ରାସ୍ତାକଡ଼ରେ ମଦ ବାର ଓ ଠିପି ବନ୍ଦ ବିଦେଶୀ ମଦ ଦୋକାନ, ମଝିରେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର।ସ୍ୱାସ୍ଥ୍ୟ କେନ୍ଦ୍ରକୁ ରୋଗୀ ଯିବାକୁ ଡରୁଛନ୍ତି।ପ୍ରତିଦିନ ଦୁର୍ଘଟଣା ଘଟୁଛି।ପ୍ରଶାସନ ନିରବ।
ବାଲିଆପାଳ : ଦିନକୁ ଦିନ ବାଲିଆପାଳରେ ସବୁଠି ଦେଶୀ ବିଦେଶୀ ମଦର ବନ୍ୟା ହେଉଛି।ବାଲିଆପାଳ ବ୍ଲକର ବିଭିନ୍ନ ଗାଁ ମାନଙ୍କରେ ପାନ ଦୋକାନ ପରି ମଦଦୋକାନ ଖୋଲିଲାଣି।ସରକାରୀ ସ୍ୱୀକୃତି ପ୍ରାପ୍ତ ଯେତିକି ଅଛି ତାଠାରୁ ଶହେ ଗୁଣ ଅଧିକ ଚୋରା କାରବାର ହେଉଛି।ଏପରିକି ବାଲିଆପାଳ ମୁଖ୍ୟ ବଜାର ବାଲିଆପାଳ ଗାନ୍ଧୀ ଛକ ମୁଖ୍ୟ ରାସ୍ତାର ବ୍ଲକ ଛକ ଠାରୁ ମାତ୍ର ୧ କିଲୋମିଟରେ ରହିଛି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର।ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଦୁଇ ପଟରୁ ଘେରି ରହିଛି ଦୁଇଟି ମଦ ଦୋକାନ।ବାଲିଆପାଳ ପଟରୁ ହସ୍ପିଟାଲକୁ ଗଲା ବେଳେ ପ୍ରଥମେ ଠିପି ବନ୍ଦ ବିଦେଶୀ ମଦ ଦୋକାନ ଆଉ ପରେ ହସ୍ପିଟାଲ ରହିଛି।ହସ୍ପିଟାଲ ଠାରୁ ମାତ୍ର ୩ ଶହ ମିଟର ପରେ ଠିପି ଖୋଲା ବାର ରହିଛି।ଯାହା ଫଳରେ ପ୍ରତିଦିନ ଅପ୍ରୀତିକର ଘଟଣା ସହ ଅସାମାଜିକ ବ୍ୟକ୍ତିଙ୍କର ଚରାଭୁଇଁରେ ପରିଣତ ହୋଇଛି।ରାସ୍ତାକଡ଼ରେ ମଦ ଦୋକାନ ଓ ବାର ଥିବାରୁ ଦିନରାତି ସବୁବେଳେ ମଦୁଆଙ୍କ ଭିଡ଼ ଲାଗିଛି।ଏପରିକି ବହୁ ସମୟରେ ଏଠାରେ ଦୁର୍ଘଟଣା ମଧ୍ୟ ଘଟୁଛି।ମଦୁଆଙ୍କ ଉନ୍ମତ କାଣ୍ଡ ଦେଖିବାକୁ ମିଳୁଛି।ଏପରି ସ୍ଥଳେ ହସ୍ପିଟାଲକୁ ଆସୁଥିବା ରୋଗୀକି ରୋଗୀଙ୍କ ସମ୍ପର୍କୀୟ ମାନେ ବହୁ ସମୟରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।ବିଦେଶୀ ଠିପି ବନ୍ଦ ଦୋକାନ ପୂର୍ବରୁ ସିମୁଳିଆ ବଜାରରେ ରହିଥିଲା।ଏହି ଦୋକାନ ଏବେ ହସ୍ପିଟାଲ ପାଖକୁ ଉଠିଆସି ଥିବାରୁ ସମସ୍ୟା ଦ୍ୱିଗୁଣିତ ହୋଇଛି।ଏହି ମଦ ଦୋକାନରେ ଏପରି ହାଇମାକ୍ସ ଲାଇଟ ଲାଗିଛି ଯେ ସନ୍ଧ୍ୟା ହେଲେ ଏଠାରେ ବାହାରୁ ଆସୁଥିବା ଲୋକମାନେ ହଠାତ କିଛି ବୁଝି ପାରନ୍ତି ନାହିଁ ଏଠାରେ କଣ ହେଉଛି ବୋଲି ।ଯାହାଫଳରେ କିଛି ବୁଝିବା ଆଗରୁ ଦୁର୍ଘଟଣା ଘଟିଯାଏ।ସେହିପରି ଠିପି ଖୋଲା ମଦ ବାରରେ ଦିନ ରାତି ସବୁବେଳେ ମଦୁଆଙ୍କ ଭିଡ଼। ମଦ ବାରରୁ ମଦପିଇ ମାତାଲ ଅବସ୍ଥାରେ ବାହାରି ଏତେ ଜୋରରେ ଗାଡି ଚଳାଉଛନ୍ତିଯେ ଦୁର୍ଘଟଣା ଘଟୁଛି। ହସ୍ପିଟାଲ ନିକଟସ୍ଥ ଏହି ଦୁଇଟି ମଦ ଦୋକାନକୁ ଉଠାଇବା ପାଇଁ ସିଭିଲ ସୋସାଇଟିର ସଦସ୍ୟ ଓ ମହିଳା ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ମାନେ ବାରମ୍ବାର ଦାବି କରି ଆସୁଥିବା ବେଳେ ପ୍ରଶାସନ କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ ହେଉଛି।ତୁରନ୍ତ ହସ୍ପିଟାଲ ପାଖ ରାସ୍ତା କଡ଼ରୁ ଏହି ଦୁଇ ମଦ ଦୋକାନକୁ ବନ୍ଦ ନକଲେ ଭୟାବହ ଆନ୍ଦୋଳନ କରାଯିବ ବୋଲି ଖିତିଶ କୁମାର ଜେନା,ଶିବନାରାୟଣ ପାଳ,ନୀଳକଣ୍ଠ ଜେନା,ଗଜେନ୍ଦ୍ର ଜେନା,ଲକ୍ଷ୍ମୀମଣି ଜେନା,ଜିତେନ୍ଦ୍ର ପାତ୍ର,ଉତ୍ତମ କୁମାର ପିଳା,କମଳାକାନ୍ତ ଜେନା,ମଞ୍ଜୁଲତା ଜେନା,ଅଭିଳାଷ ଖଣ୍ଡା,ଲକ୍ଷ୍ମୀନାରାୟଣ ଜେନା ପ୍ରମୁଖ ଦାବି କରିଛନ୍ତି।
