ପଂଚାୟତ ପି.ଇ.ଓ.ଙ୍କ ବିଚିତ୍ର ନୀତି; ଜୀବିତକୁ ମୃତ ଦର୍ଶାଇ କାଟି ଦେଲେ ଭତା, ଘଟଣାକୁ ନେଇ ବି.ଡି.ଓ. ଖପ୍ପା
ନୀଳଗିରି : ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକରେ କାର୍ଯ୍ୟରତ କିଛି ପଂଚାୟତ ସଂପ୍ରସାରଣ ଅଧିକାରୀ (ପି.ଇ.ଓ.) ଙ୍କ ପାଇଁ କଳଙ୍କର ଦାଗ ଛାପି ହେଉଛି ବ୍ଲକ ଉପରେ । କେତେବେଳେ କୌଣସି କାର୍ଯ୍ୟ ନ କରି ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ବେଳେ କେତେବେଳେ ମୃତକଙ୍କ ଭତା ଟଙ୍କାକୁ ପକେଟରେ ରଖି ଗରମ କରୁଥିବାର ଚର୍ଚ୍ଚା ଚାଲିଥିବା ବେଳେ ଏବେ ଜୀବିତ ବ୍ୟକ୍ତିଙ୍କୁ ମୃତ ଘୋଷଣା କରି ୪ମାସର ଭତା ଦେଉ ନ ଥିବାର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ପରେ ପରିବାର ସଦସ୍ୟ ଏପରି ଘଟଣା ଶୁଣିବା ପରେ ଘଟଣା ବାବଦରେ ଲିଖିତ ଭାବେ ନୀଳଗିରି ବି.ଡି.ଓ. ରାହୁଲ ମଣ୍ଡଳକୁ ଜଣାଇବା ପରେ ବିଡିଓ ଘଟଣାକୁ ନେଇ ଖପ୍ପା ହୋଇଛନ୍ତି । ଏପରି ଏକ ଚକିତ ଘଟଣା ନୀଳଗିରି ବ୍ଲକର ବରହମପୁର ଗ୍ରା.ପ.ର ବରହମପୁର ଗାଁରେ ନାରାୟଣ ପାଣି (୮୩) ପିତା : ୰ହାଡ଼ିବନ୍ଧୁ ପାଣି ସରକାରଙ୍କ ଯୋଜନାରେ ବହୁଦିନ ଧରି ବାର୍ଦ୍ଧକ୍ୟଭତା ପାଇ ଆସୁଥିବା ବେଳେ ହଠାତ୍ ୨୦୨୨ ମସିହା ନଭେମ୍ବର ମାସ ଠାରୁ ଏ ଯାବତ ଭତା ତାଙ୍କ ବ୍ୟାଙ୍କ ଖାତାକୁ ଯାଇ ନ ଥିବା ବେଳେ ଘଟଣା ବାବଦରେ ନୀଳଗିରି ବ୍ଲକକୁ ଯାଇ ପଚାରି ବୁଝନ୍ତେ, ଉକ୍ତ ପଂଚାୟତର ପି.ଇ.ଓ. ଶାନ୍ତିଲତା ନାଏକ ମୃତ ଦର୍ଶାଇଥିବାର ସୂଚନା ପାଇଥିଲେ । ଫଳରେ ନାରାୟଣ ପାଣି ଚକିତ ହୋଇପଡ଼ିଥିଲେ । ବଂଚି ଥାଉଁ ଥାଉଁ ମୋତେ ପି.ଇ.ଓ. ଶାନ୍ତିଲତା କ’ଣ ପାଇଁ ମୃତ କରି ଦେଲେ କହି କାନ୍ଦି କାନ୍ଦି ଘରକୁ ଫେରି ପରିବାରକୁ ଘଟଣା ବାବଦରେ ଜଣାଇଥିଲେ । ପି.ଇ.ଓ. ଶାନ୍ତିଲତା ନାଏକ କ’ଣ ପାଇଁ ବଂଚି ଥାଉଁ ଥାଉଁ ମୃତ ଦର୍ଶାଇ ଭତାକୁ ବନ୍ଦ କରିଦେଲେ, ନା ରାଜନୈତିକ ଚାପ ନା ଅର୍ଥର ଲାଳସାରେ ବଶବର୍ତୀ ହୋଇ ଏପରି ଅମାନୁଷିକ କାର୍ଯ୍ୟ କଲେ ତାହା ଉଚ୍ଚସ୍ତରୀୟ ତଦନ୍ତ ପାଇଁ ପରିବାର ଲୋକେ ଦାବୀ କରିଛନ୍ତି । ପି.ଇ.ଓ. ଶାନ୍ତିଲତା ନାଏକଙ୍କ ବିରୁଦ୍ଧରେ ବିଭିନ୍ନ ପଂଚାୟତରେ ଅର୍ଥ ହରିଲୁଟ ଅଭିଯୋଗ ହୋଇଥିବା ନିଜ ପଂଚାୟତ ମେଜରମେଂଟ ବୁକ୍ରେ ଫାଙ୍କା ପେଜ୍ ଛାଡ଼ି ପରେ ଦସ୍ତଖତ କରିଥିବାର ଅଭିଯୋଗ ହୋଇଛି । ଯଦି ଚାକିରି କ୍ଷେତ୍ରରେ ତାଙ୍କର ଅଭିଜ୍ଞତା ନାହିଁ, ତେବେ ସ୍ୱଇଚ୍ଛାରେ ଚାକିରି ଛାଡ଼ି ଦିଅନ୍ତୁ ବୋଲି ଅଂଚଳବାସୀ ଦାବୀ କରିଛନ୍ତି । ଘଟଣାକୁ ଗୁୁରୁତ୍ୱ ଦେଇ ବି.ଡି.ଓ. ସଂପୃକ୍ତ ପି.ଇ.ଓ.ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାଧାରଣରେ ଦାବୀ ହୋଇଛି ।
