ପ୍ରତିଶୋଧ ନେଲା ରୋହିତ ବାହିନୀ : ୫ ଉଇକେଟରେ ନ୍ୟୁଜିଲ୍ୟାଣ୍ଡକୁ ହରାଇଲା ଭାରତ
ଜୟପୁର : ଭାରତ ଏବଂ ନ୍ୟୁଜିଲାଣ୍ଡ ବିପକ୍ଷରେ ଟି-୨୦ ସିରିଜର ପ୍ରଥମ ମ୍ୟାଚ ଜୟପୁରରେ ଖେଳ ଯାଇଛି । ଏଥିରେ ବିଶ୍ୱକପ ପରାଜୟର ପ୍ରତିଶୋଧ ନେଲା ରୋହିତ ବାହିନୀ । ପ୍ରଥମ ଟି-୨୦ରେ ୫ ଉଇକେଟରେ ଜିତିଲା ଭାରତ । ପ୍ରଥମ ଟି-୨୦ରେ ଚମକିଛନ୍ତି ଭାରତୀୟ ବ୍ୟାଟସମ୍ୟାନ। ପ୍ରଥମ ଟି-୨୦ ମ୍ୟାଚ୍ରେ ସୂର୍ଯ୍ୟକୁମାର ଯାଦବଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନ୍ୟୁଜିଲାଣ୍ଡକୁ ରୋମାଞ୍ଚକର ମ୍ୟାଚ୍ରେ ୬ ଓ୍ଵିକେଟ୍ରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍ରେ ୧-୦ରେ ଅଗ୍ରଣୀ ହାସଲ କରିଛି। ଫଳରେ ଉଭୟ ରୋହିତ ଶର୍ମାଙ୍କ ନେତୃତ୍ୱ ଓ ମୁଖ୍ୟ କୋଚ୍ ରାହୁଲ ଦ୍ରାବିଡଙ୍କ ମାର୍ଗଦର୍ଶନରେ ଭାରତ ବିଜୟ ହାସଲ କରିଛି ।
ସୱାଇ ମାନସିଂହ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚରେ ଭାରତର ନବ ନିଯୁକ୍ତ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରର ତୃତୀୟ ବଲରେ ଭୁବନେଶ୍ୱର କୁମାର ନ୍ୟୁଜିଲ୍ୟାଣ୍ଡର ଇନଫର୍ମ ଓପ୍ନର ଡାରିଏଲ୍ ମିଚେଲ (୦)ଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ପ୍ରାରମ୍ଭିକ ସଫଳତା ଦେଇଥିଲେ। ଏହା ପରେ ଗପ୍ଟିଲଙ୍କ ସାଥ୍ ଦେବାକୁ ଆସିଥିଲେ ମାର୍କ ଚାପମ୍ୟାନ୍। ଦୁହେଁ ଦୃଢ଼ତାର ସହ ଭାରତୀୟ ବୋଲିଂ ଆଟାକକୁ ସାମ୍ନା କରିଥିଲେ। ଗପ୍ଟିଲ ଓ ଚାପମ୍ୟାନ୍ ଦ୍ୱିତୀୟ ୱିକେଟ୍ ପାଇଁ ୧୦୯ ରନର ଶତକୀୟ ଭାଗିଦାରୀ କରି ନ୍ୟୁଜିଲ୍ୟାଣ୍ଡକୁ ବଡ଼ ସ୍କୋର ଅଭିମୁଖେ ନେଇଥିଲେ। ଚାପମ୍ୟାନ୍ ୪୫ ବଲରେ ଓ ଗପ୍ଟିଲ ୩୧ ବଲରେ ନିଜ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ। ଏହି ସେଟ୍ ଯୋଡ଼ିବାକୁ ଭାଙ୍ଗିଲେ ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ୍। ଚାପମ୍ୟାନ୍ ୬୩ (୫୦ ବଲ୍, ୬ ଚୌକା, ୨ ଛକା) ରନ କରି ଅଶ୍ୱିନଙ୍କ ବଲରେ ବୋଲ୍ଡ ହୋଇଥିଲେ। ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଗ୍ଲେନ୍ ଫିଲିପ୍ସ ମାତ୍ର ୩ ବଲର ସାମ୍ନା କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ମଧ୍ୟ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ଗପ୍ଟିଲ ଦ୍ରୁତ ରନ୍ କରି ଦଳକୁ ମଜଭୁତ୍ ସ୍କୋର ଆଡ଼କୁ ନେଇଥିଲେ। କିନ୍ତୁ ଅଷ୍ଟାଦଶ ଓଭରରେ ଦୀପକ ଚହର ତାଙ୍କୁ ଆଉଟ୍ କରି ଭାରତକୁ ନିର୍ଣ୍ଣାୟକ ବ୍ରେକଥ୍ରୁ ଦେଇଥିଲେ। ଗପ୍ଟିଲ ୪୨ ବଲର ସାମ୍ନା କରି ୭୨ ରନ୍ କରିଥିଲେ, ଯେଉଁଥିରେ ୩ ଚୌକା ଓ ୪ ଛକା ସାମିଲ୍ ଥିଲା। ତାଙ୍କ ଆଉଟ୍ ପରେ ଭ୍ରମଣକାରୀ ଦଳର ରନ୍ ଗତି ହ୍ରାସ ପାଇଥିଲା। ଯେଉଁ କାରଣରୁ କିୱି ଟିମ୍ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ନ୍ୟୁଜିଲ୍ୟାଣ୍ଡ ଶେଷ ୧୬ ବଲରେ ମାତ୍ର ୧୧ ରନ୍ କରିଥିଲା। ଟିମ୍ ସିଫର୍ଟ ୧୨ ଓ ରଚିନ୍ ରବୀନ୍ଦ୍ର ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ମିଚେଲ୍ ସାଣ୍ଟନର୍ ୪ ରନ୍ କରି ଅପରାଜିତ ଥିଲେ। ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ଓ ଅଶ୍ୱିନ୍ ୨ଟି ଲେଖାଏ ୱିକେଟ୍ ନେଇଥିଲେ। ଭାରତ ପକ୍ଷରୁ ଭୁବନେଶ୍ବର କୁମାର ୪ ଓଭରରେ ୨୪ ରନଦେଇ ୧ ଓ୍ବିକେଟ ନେଇଥିବା ବେଳେ, ରବିଚନ୍ଦ୍ରନ ଅଶ୍ବିନ ୪ ଓଭରରେ ୨୩ ରନ ୨ ଓ୍ବିକେଟ, ଅକ୍ଷର ପଟେଲ ୪ ଓଭରରେ ୩୧ରନ, ଦୀପକ ଚହର ୪ ଓଭରରେ ୪୨ରନ ୧ ଓ୍ବିକେଟ ଏବଂ ମହମ୍ମଦ ସିରାଜ ୪ ଓଭରରେ ୩୯ ରନ ଦେଇ ୧ ଓ୍ବିକେଟ ନେଇଛନ୍ତି ।
ଟି-୨୦ ଫର୍ମାଟରୁ ସିରିଜ୍ ଆରମ୍ଭ ହୋଇଥିବା ବେଳେ ଘରୋଇ ଟିମ୍ ବିଜୟରୁ ଅଭିଯାନ ଆରମ୍ଭ କରିଛି। ପ୍ରଥମ ଥର ପାଇଁ ରୋହିତ ଶର୍ମା ବିଧିବଦ୍ଧ ଅଧିନାୟକ ଦାୟିତ୍ବ ତୁଲାଇଥିବା ବେଳେ ମୁଖ୍ୟ କୋଚ୍ ଭାବେ ଟିମ୍ ଇଣ୍ଡିଆ ପକ୍ଷରୁ ରାହୁଲ୍ ଦ୍ରାବିଡ ଡେବ୍ୟୁ କରିଛନ୍ତି। ଏହି ମ୍ୟାଚରେ ରୋହିତ ଓ ଦ୍ରାବିଡ ଯୋଡ଼ି ବିଜୟ ସହ ସେମାନଙ୍କ କ୍ୟାରିୟରର ଏକ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ଆରମ୍ଭ କରିଛନ୍ତି। ଭାରତର ଦୁଇ ଓପନର ଲୋକେଶ ରାହୁଲ୍ ଓ ଅଧିନାୟକ ରୋହିତ ୫୦ ରନ୍ ଯୋଡ଼ିଥିଲେ। ରାହୁଲ୍ ଗୋଟିଏ ଲେଖାଏଁ ଚୌକା ଓ ଛକା ସହ ୧୫ ରନ୍ କରି ଆଉଟ୍ ହେବା ପରେ ରୋହିତଙ୍କ ସହ ମିଶି ସୂର୍ଯ୍ୟକୁମାର ଯାଦବ ୫୯ ରନ୍ ଯୋଡ଼ି ଭାରତକୁ ବିଜୟ ନିକଟତର କରାଇଥିଲେ। ରୋହିତ ୫ଟି ଚୌକା ଓ ୨ଟି ଛକା ସହ ୪୮ ରନ୍ କରି ଆଉଟ୍ ହେବା ପରେ ସୂର୍ଯ୍ୟକୁମାର ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ସେ ମାତ୍ର ୪୦ଟି ବଲ୍ ଖେଳି ୬ଟି ଚୌକା ଓ ୩ଟି ଛକା ମାଧ୍ୟମରେ ୬୨ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ଦଳ ଶେ୍ରୟସ୍ ଆୟର୍ (୫) ଓ ଡେବ୍ୟୁଟାଣ୍ଟ୍ ଭେଙ୍କଟେଶ ଆୟର୍ (୪)ଙ୍କ ୱିକେଟ୍ ହରାଇବା ଫଳରେ ନ୍ୟୁଜିଲାଣ୍ଡ୍ ମ୍ୟାଚକୁ ଫେରିବା ନେଇ ଆଶାବାଦୀ ହୋଇପଡ଼ିଥିଲା। କିନ୍ତୁ ଋଷଭ ପନ୍ତ୍ ଶେଷ ଓଭରର ଦ୍ବିତୀୟ ବଲରେ ଚୌକା ଲଗାଇ ଦଳୀୟ ସ୍କୋରକୁ ୧୬୬/୫ରେ ପହଞ୍ଚାଇଥିଲେ। ସେ ୨ଟି ଚୌକା ସହ ୧୭ ରନ୍ କରି ଅପରାଜିତ ରହିଥିବା ବେଳେ ଏହି ବିଜୟ ସହ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ନ୍ୟୁଜିଲାଣ୍ଡ୍ ପକ୍ଷରୁ ଟ୍ରେଣ୍ଟ୍ ବୋଲ୍ଟ ୨ଟି ୱିକେଟ୍ ନେଇଥିଲେ। ସୂର୍ଯ୍ୟକୁମାର ଯାଦବ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ବିବେଚିତ ହୋଇଥିବା ବେଳେ ସିରିଜର ଦ୍ବିତୀୟ ମ୍ୟାଚ୍ ଶୁକ୍ରବାର ରାଞ୍ଚିଠାରେ ଖେଳାଯିବ।
