ଫାଇନାନ୍ସ କମ୍ପାନୀରୁ ଡକାୟତି, ଜଣେ ଗିରଫ
କଟକ : ଜଗତପୁରସ୍ଥିତ ଏକ ପାଇନାନ୍ସ କମ୍ପାନୀରୁ ଡକାୟତି କରିବା ଅଭିଯୋଗରେ ଜଗତପୁର ଥାନା ପୋଲିସ ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ତା’ ନିକଟରୁ ୮ ହଜାର ଟଙ୍କା ଜବତ କରିଛି । ଗିରଫ ଅଭିଯୁକ୍ତ ଜଣକ ସ୍ଥାନୀୟ ପଦ୍ମପୁର ମୁତରିଫାର ସେକ ମୁସ୍ତାକ(୩୮) । ପୋଲିସ ପ୍ରଦତ୍ତ ସୂଚନା ଅନୁଯାୟୀ, ଗତ ରବିବାର ଛୁଟି ଥିବା ବେଳେ ଦିନ ପ୍ରାୟ ସାଢେ ୨ଟା ସମୟରେ ଇଣ୍ଡେଲ ମନି ଲିମିଟେଡ୍(ସୁନା ଋଣ) କମ୍ପାନୀ ତାଲା ଭାଙ୍ଗି ଲକର ମଧ୍ୟକୁ କେହି ଦୁର୍ବୃତ୍ତ ପ୍ରବେଶ କରୁଥିବାର ସିକ୍ୟୁରିଟି ସିଷ୍ଟମ୍ ବିଭାଗରୁ ଏହାର ଶାଖା ପରିଚାଳନା ବିଭୂପ୍ରସାଦ ନିଶାଙ୍କଙ୍କୁ ସୂଚନା ମିଳିଥିଲା । ଶ୍ରୀ ନିଶାଙ୍କ ତୁରନ୍ତ ସହକାରୀ ଶାଖା ପରିଚାଳକଙ୍କ ସହ ଥାନାକୁ ଆସି ଅଭିଯୋଗ କରିଥିଲେ । ପୋଲିସ ସଦଳବଳେ ଘଟଣାସ୍ଥଳରେ ପହଂଚିବା ସମୟରେ ମୁସ୍ତାକ ଲକର ଭାଙ୍ଗିବାକୁ ଚେଷ୍ଟା କରୁଥିଲା । ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେ ତା’ର ଅପରାଧ ସ୍ୱୀକାର କରିଥିଲା ଓ ଶାଖା ପରିଚାଳକଙ୍କ ଟେବୁଲ ଡ୍ରୟରରୁ ୮ ହଜାର ଟଙ୍କା ନେଇଥିବା ସ୍ୱୀକାର କରିଥିଲା । ପୋଲିସ ଅଭିଯୁକ୍ତଠାରୁ ଲୁଟ୍ ଟଙ୍କା, କଟାଯାଇଥିବା ୭ଟି ପିତ୍ତଳ ତାଲା ଓ ସ୍କୃ ଡ୍ରାଇଭର ଜବତ କରିଛି । ଅଭିଯୁକ୍ତ କମ୍ପାନୀ ଥିବା ବିକେ କମ୍ପେ୍ଲକ୍ସରୁ ଡିଜିଟାଲ କ୍ୟାମେରା ଭାଙ୍ଗିବା ସହ ଏକ ଡିଭିଆର ମେସିନକୁ ଚୋରି କରିନେଇଥିବା ନେଇ ପ୍ରଦ୍ୟୁମ୍ନ ମୁଦୁଲି ଅଭିଯୋଗ କରିଥିଲେ । ଉଭୟ ଘଟଣାରେ ଅଭିଯୁକ୍ତକୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି ।
