ବିଦେଶୀ ମୁଦ୍ରା ଦେଖାଇ ଲୁଗା ଦୋକାନୀଙ୍କ ଠାରୁ ଲୁଟ
ସୋର : ସୋର କଲେଜ ଛକ ନିକଟସ୍ଥ ଜଣେ ଲୁଗା ଦୋକାନୀଙ୍କଠାରୁ ବିଦେଶୀ ମୁଦ୍ରା ଦେଖାଇ ଟଙ୍କା ଲୁଟ ହୋଇଥିବା ସିସିଟିଭିରେ ଚୋରି ସମୟର ଦୃଶ୍ୟ କଏଦ ହୋଇଛି । ଅଭିଯୋଗ ମୁତାବକ ଶୁଭଲଷ୍ମୀ ଫେସନର ମାଲିକ ବଳରାମ ମଳିକ ଦୋକାନରେ ଥିବା ସମୟରେ ଦୁଇଜଣ ଯୁବକ ଏକ ଗୋଲଡେନ ରଙ୍ଗର ଟୟୋଟା କାରରେ ଆସି ତାଙ୍କୁ ଷ୍ଟେଟବ୍ୟାଙ୍କର ଠିକଣା ପଚାରିବା ସହିତ ବିଦେଶୀ ମୁଦ୍ରା ଦେଖାଇଥିଲେ । ଭାରତୀୟ ମୁଦ୍ରା ବିଷୟରେ ଜାଣିବା ପାଇଁ ଅନେକ ପ୍ରଶ୍ନ ପଚାରିଥିଲେ । ଦୋକାନୀଜଣଙ୍କ ତାଙ୍କୁ ଭାରତୀୟ ମୁଦ୍ରା ଦେଖାଉଥିବା ସମୟରେ ଯୁବକଦ୍ୱୟ କେଶ କାଉଣ୍ଟରରୁ ନିଜେ ହାତ ପୂରାଇ କିଛି ଟଙ୍କା ବାହାର କରି ଦେଖିଥିଲେ । ଏହି ସମୟରେ ଚତୁରତାର ସହ ସେମାନେ କେଶ ଡ୍ରୟାରରୁ ୮ ହଜାର ଟଙ୍କା ଲୁଟି ନେଇଥିଲେ । ପରେ ବଳରାମ ଦୋକାନ ବନ୍ଦ୍ କରି ଘରକୁ ଖାଇବାକୁ ଚାଲିଯାଇଥିଲେ । ସନ୍ଧ୍ୟାରେ ବଳରାମ କେଶ ଡ୍ରୟାର ଖୋଲି ଟଙ୍କା ନ ଥିବା ଦେଖି ସନ୍ଦେହ ହୋଇଥିଲା । ପରେ ସିସିଟିଭି ଯାଞ୍ଚ କରିବା ପରେ ଉକ୍ତ ଯୁବକ ଦ୍ୱୟ ଚତୁରତାର ସହ ଟଙ୍କା ଲୁଟ କରିଥିବା ଜାଣିପାରିଥିଲେ । ଏ ବାବଦରେ ବଳରାମ ସନ୍ଧ୍ୟାରେ ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
