଙ୍କ ସ୍ଥାନରେ କେଏସ ଭରତଙ୍କୁ ବିକଳ୍ପ ୱିକେଟ୍ କିପର ବ୍ୟାଟ୍ସମ୍ୟାନ ଭାବେ ନିଆଯାଇଛି । ସେହିପରି ସ୍ପିନର ସୌରଭ କୁମାରଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଦଳରେ ସାମିଲ କରାଯାଇଛି । ଦ୍ରୁତ ବୋଲର ଯଶପ୍ରିତ ବୁମରାଙ୍କୁ ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ନିଯୁକ୍ତ କରାଯାଇଛି । ଆହତ ଜନିତ କାରଣରୁ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜରେ ଖେଳୁନଥିବା ରବୀନ୍ଦ୍ର ଜାଦେଜା ଦଳକୁ ପ୍ରତ୍ୟାବର୍ତନ କରିଛନ୍ତି । ତେବେ ସ୍ପିନର ଆର.ଅଶ୍ୱୀନ ଫିଟନେସ ଫିଟନେସ ଟେଷ୍ଟ ପାଶ କରିବା ପରେ ହିଁ ଦଳକୁ ଫେରିପାରିବେ ।
ଗତ ୧୨ ମାସ ରାହାଣେଙ୍କ ପାଇଁ ବହୁତ ଆହ୍ୱାନପୂର୍ଣ୍ଣ ସମୟ ଥିଲା । ୨୦୨୧ରେ ୩୩ ବର୍ଷୀୟ ରାହାଣେ ୧୩ଟି ଟେଷ୍ଟରେ ୨୦.୮୩ ହାରରେ ମାତ୍ର ୪୭୯ ରନ କରିଥିଲେ । ଫଳରେ ତାଙ୍କୁ ଟେଷ୍ଟ ଦଳର ଉପ ଅଧିନାୟକ ପଦରୁ ହଟାଯାଇଥିଲା । ଏବେ ଟେଷ୍ଟ ଦଳରୁ ତାଙ୍କୁ ଛୁଟି ଦିଆଯାଇଛି । ସେହି ପରି ପୂଜାରା ଗତ ବର୍ଷ ୧୪ଟି ଟେଷ୍ଟରେ ୨୮.୦୮ ହାରରେ ୭୦୨ ରନ କରିଥିଲେ । ଏହି ସମୟରେ ସେ ଛଅଟି ଅର୍ଦ୍ଧଶତକ ହାସଲ କରିଥିଲେ ହେଁ ଷ୍ଟ୍ରାଇକ ରେଟ୍ ୩୪.୧୭ ରହିଥିଲା । ଖରାପ ଷ୍ଟ୍ରାଇକ୍ ରେଟ୍ କାରଣରୁ ତାଙ୍କୁ ଅନେକ ଥର ସମାଲୋଚନାର ଶିକାର ହେବାକୁ ପଡିଛି । ସେହି ପରି ଇଶାନ୍ତ ଶର୍ମାଙ୍କ ଫର୍ମ ମଧ୍ୟ ସେତେଟା ପ୍ରଭାବଶାଳୀ ନଥିଲା । ସେ ଫିଟନେସ୍ ସମସ୍ୟା ଦେଇ ଗତି କରୁଥିଲେ । ଅପରପକ୍ଷେ ଋଦ୍ଧିମାନ ଶାହଙ୍କ ବୟସକୁ ଦେଖି ବିସିସିଆଇ କେଏସ ଭରତଙ୍କୁ ଦଳରେ ସାମିଲ୍ କରିବାକୁ ନିଷ୍ପତି ନେଇଛି ।
ଶ୍ରୀଲଙ୍କା ବିପକ୍ଷ ଆଗାମୀ ଟି-୨୦ ଏବଂ ଟେଷ୍ଟ ସିରିଜ୍ ପାଇଁ ଭାରତୀୟ ଦଳର ଘୋଷଣା କରାଯାଇଛି । ରୋହିତ ଶର୍ମାଙ୍କୁ ଟେଷ୍ଟ ଦଳର ଅଧିନାୟକ କରାଯାଇଛି । ଅର୍ଥାତ ରୋହିତ ଶର୍ମା ବର୍ତମାନ ଟି-୨୦, ଦିନିକିଆ ଏବଂ ଟେଷ୍ଟ ତିନୋଟି ଫର୍ମାଟ୍ରେ ଦଳର ଅଧିନାୟକ ହୋଇଛନ୍ତି । ତେବେ ରୋହିତ ଶର୍ମାଙ୍କୁ କଣ ପୂର୍ଣ୍ଣକାଳୀନ ଟେଷ୍ଟ ଦଳର ଅଧିନାୟକ କରାଯାଇଛି ନା କେବଳ ଏହି ସିରିଜ୍ ପାଇଁ ଦାୟିତ୍ୱ ଦିଆଯାଇଛି । ଏହାର ଉତରରେ ମୁଖ୍ୟ ଚୟନକର୍ତା ଚେତନ ଶର୍ମା କହିଛନ୍ତି, ଯେ ପର୍ଯ୍ୟନ୍ତ ରୋହିତ ଶର୍ମା ଉପଲବ୍ଧ ଅଛନ୍ତି, ଅନ୍ୟ କୌଣସି ଦ୍ୱିତୀୟ ବିକଳ୍ପର ଆବଶ୍ୟକତା ନାହିଁ । ମେଡିକାଲ ଷ୍ଟାଫ କିମ୍ବା ଚୟନକର୍ତା ରୋହିତଙ୍କୁ ବିଶ୍ରାମ ନେବାର ଆବଶ୍ୟକତା ଥିବା ନକହିବା ପର୍ଯ୍ୟନ୍ତ ସେ ଦଳର ନେତୃତ୍ୱ ନେବେ । ଚେତନ ଶର୍ମା କହିଛନ୍ତି, ରୋହିତ ଶର୍ମା ହେଉଛନ୍ତି ଦେଶର ନମ୍ବର ୱାନ ଖେଳାଳି । ସେ ତିନି ଫର୍ମାଟ୍ ଖେଳୁଛନ୍ତି । ରୋହିତ ଶର୍ମାଙ୍କୁ କେମିତି ପରିଚାଳନା କରାଯିବା ଆମକୁ ଏହା ଦେଖିବାକୁ ପଡିବ । ଆବଶ୍ୟକତା ଅନୁଯାୟୀ ତାଙ୍କୁ ବିଶ୍ରାମ ଦିଆଯିବ । ଯଦି ଏତେ ବଡ ଅନୁଭବୀ କ୍ରିକେଟ୍ର ଅଧିନାୟକ ହୁଅନ୍ତି ତେବେ ଭବିଷ୍ୟତ ପାଇଁ ମଧ୍ୟ ଦଳରେ ଲିଡର ପ୍ରସ୍ତୁତ ହେବେ । ମୁଖ୍ୟ ଚୟନକର୍ତା ସ୍ପଷ୍ଟ କରିଛନ୍ତି ଯେ, ଚୟନକର୍ତା ରୋହିତ ଶର୍ମାଙ୍କ ନେତୃତ୍ୱରେ ନୂତନ ଅଧିନାୟକ ପ୍ରସ୍ତୁତ କରିବାକୁ ଚାହାନ୍ତି । ରୋହିତ ବର୍ତମାନ ସଂପୂର୍ଣ୍ଣ ଫିଟ୍ ଅଛନ୍ତି । ଆଗାମୀ ସମୟରେ କଣ ହେବ ଏବେଠୁ ତାହା କୁହାଯାଇ ପାରିବ ନାହିଁ ବୋଲି ଚେତନ ଶର୍ମା କହିଛନ୍ତି ।
ଭାରତୀୟ ଟେଷ୍ଟ ଦଳ : ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପାଂଚଲ, ବିରାଟ କୋହଲି, ଶ୍ରେୟସ ଆୟର, ହନୁମା ବିହାରୀ, ଶୁଭମନ ଗିଲ, ଋଷଭ ପନ୍ତ, କେ.ଏସ୍ ଭରତ, ଆର. ଅଶ୍ୱିନ୍ (ଫିଟନେସ୍ ପାଶ କଲେ), ରବୀନ୍ଦ୍ର ଜାଡେଜା, ଜୟନ୍ତ ଯାଦବ, କୁଲଦୀପ ଯାଦବ, ଯଶପ୍ରୀତ ବୁମରା (ଉପ ଅଧିନାୟକ) , ମହମ୍ମଦ ସମି, ମହମ୍ମଦ ସିରାଜ, ଉମେଶ ଯାଦବ, ସୌରଭ କୁମାର ।
ଭାରତୀୟ ଟି-୨୦ ଦଳ : ରୋହିତ ଶର୍ମା, ଋତୁରାଜ ଗାଇକ୍ୱାଡ, ଇଶାନ କିଷନ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର, ଭେଙ୍କଟେଶ ଆୟର, ଦୀପକ ହୁଡା, ଯଶପ୍ରୀତ ବୁମରା, ଭୁବନେଶ୍ୱର କୁମାର, ଦୀପକ ଚହର, ହର୍ଷଲ ପଟେଲ, ମହମ୍ମଦ ସିରାଜ, ସଂଜୁ ସାମସନ, କୁଲଦୀପ ଯାଦବ, ଆଭେଶ ଖାଁ ।
