ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଥର ଶୂନରେ ଆଉଟ୍ ହୋଇଥିବା ଖେଳାଳି ରୋହିତ
ନୂଆଦିଲ୍ଲୀ : ଆଇପିଏଲ୍ ଇତିହାସରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ଜାରି ରହିଛି । ୫ ଥରର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଏହି ସିଜିନରେ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ମ୍ୟାଚ୍ ଜିତି ନାହିଁ । ଦଳ ୭ଟି ମ୍ୟାଚରୁ ୭ଟିରେ ପରାଜୟର ମୁହଁ ଦେଖି ସାରିଛି । ଦଳ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିବା ସହ ପ୍ଲେଅଫ୍ ଦୌଡରୁ ବାଦ୍ ପଡିଛି । କାଗଜ କଲମରେ ମୁମ୍ବାଇର ବ୍ୟାଟିଂ ବେଶ ଶକ୍ତିଶାଳୀ ଲାଗୁଥିଲେ ମଧ୍ୟ ଦଳ ଏ ପର୍ଯ୍ୟନ୍ତ ଆଶାନୁରୂପ ପ୍ରଦର୍ଶନ କରି ପାରି ନାହିଁ । ମୁମ୍ବାଇ ପାଇଁ ବ୍ୟାଟିଂ ଅପେକ୍ଷା ବୋଲିଂକୁ ନେଇ ଅଧିକ ଚିନ୍ତିତ ରହିଛି । ଯଶପ୍ରୀତ ବୁମରାଙ୍କୁ ବାଦ୍ ଦେଲେ ଅନ୍ୟ କୌଣସି ବୋଲର ଭଲ ପ୍ରଦର୍ଶନ କରି ପାରି ନାହାନ୍ତି । ସେହିପରି ମୁମ୍ବାଇ ଅଧିନାୟକ ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଛନ୍ତି । ତାଙ୍କ ବ୍ୟାଟ୍ରୁ ଆଉ ଆଗଭଳି ରନ୍ ବାହାରୁ ନାହିଁ । ଯାହାକୁ ନେଇ ଚିନ୍ତାରେ ପୁରା ଟିମ୍ ।
ଏପରିକି ଗୁରୁବାର ଖେଳାଯାଇଥିବା ଚେନ୍ନାଇ ବିପକ୍ଷ ମୁକାବିଲାରେ ରୋହିତ ଖାତା ଖୋଲି ନପାରି ଆଉଟ୍ ହୋଇଥିଲେ । ଫଳରେ ଆଇପିଏଲ ଇତିହାସରେ ସବୁଠାରୁ ଅଧିକ ଥର ଶୂନରେ ଆଉଟ୍ ହୋଇଥିବା ଖେଳାଳି ହୋଇଯାଇଛନ୍ତି ରୋହିତ । ତାଙ୍କୁ ଗୁରୁବାର ମୁକେଶ ଚୌଧରୀ ଆଉଟ୍ କରିଥିଲେ । ବଡ ସଟ୍ ଖେଳିବାକୁ ଯାଇ ହିଟମ୍ୟାନ୍ କ୍ୟାଚ୍ ଆଉଟ୍ ହୋଇଥିଲେ । ଆଇପିଏଲ ଇତିହାସରେ ରୋହିତ ସର୍ବାଧିକ ୧୪ ଥର ବିନା କୌଣସି ରନରେ ଆଉଟ୍ ହୋଇଛନ୍ତି । ଯାହା ଏକ ରେକର୍ଡ । ଏହାପରେ ପିୟୁଷ ଚାଓ୍ୱଲାଙ୍କ ନମ୍ବର ଆସିଥାଏ । ସେ ୧୩ ଥର ଶୂନରେ ଆଉଟ୍ ହୋଇଥିଲେ । ଅନ୍ୟମାନଙ୍କ ମଧ୍ୟରେ, ହରଭଜନ ସିଂ ୧୩ ଥର, ମନ୍ଦୀପ ସିଂ ୧୩ ଥର, ପାର୍ଥିବ ପଟେଲ ୧୩ ଓ ଅମ୍ବତି ରାୟଡୁ ମଧ୍ୟ ୧୩ ଥର ଶୂନରେ ଆଉଟ୍ ହୋଇଛନ୍ତି । ସୂଚନା ଯେ, ପୁରା ସିଜିନରେ ରୋହିତ ଖରାପ ପ୍ରଦର୍ଶନ କରିଛନ୍ତି । ଏବେସୁଦ୍ଧା ସେ ୭ଟି ପାଳିରୁ ମାତ୍ର ୧୧୪ ରନ୍ କରିଛନ୍ତି । ରୋହିତଙ୍କର ସର୍ବାଧିକ ସ୍କୋର ରହିଛି ୪୧ । ଏହା ସେ ପ୍ରଥମ ମ୍ୟାଚରେ କରିଥିଲେ । ତା ପରଠୁ ହିଟମ୍ୟାନ୍ ଲଗାତର ଭାବେ ଫ୍ଲପ୍ ହେଉଛନ୍ତି ।
