ଋଷ ଉପରେ ବଢୁଛି ପ୍ରତିବନ୍ଧକ : ଏଣିକି ଆଲୁମିନା ଓ ବକ୍ସାଇଟ୍ ରପ୍ତାନୀ କରିବନି ଅଷ୍ଟ୍ରେଲିଆ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ୍ ଯୁଦ୍ଧ ତୀବ୍ର ହେବାରେ ଲାଗିଛି । ଯୁଦ୍ଧକୁ ରୋକିବା ପାଇଁ ଦୁଇ ଦେଶ ଭିତରେ ଚାରି ଥର ଶାନ୍ତି ଆଲୋଚନା ହୋଇସାରିଥିଲେ ବି ବାହାରୁନି କୌଣସି ସମାଧାନର ବାଟ। ବିଶ୍ୱର ଅନେକ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି । କିନ୍ତୁ ଏହା ସ୍ଵତେ ରୁଷ ଲଗାତାର ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରିଚାଲିଛି । ଋଷ ୟୁକ୍ରେନ ଉପରେ ଘନ ଘନ ସୁପରସୋନିକ ମିସାଇଲ୍ ମାଡ଼ କରୁଛି। ଯୁଦ୍ଧକୁ ବନ୍ଦ ନକରୁଥିବାରୁ ବିଭିନ୍ନ ଦେଶ ଋଷ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ।
ଋଷ ଉପରେ ଏବେ ଅଷ୍ଟ୍ରେଲିଆ ଆଉ କିଛି ନୂଆ ପ୍ରତିବନ୍ଧକ ଲଗାଇଛି। ଋଷକୁ ଆଉ ଆଲୁମିନା ଓ ବକ୍ସାଇଟ୍ ରପ୍ତାନୀ କରାଯିବ ନାହିଁ ବୋଲି ଅଷ୍ଟ୍ରେଲିଆ ଘୋଷଣା କରିଛି । ତୁରନ୍ତ ଏହି ବ୍ୟାନ୍ ନିର୍ଦ୍ଦେଶ ଲାଗୁ କରିବା ସହିତ ମାନବିକତା ଦୃଷ୍ଟିରୁ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ଯୋଗାଇ ଦିଆଯିବ ବୋଲି ଅଷ୍ଟ୍ରେଲିଆ ସରକାର ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆରୁ କଞ୍ଚା ମାଲ ନେଇ ଋଷ ଆଲୁମିନିୟମ ଉତ୍ପାଦନ କରୁଥିଲା। ଏବେ ଅଲୁମିନିୟର ଉତ୍ମପାଦନ କମାଇବା ଉଦ୍ଦେଶ୍ୟରେ ଅଷ୍ଟ୍ରେଲିଆ ଅଲୁମିନା ରପ୍ତାନୀ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇଛି ବୋଲି କୁହାଯାଉଛି। ସୂଚନା ଥାଉକି ଋଷ ମାତ୍ର ୨୦ ପ୍ରତିଶତ ଆଲୁମିନିୟମ ପାଇଁ ଅଷ୍ଟ୍ରେଲିଆ ଉପରେ ନିର୍ଭର କରେ। ଅଷ୍ଟ୍ରେଲିଆ ରପ୍ତାନୀ ନକରିଲେ ଋଷ ପାଇଁ ଆଲୁମିନିୟମ୍ ଉତ୍ପାଦନରେ ସମସ୍ୟା ସୃଷ୍ଟି ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
