ରେଳବାଇ ମୁଖ୍ୟ ଫାର୍ମାସିଷ୍ଟ ଗୌରସାଧନ ମିଶ୍ରଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
ବାଲେଶ୍ୱର : ଆଜି ଦିବା ୧୧ଘଣ୍ଟା ସମୟରେ ଦକ୍ଷିଣପୂର୍ବ ରେଳପଥ, ସ୍ୱାସ୍ଥ୍ୟକେନ୍ଦ୍ର, ବାଲେଶ୍ୱର ପରିସରରେ ମୁଖ୍ୟ ଫାର୍ମାସିଷ୍ଟ୍ ଶ୍ରୀ ଗୌରସାଧନ ମିଶ୍ରଙ୍କୁ ସୁଦୀର୍ଘ ସରକାରୀ ସେବା ପରେ ଉଚ୍ଛ୍ୱସିତ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ନିକଟରେ ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାର ଦୁର୍ଗତମାନଙ୍କୁ ଉପଯୁକ୍ତ ଓ ସମୟୋଚିତ ସେବା ପ୍ରଦାନ କରି ଉଭୟ ଦକ୍ଷିଣ ପୂର୍ବ ରେଳପଥ ଓ ଓଡ଼ିଶା ସରକାର ପଦାଧିକାରୀଙ୍କଠାରୁ ପ୍ରଶଂସାପତ୍ର ସେ ଲାଭ କରିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ଆୟୋଜିତ ଏହି ସ୍ମରଣୀୟ କାର୍ଯ୍ୟକ୍ରମରେ ମୁଖ୍ୟ ସ୍ୱାସ୍ଥ୍ୟ ପରାମର୍ଶଦାତା ଡକ୍ଟର ଗଜେନ୍ଦ୍ର ନାରାୟଣ ପଣ୍ଡାଙ୍କ ସହ ଅନ୍ୟ କର୍ମଚାରୀମାନେ ଶ୍ରୀ ମିଶ୍ରଙ୍କ ନିରଳସ ଓ ନିଷ୍ଠାପର କର୍ମଜୀବନ ସମ୍ପର୍କରେ ଉଲ୍ଲେଖ କରି ପ୍ରତ୍ୟେକ କର୍ମଚାରୀ ସେହିଭଳି ସରକାରୀ କାର୍ଯ୍ୟ କ୍ଷେତ୍ରରେ ତତ୍ପର ରହିବା ପାଇଁ କହିଥିଲେ । ସମ୍ବର୍ଦ୍ଧନା ପାଇଁ ଶ୍ରୀ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।
ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଦକ୍ଷିଣପୂର୍ବ ରେଳବାଇ ମେନ୍ସ ୟୁନିୟନ୍ ବାଲେଶ୍ୱର ଶାଖାର ସଭାପତି ଅବସରପ୍ରାପ୍ତ ମୁଖ୍ୟ ଫାର୍ମାସିଷ୍ଟ ଶ୍ରୀ ଗୌରସାଧନ ମିଶ୍ରଙ୍କୁ ୟୁନିୟନ୍ କାର୍ଯ୍ୟାଳୟରେ ବିପୁଳ ଅବସରକଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ୟୁନିୟନ୍କୁ ଶକ୍ତିଶାଳୀ କରିବାପାଇଁ ଦୀର୍ଘ ଦୁଇଦଶନ୍ଧିରୁ ଅଧିକ ସମୟ ଧରି ଦୃଢ଼ ନେତୃତ୍ୱ ପ୍ରଦାନ କରିଥିବା ଶ୍ରୀ ମିଶ୍ରଙ୍କ ସାହସିକତା ଓ ଦକ୍ଷତାକୁ ସମସ୍ତେ ଏକସ୍ୱରରେ ପ୍ରଶଂସା କରିଥିଲେ । ଅବସର ପରେ ମଧ୍ୟ ୟୁନିୟନ୍କୁ ଆହୁରି ବଳଶାଳୀ କରିବାପାଇଁ ତାଙ୍କର ଅବଦାନ ଅବ୍ୟାହତ ରହିବ ବୋଲି ସମସ୍ତେ ଶ୍ରୀ ମିଶ୍ରଙ୍କୁ ବିନମ୍ର ଅନୁରୋଧ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ କମ୍ରେଡ଼୍ ମିଶ୍ର ସମସ୍ତଙ୍କୁ ଆୟୋଜନ ପାଇଁ ଧନ୍ୟବାଦ ଜଣାଇବା ସଙ୍ଗେସଙ୍ଗେ ସେ ଆଗାମୀ ଦିନରେ ୟୁନିୟନ ପ୍ରଗତି ଓ ବିକାଶ ପାଇଁ ତାଙ୍କର ଦୀର୍ଘ ଅଭିଜ୍ଞତାକୁ ଭିତ୍ତିକରି ପରାମର୍ଶ ଆବଶ୍ୟକତା ସମୟରେ ନିଶ୍ଚୟ ଯୋଗାଇଦେବେ ବୋଲି ଉପସ୍ଥିତ ୟୁନିୟନ୍ କର୍ମକର୍ତ୍ତା ଓ ସଦସ୍ୟମାନଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ୟୁନିୟନ୍ର କେନ୍ଦ୍ରୀୟ ପ୍ରତିନିଧି କମ୍ରେଡ଼୍ ଅଭିଜିତ୍ ମଲ୍ଲିକ୍ ଓ କମ୍ରେଡ଼୍ ବିଶ୍ୱଜିତ୍ ଲାହା କମ୍ରେଡ଼୍ ମିଶ୍ରଙ୍କୁ ୟୁନିୟନ୍ ପ୍ରତି ନିଷ୍ଠାପର ଅବଦାନ ପାଇଁ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘ ଓ ସୁସ୍ଥ ଅବସରକାଳୀନ ଜୀବନ କାମନା କରି ୟୁନିୟନ୍ ତରଫରୁ ପ୍ରଶଂସାପତ୍ର ପ୍ରଦାନ କରିଥିଲେ । ସର୍ବଶେଷରେ ୟୁନିୟନ୍ର ସମ୍ପାଦକ କମ୍ରେଡ଼୍ ଜ୍ୟୋତିଷ ଚନ୍ଦ୍ର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
