ପଶ୍ଚିମବଙ୍ଗରେ ଅପରାହ୍ନ ୫ରୁ ରାତି ୮ପର୍ଯ୍ୟନ୍ତ ଖୋଲିବ ରେଷ୍ଟୁରାଣ୍ଟ
କୋଲକାତା : ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ହ୍ରାସ ହେଉଛି। ଏଣୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶୁକ୍ରବାର ରାଜ୍ୟରେ ଲକଡାଉନ ନିୟମରେ ସାମାନ୍ୟ କୋହଳ କରିଛନ୍ତି। ଏଥିରେ ଅପରାହ୍ନ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ୩ ଘଣ୍ଟା ରେଷ୍ଟୁରାଣ୍ଟ, ଛୋଟ ଖାଦ୍ୟଷ୍ଟଲ ଓ ଚା, ଜଳଖିଆ ଦୋକାନ ଆଦି ଖୋଲିବାକୁ ରିହାତି ଦେଇଛନ୍ତି। ତେବେ ଏଥିପାଇଁ ମୁଖ୍ୟମନ୍ତ୍ରୀ ଏକ ସର୍ତ୍ତ ମଧ୍ୟ ରଖିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏପରି ରେଷ୍ଟୁରାଣ୍ଟ ଓ ଖାଦ୍ୟ ସାମଗ୍ରୀ ଦୋକାନ ଚଳାଇବା ଲାଗି ବ୍ୟବସାୟୀ ଓ ତାଙ୍କ କର୍ମଚାରୀଙ୍କୁ ପ୍ରଥମେ କୋଭିଡ ଟିକାକରଣ କରିବାକୁ ପଡିବ। ମୁଖ୍ୟମନ୍ତ୍ରୀ ଗୁରୁବାର ଏ ନେଇ ରାଜ୍ୟ ସଚିବାଳୟରେ ଚାମ୍ବର ଅଫ କମର୍ସର ପ୍ରତିନିଧିଙ୍କ ସହ ଆଲୋଚନା କରିବା ପରେଏହି ନିଷ୍ପତ୍ତିନେଇଛନ୍ତି। ରାଜ୍ୟରେ ବାଣିଜ୍ୟ ବ୍ୟବସାୟ ବନ୍ଦ ରଖିବା ସରକାରଙ୍କ ବାସ୍ତବିକ ଉଦ୍ଦେଶ୍ୟ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ ଚାମ୍ବର ଅଫ କମର୍ସ ପ୍ରତିନିଧିଙ୍କୁ କହିଥିଲେ। ରାଜ୍ୟରେ ବଢୁଥିବା ସଂକ୍ରମଣ ରୋକିବା ମଧ୍ୟ ଆମ ସମସ୍ତଙ୍କର ପ୍ରାଥମିକ କର୍ତ୍ତବ୍ୟ ବୋଲି କହିଥିଲେ। ରେଷ୍ଟୁରାଣ୍ଟ ଓ କ୍ଷୁଦ୍ର ଚା ଜଳଖିଆ ଦୋକାନ ମାଲିକଙ୍କ ଲାଗି ବ୍ୟବସାୟ ଆରମ୍ଭ କରିବା ନିମନ୍ତେ ନିଜର ଓ କର୍ମଚାରୀଙ୍କର ପ୍ରଥମେ ଟିକାକରଣ କରାନ୍ତୁ ବୋଲି କହିଛନ୍ତି। ରାଜ୍ୟରେ ଟିକାର ଅଭାବ ରହିଛି। ଏଣୁ ସାର୍ବଜନିକ ଟିକାକରଣ ହୋଇପାରୁନଥିବା ବେଳେ ବ୍ୟବସାୟୀ ନିଜେ ଟିକା ଯୋଗାଡ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କେବଳ ରେଷ୍ଟୁରାଣ୍ଟ କି ଚା ଜଳଖିଆ ଦୋକାନ ନୁହେଁ ସରକାର ଜୁନ ୧୬ ତାରିଖରୁ ରାଜ୍ୟରେ ସପିଙ୍ଗମଲ ସବୁ ପୁଣି ଖୋଲିବାକୁ ଯୋଜନା ରଖିଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି । ମାତ୍ର ୨୫ ପ୍ରତିଶତ କ୍ଷେତ୍ରରେ ସପିଙ୍ଗ ମଲମାନେ କାରବାର କରିବେ। ଏଣୁ ସରକାର ଚିନ୍ତା କରୁଥିବା ସମୟ ବେଳକୁ ଏପରି ବ୍ୟବସାୟୀକ ସଂସ୍ଥାନର କର୍ତ୍ତୃପକ୍ଷ ସେମାନଙ୍କ ଅନୁଷ୍ଠାନ ଲୋକଙ୍କ ଲାଗି ସୁରକ୍ଷିତ ତାହା ସୁନିଶ୍ଚିତ କରନ୍ତୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀ ବହି ଦୋକାନ ଓ ନିର୍ମାଣ କାର୍ଯ୍ୟ ଲାଗି ମଧ୍ୟ ନିୟମ କୋହଳ କରିଛନ୍ତି। ଅପରାହ୍ନ ୩ ପର୍ଯ୍ୟନ୍ତ ରାଜ୍ୟରେ ବହି ଦୋକାନ ଖୋଲା ରହି ପାରିବା ସହ ନିର୍ମାଣ କାମ କରାଯାଇ ପାରିବ ବୋଲି କୁହାଯାଇଛି। ଏଥିରେ ସୂଚନା ଓ ପ୍ରାଦ୍ୟୋଗିକ କ୍ଷେତ୍ରକୁ ମଧ୍ୟ କାର୍ଯ୍ୟ ଅନୁମତି ମିଳିଛି। ତେବେ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କର୍ଯ୍ୟ କରିବାକୁ କୁହାଯାଇଛି। ଜୁନ ୩ ତାରିଖ ଆକଳନ ଅନୁସାରେ ରାଜ୍ୟରେ ୮ ହଜାର ୮୧୧ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଏଥିରୁ ୧୦୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ରାଜ୍ୟରେ ମୋଟ କରୋନା ମୃତ୍ୟୁ ୧୫ ହଜାର ୯୨୧ରେ ପହଞ୍ଚିଛି ।
