ଋତୁରାଜ ଗାଏକୱାଡଙ୍କୁ ସଫଳତା : ଏହି ଦଳର ନେତୃତ୍ୱ ନେବେ
ନୂଆଦିଲ୍ଲୀ : ଆଇପିଏଲ ୨୦୨୧ରେ ଦମଦାର ପ୍ରଦର୍ଶନ କରିଥିବା ଋତୁରାଜ ଗାଏକୱାଡ ଏବେ ଘରୋଇ କ୍ରିକେଟ୍ରେ ନିଜର ଜଲୱା ଦେଖାଇବାକୁ ପ୍ରସ୍ତୁତ । ଋତୁରାଜ ଆସନ୍ତା ମାସରୁ ଆରମ୍ଭ ହେଉଥିବା ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ମହାରାଷ୍ଟ୍ର ଦଳର ନେତୃତ୍ୱ ନେଉଛନ୍ତି । ମହାରାଷ୍ଟ୍ରକୁ ଏହି ଟୁର୍ଣ୍ଣାମେଂଟ ପାଇଁ ଏଲିଟ୍ ଗ୍ରୁପ-ଏରେ ରଖାଯାଇଛି । ଦଳର ପ୍ରଥମ ମ୍ୟାଚ୍ ତାମିଲନାଡୁ ବିପକ୍ଷରେ ରହିଛି । ଅନୁଭବୀ ବ୍ୟାଟସମ୍ୟାନ କେଦାର ଯାଦବଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି । ନୌଶାଦ ଶେଖଙ୍କୁ ଦଳର ଉପ ଅଧିନାୟକ କରାଯାଇଛି । ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ (କେକେଆର) ପାଇଁ ଖେଳୁଥିବା ରାହୁଲ ତ୍ରିପାଠୀ ଆଇପିଏଲ ଫାଇନାଲ୍ରେ ଲାଗିଥିବା ଆହତରୁ ମୁକୁଳି ପାରି ନାହାନ୍ତି । ତେଣୁ ତାଙ୍କୁ ଦଳରେ ସାମିଲ୍ କରାଯାଇ ନାହିଁ ।
ଉଲ୍ଲେଖନୀୟ ଚେନ୍ନାଇ ସୁପରକିଙ୍ଗ୍ସର ଓପନର ଋତୁରାଜ ଗାଏକୱାଡ ଆଇପିଏଲରେ ଏହି ସିଜିନରେ ସର୍ବାଧିକ ରନ ହାସଲକାରୀ ବ୍ୟାଟସମ୍ୟାନ ତଥା ଅରେଞ୍ଜ କ୍ୟାପ୍ ଅଧିକାରୀ । ସେ ୧୬ଟି ମ୍ୟାଚ୍?ରେ ୪୫.୩୩ ହାରରେ ଏବଂ ୧୩୬.୨୬ ଷ୍ଟ୍ରାଇକ୍ ରେଟ୍ ୬୩୫ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ଏବଂ ଚାରି ଅର୍ଦ୍ଧଶତକ ସାମିଲ୍ । ଗାଏକୱାଡଙ୍କୁ ଚଳିତ ବର୍ଷ ଭାରତୀୟ ଦଳର ଶ୍ରୀଲଙ୍କା ଗସ୍ତରେ ସ୍ଥାନ ମିଳିଥିଲା । ଏହି ଗସ୍ତରେ ଋତୁରାଜଙ୍କୁ ଟି-୨୦ରେ ପଦାର୍ପଣ କରିବାର ସୁଯୋଗ ମିଳିଥିଲା । ହେଲେ ୨୪ ବର୍ଷୀୟ ଋତୁରାଜ ଏହି ସମୟରେ କେବଳ ୩୫ ରନ କରିପାରିଥିଲେ । ଏବେ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଭଲ ପ୍ରଦର୍ଶନ କରି ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ୍ ପାଇଁ ନିଜର ଦାବିଦାର ମଜବୁତ କରିବାକୁ ଚାହିଁବେ ।
