ଦରଦାମ ବୃଦ୍ଧି : ବାଲେଶ୍ୱର ବିଜୁ ମହିଳା ଜନତା ଦଳ ତରଫରୁ ଧାରଣା ଓ ପ୍ରତିବାଦ ସଭା
ବାଲେଶ୍ୱର : ପେଟ୍ରୋଲ, ଡିଜେଲ ଓ ଏଲପିଜି ସମେତ ବିଭିନ୍ନ ଅତ୍ୟାବଶ୍ୟକ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି ପାଇଛି। ଏହା ବିରୋଧରେ ଗ୍ରାମାଞ୍ଚଳରୁ ରାଜଧାନୀ ପର୍ଯ୍ୟନ୍ତ ରାଜରାସ୍ତାକୁ ଓହ୍ଳାଇଛି ବିଜେଡି। ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ବିଧାନସଭା ନିର୍ବାଚନ ମଣ୍ଡଳୀ ବିଜୁ ମହିଳା ଜନତା ଦଳ ତରଫରୁ ସୋମବାର ରନ୍ଧନ ଗ୍ୟାସ, ଖାଇବା ତେଲ ଓ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରଦାମ ବୃଦ୍ଧି ବିରୁଦ୍ଧରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି। ବିଜୁ ମହିଳା ଜନତା ଦଳର ଟାଉନ ସଭାପତି ମିନା ମହାନ୍ତିଙ୍କ ନେତୃତ୍ୱରେ ଶତାଧିକ ମହିଳା ଏହି ପ୍ରତିବାଦ ସଭାରେ ଯୋଗ ଦେଇଥିଲେ l
ସଭାରେ ବାଲେଶ୍ୱର ବିଧାୟକ ସ୍ୱରୂପ କୁମାର ଦାସ ସଭାପତିତ୍ବ କରି କେନ୍ଦ୍ର ସରକାରଙ୍କ ମାରଣ ନୀତି ବିରୁଦ୍ଧରେ ସ୍ୱର ଉଠାଇବା ସହ ଦରଦାମ ବୃଦ୍ଧି ଫଳରେ ମା’ ମାନେ କିପରି ହନ୍ତସନ୍ତ ହେଉଛନ୍ତି ତାହା ବକ୍ତବ୍ୟରେ କହିଥିଲେ l କେନ୍ଦ୍ରରେ କ୍ଷମତାସୀନ ବିଜେପି ଦର ଦାମ ନିୟନ୍ତ୍ରଣ କରିବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଯାହାକି ଓଡ଼ିଶା ଓ ଦେଶର ଲୋକଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଛି । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଅକ୍ଷମଣୀୟ । ରନ୍ଧନଗ୍ୟାସ, ପରିବହନ ଓ ପ୍ରତ୍ୟେକ ଲୋକଙ୍କର ଦୈନନ୍ଦନି ମୌଳିକ ଆବଶ୍ୟକତା ସହ ଜଡିତ ସବୁକିଛି ମହଙ୍ଗା ହେବାରେ ଲାଗିଛି । କେନ୍ଦ୍ର ସରକାରଙ୍କ ତ୍ରୁଟିପୂର୍ଣ୍ଣ ଆର୍ଥିକ ପରିଚାଳନା ଯୋଗୁଁ ଏସବୁ ସମସ୍ୟା ଅଧିକ ହେବାରେ ଲାଗିଥିବାର କହିଥିଲେ । ସେହିପରି ବିଜେଡି ଜିଲା ସଭାପତି ଇଂ. ରବୀନ୍ଦ୍ର କୁମାର ଜେନା, ଜିଲା ସାଧାରଣ ସମ୍ପାଦକ ବରଦା ପସନ୍ନ ପଟ୍ଟନାୟକ, ଜିଲା ଉପ-ସଭାପତି ଗୌରୀ ରାଉତ, ରାଜ୍ୟ ଯୁବ କାର୍ଯ୍ୟକାରୀ ସଭାପତି ଶୁଭେନ୍ଦୁ ମଙ୍ଗରାଜ, ସଦର ବ୍ଲକ ଚେୟାରମ୍ୟାନ ନାରାୟଣ ପ୍ରଧାନ, ପୂର୍ବତନ ପୌରପାଳିକା ଚେୟାରମ୍ୟାନ ଆଲୋକ ସାହୁ, ବରିଷ୍ଠ ନେତା ରଞ୍ଜନ ବାଗ, ରାଜ୍ୟ ମହିଳା ଉପ ସଭାପତି ଉର୍ମିଲତା ଦାସ, ଟାଉନ ସଭାପତି ସଭାପତି ସନତ ଦାସ, ଶ୍ରଦ୍ଧାଞ୍ଜଳି ରାୟ, ରାଜଲଷ୍ମୀ ଚାଟାର୍ଜୀ, ସୁଷମା ବେହେରା, ବିଳାସିନୀ ବେହେରା ବିକ୍ଷୋଭ ସଭାରେ ଉପସ୍ଥିତ ରହି ତେଲ, ଡାଲି, ପିଆଜ ଆଦି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷର ଦରଦାମ ବୃଦ୍ଧିକୁ ନେଇ କେନ୍ଦ୍ର ସରକାର ଉପରେ ବର୍ଷି ଥିଲେ l ଶେଷରେ ପୌର ଉପ ନଗରପାଳ ତଥା ବିଜେଡି ଜିଲା ସମ୍ପାଦକ ମନୋଜ ରାଉତ ଧନ୍ୟବାଦ ଭାଷଣ ଦେବା ସହ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ବାଲେଶ୍ୱରର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ଏକ ମେମୋରେଣ୍ଡମ ପ୍ରଦାନ କରାଗଲା l ଅନ୍ୟମାନଙ୍କ ମଧ୍ୟରେ ପୌରପାଳିକାର ସମସ୍ତ ପୂର୍ବତନ କାଉନସିଲର, ସମସ୍ତ ୱାର୍ଡ଼ ସଭାପତି, ନିର୍ବାଚନ ମଣ୍ଡଳୀ ସ୍ତରୀୟ ନେତୃବୃନ୍ଦ ଏବଂ ବହୁ ମହିଳା ନେତୃତ୍ୱ ଉପସ୍ଥିତ ଥିଲେ l


