ଆଜି ଅନିଲଙ୍କ ସାନ ଝିଅ ରିଆ କପୁରଙ୍କ ବାହାଘର
ମୁମ୍ବାଇ : ବଲିଉଡର ଷ୍ଟାର ତଥା ମିଷ୍ଟର ଇଣ୍ଡିଆ ଅନିଲ କପୁରଙ୍କ ବଙ୍ଗଳା ଚିକିମିକି ଆଲୁଅ ଓ ସାଜସଜ୍ଜାରେ ଝଲସୁଛି । ଅନିଲ କପୁରଙ୍କ ଜୁହୁ ସ୍ଥିତ ଘର ଏବଂ ବିବାହ ପ୍ରସ୍ତୁତିର କିଛି ଫଟୋ ସାମ୍ନାକୁ ଆସିଛି, ଯାହା ଭାଇରାଲ ହେଉଛି। କାରଣ ଆଜି ତାଙ୍କ ସାନ ଝିଅ ରିଆ କପୁରଙ୍କ ବାହାଘର। ସେ ତାଙ୍କ ଦୀର୍ଘ ଦିନର ବୟଫ୍ରେଣ୍ଡ କରଣ ବଲାନୀଙ୍କୁ ବିବାହ କରି ହାତକୁ ଦି ହାତ ହେବେ। ଘର ସାଙ୍ଗକୁ ସଜେଇ ହୋଇଛି ମଣ୍ଡପ। ଅତିଥିଙ୍କ ଆଗମନ ମଧ୍ୟ ଆରମ୍ଭ ହେଲାଣି। ଏବେ ଅପେକ୍ଷା କେବଳ ବରଯାତ୍ରୀଙ୍କୁ। ରିଆ ଏବଂ କରଣଙ୍କ ବିବାହର ଫଙ୍କସନ୍ ଦୁଇରୁ ତିନି ଦିନ ଧରି ଚାଲିବ। ତେବେ କପୁର ପରିବାର ପକ୍ଷରୁ କିନ୍ତୁ ଏନେଇ କିଛି ସୂଚନା ମିଳି ନାହିଁ। ସେପଟେ ଏହି ବିବାହ ସମାରୋହ ବେଶ ସିକ୍ରେଟ ରୂପେ ହେବ। ଏଥିରେ କେବଳ ପରିବାର ସଦସ୍ୟ ଏବଂ ବର କନିଆଁଙ୍କ ନିକଟ ବନ୍ଧୁମାନେ ହିଁ ସାମିଲ ହେବେ।
ଦୀର୍ଘ ଦିନ ହେବ ରିଆ ଏବଂ କରଣ ପରସ୍ପରକୁ ଡେଟ୍ କରୁଥିଲେ। ୨୦୧୦ରେ ନିର୍ଦ୍ଦେଶକ ରାଜଶ୍ରୀ ଓଝାଙ୍କ ଫିଲ୍ମ ‘ଆୟଶା’ର ସେଟ୍ରୁ ଦୁହିଁଙ୍କ ଲଭ୍ ଷ୍ଟୋରୀ ଆରମ୍ଭ ହୋଇଥିଲା। ରିଆ ଇନ୍ଷ୍ଟା ପୋଷ୍ଟରେ ତାଙ୍କ ପ୍ରଥମ ପ୍ରେମ କରଣ ବୋଲି କହିଥିଲେ। ୨୦୧୮ରେ ଦୁହେଁ ନିଜ ସମ୍ପର୍କ ବିଷୟରେ ଖୁଲାସା କରିଥିଲେ। ହେଲେ ଆଜି ତାଙ୍କ ସମ୍ପର୍କକୁ ଆଫିସିଆଲି ଭାବେ ମୋହର ବାଜିବ। ପରସ୍ପରକୁ ସାତ ଜନମର ସାଥୀ କରିବେ। ସୂଚନା ଯେ, ନିର୍ଦ୍ଦେଶକ ରାଜଶ୍ରୀ ଓଝାଙ୍କ ଫିଲ୍ମ ‘ଆୟଶା’କୁ ରିଆ ପ୍ରଡ୍ୟୁସ କରିଥିଲେ। ପ୍ରଡ୍ୟୁସର ଭାବେ ଏହା ତାଙ୍କର ଥିଲା ପ୍ରଥମ ଫିଲ୍ମ। ଏହି ଫିଲ୍ମରେ ରିଆଙ୍କ ଭାବି ସ୍ୱାମୀ କରଣ ଆସିଷ୍ଟାଣ୍ଟ ଡାଇରେକ୍ଟର ଭାବେ କାମ କରିଥିଲେ। ଏହାପରେ ୨୦୧୪ରେ ଫିଲ୍ମ ‘ଖୁବସୁରତ’ ଓ ୨୦୧୮ରେ ଫିଲ୍ମ ‘ବୀରେ ଦି ୱେଡିଂ’କୁ ପ୍ରଡ୍ୟୁସ କରିଥିଲେ ରିଆ।
