ଚାନ୍ଦମାରିପଡ଼ିଆ ରାସ୍ତା ସମ୍ପ୍ରସାରଣ ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦାବିରେ ରାସ୍ତାରୋକ
ବାଲେଶ୍ୱର : ବାଲେଶ୍ୱର ସହଦେବଖୁଣ୍ଟା ସ୍ଥିତ ଚାନ୍ଦମାରି ପଡ଼ିଆକୁ ମୁଖ୍ୟ ପ୍ରବେଶ ପଥର ସମ୍ପ୍ରସାରଣ ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଦାବିରେ ବ୍ୟାସକବିନଗର ବିକାଶ ପରିଷଦର ଆହ୍ୱାନ କ୍ରମେ ସ୍ଥାନୀୟ ଅଞ୍ଚଳର ଶତାଧିକ ନରନାରୀ ଉତ୍କଳ ବାଳାଶ୍ରମ ନିକଟରେ ଶନିବାର ରାସ୍ତା ଅବରୋଧ କରିଥିଲେ । ଫଳରେ ରେମୁଣା ଦିଗରୁ ବସଷ୍ଟାଣ୍ଡ ଓ ସହରକୁ ଯାନବାହନ ଚଳାଚଳ ପ୍ରାୟ ଦୁଇଘଣ୍ଟା ଧରି ବ୍ୟାହତ ହୋଇଥିଲା । ଘଟଣାସ୍ଥଳରେ ବାଲେଶ୍ୱର ପୌର ପରିଷଦର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ. ସୀମାଞ୍ଚଳ ମିଶ୍ର, ଇଂ. ପ୍ରଦୀପ ନାୟକଙ୍କ ସମେତ ରାସ୍ତା ଓ ଗୃହ ନିର୍ମାଣ ବିଭାଗର ଯନ୍ତ୍ରୀ ଇଂ. ନଟବର ପ୍ରଧାନ, ସହଦେବଖୁଣ୍ଟା ଥାନା ଭାରପ୍ରାପ୍ତ ଅଧିକାରୀ ଶୁଭ୍ରାଂଶୁ ନାୟକ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ଆଲୋଚନା ପରେ ଆସନ୍ତା ସୋମବାର ବ୍ରିଟ୍ ତରଫରୁ ପୁନଶ୍ଚ ସଠିକ୍ ମାପ ଓ ସରକାରୀ ରାସ୍ତାର ସୀମା ଚିହ୍ନଟ ପରେ ଆସନ୍ତା ୭ଦିନ ମଧ୍ୟରେ ଉଚ୍ଛେଦ ପ୍ରକ୍ରିୟା ସମାପ୍ତ ହୋଇ ଅଢ଼େଇ କୋଟି ଟଙ୍କାର ମଞ୍ଜୁରୀ ଅର୍ଥର ସଠିକ୍ ବିନିଯୋଗ କରାଯିବ ବୋଲି ଦୃଢ଼ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା । ସରକାରୀ ଅଧିକାରୀଙ୍କ ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେଲେ ପୁନଶ୍ଚ ୮ ଦିନ ପରେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ପରିଷଦର କର୍ମକର୍ତ୍ତାମାନେ ଘୋଷଣା କରିଛନ୍ତି ।
ବ୍ୟାସକବି ନଗର ବିକାଶ ପରିଷଦର ସଭାପତି ରଞ୍ଜନ ଭୋଇ ଓ ସମ୍ପାଦକ ନରେନ୍ଦ୍ର ସ୍ୱାଇଁଙ୍କ ନେତୃତ୍ୱରେ ଗଣଧାରଣା ସ୍ଥଳରେ ଜିତେନ୍ଦ୍ର ଉପାଧ୍ୟାୟ, ନିରଞ୍ଜନ ପରିଡ଼ା, ଅଖିଳ କୁମାର ଦାସ, ଭଗବାନ ମହନି, ସରସ୍ୱତୀ ପଣ୍ଡା, ରାଜକିଶୋର ରାଉତ, ବିନୋଦ ବିହାରୀ ପଣ୍ଡା, ଇଂ. ଡମ୍ବରୁଧର ପ୍ରଧାନ, ଡ. ସୁବାସ ନାୟକ, ବସ୍ତିବାସିନ୍ଦା ସଂଘର ସଭାପତି ବେଣୁଧର ବାରିକ, ସୁଧିର କୁମାର ଦାସ, ଗୌରାଙ୍ଗ ପାଣିଗ୍ରାହୀ, ସୁବ୍ରତ ଦାଶ, ସୋନିକ୍ ଶତପଥି, ଧୀରେନ୍ଦ୍ର ବାରିକ, ଉଦୟ ସାହୁ, ଅଞ୍ଜନା ସେନ୍, ରାଜେଶ ରଣା, ସୁଶାନ୍ତ ବେଜ୍, ଜୟଶ୍ରୀ ବେହେରା, ଉମାକାନ୍ତ ମହାନ୍ତି, କେଶବ ଭାଇ, ଦୟାନିଧି ବେହେରା, ଶୈଳେନ୍ଦ୍ର ସିଂହ, ଇତିଶ୍ରୀ ବେଜ, ପୂର୍ବତନ କାଉନସିଲର ଦେବାଶୀଷ ସିଂହ, ସଂଜୟ ଚୌଧୁରୀ, ପ୍ରଭାତ ସାହୁ, ସନ୍ତୋଷ ସେନ୍, ଶ୍ୟାମ ଜେନା, ରଜତ ପରିଡ଼ା, ସୁଜୟ ନନ୍ଦ, ଅଜୟ ସେନାପତି, କନକ ପାଣିଗ୍ରାହୀ, ସରସ୍ୱତୀ ଜେନା ଓ ମାମିନା ମିଶ୍ର ପ୍ରମୁଖ ବକ୍ତବ୍ୟ ଦେବା ସହ ଉନ୍ନୟନ କାର୍ଯ୍ୟରେ ପ୍ରଶାସନର କାଳକ୍ଷେପଣ ନୀତିକୁ ଦୃଢ଼ ସମାଲୋଚନା କରିଥିଲେ । ରାସ୍ତା ସମ୍ପ୍ରସାରଣ କାରଣରୁ କ୍ଷତିଗ୍ରସ୍ତ ବାସହୀନମାନଙ୍କୁ ଆଇନ ଅନୁଯାୟୀ ଥଇଥାନ ପାଇଁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ।
