ବିଜେପି ବିଧାୟକଙ୍କ କକ୍ଷତ୍ୟାଗ
ଭୁବନେଶ୍ୱର : ରାଜ୍ୟରେ ଚାଷୀ ମାନଙ୍କ ସମସ୍ୟା ଅତ୍ୟନ୍ତ ଗୁରୁତର ହୋଇଥିବା ସତ୍ୱେ ଏହି ସମସ୍ୟାକୁ ଶୁଣିବା ଓ ତାର ସମାଧାନ କରିବାକୁ ରାଜ୍ୟ ସରକାରଙ୍କର ଆଦୌ ଆଗ୍ରହ ନାହିଁ ବୋଲି କହିଛନ୍ତି ବିଜେପି ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ । ଏହା କହିବା ସହ ତାଙ୍କ ଦଳର ବିଧାୟକ ମାନେ ଚାଷୀ ମାନଙ୍କ ପ୍ରସଙ୍ଗରେ କକ୍ଷତ୍ୟାଗ କରି ବିଧାନସଭା ପରିସର ମଧ୍ୟରେ ଥିବା ଗାନ୍ଧୀ ମୂର୍ତି ତଳେ ଧାରଣା ଦେବେ ବୋଲି କହିବା ପରେ ବିଜେପି ବିଧାୟକ ମାନେ ଗାନ୍ଧୀ ମୂର୍ତି ତଳେ ଧାରଣା ଦେଇଛନ୍ତି । ୧୧.୩୦ରେ ଗୃହ ପୁଣି ଥରେ ଆରମ୍ଭ ହେବା ମାତ୍ରେ ବିଜେପି ବିଧାୟକ ମାନେ ଚାଷୀ ମାନଙ୍କ ପ୍ରସଙ୍ଗରେ ପୁଣି ଥରେ ଗୃହର ମଧ୍ୟଭାଗକୁ ଆସି ହାତରେ ପ୍ଲାକାର୍ଡ ଧରି ନାରାବାଜୀ କରିଥିଲେ । ବାଚସ୍ପତି ସେମାନଙ୍କ ୁକହିଥିଲେ ଯେ ସେମାନେ ଯାହା କହିବାକୁ ଚାହୁଁଛନ୍ତି ତାହା କହନ୍ତୁ । ଆଜି ଗୁରୁତ୍ୱପୂର୍ଣ ବିନିୟୋଗ ବିଲ ଉପରେ ଆଲୋଚନା ହେବାର ଅଛି । ସେତେବେଳେ ମଧ୍ୟ ସେମାନେ ତାଙ୍କ କଥା ଉଠାଇବାର ସୁଯୋଗ ରହିଛି । ତେଣୁ ସେମାନେ ନିଜ ନିଜ ଆସନକୁ ଯାଇ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ତେବେ ବିଜେପିର ଅନ୍ୟ ବିଧାୟକ ମାନେ ବାଚସ୍ପତିଙ୍କ ପୋଡିୟମ ତଳେ ଠିଆ ହୋଇ ଥିବା ବେଳେ ବିଜେପି ବିଧୟକ ଦଳର ମୁଖ୍ୟ ସଚେତକ କହିଥିଲେ ଯେ ରାଜ୍ୟ ସରକାରଙ୍କ ଚାଷୀଙ୍କ ପାଇଁ କୌଣସି ଦରଦ ନାହିାଁ ଚାଷୀ ବିଷୟ ଏଠି ପ୍ରତିଦିନ ଉଠୁଛି । ହେଲେ କୃଷି ମନ୍ତ୍ରୀ ନାହାନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ ନାହାନ୍ତି । ବାଚସ୍ପତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ ଆଲୋଚନା ହେବ ବୋଲି କହୁଛନ୍ତି ହେଲେ ଅନେକ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଗୃହରେ ନାହାନ୍ତି । ଏଭଳି ପରିସ୍ଥିତିରେ ଚାଷୀ ମାନଙ୍କ ସମସ୍ୟା ପ୍ରତି ଧ୍ୟାନ ଦିଆ ଯାଇ ନ ଥିବାରୁ ବିଜେପି ବିଧାୟକ ମାନେ କକ୍ଷ ତ୍ୟାଗ କରିବା ସହ ବିଧାନସଭା ପରିସର ମଧ୍ୟରେ ଥିବା ଗାନ୍ଧୀ ମୂର୍ତି ତଳେ ଧାରଣା ଦେବେ । ଏହା ପରେ ବିଜେପି ବିଧାୟକ ମାନେ ନାରାବାଜୀ କରି କକ୍ଷତ୍ୟାଗ କରିଥିଲେ ।
