କୃଷି ଆଇନ ପ୍ରତ୍ୟାହାରକୁ ଆଜି କେନ୍ଦ୍ର କ୍ୟାବିନେଟରେ ମିଳିପାରେ ଅନୁମୋଦନ
ନୂଆଦିଲ୍ଲୀ : ଆଜି ପ୍ରତ୍ୟାହାର ହୋଇଥିବା ୩ କୃଷି ଆଇନକୁ ଆନୁଷ୍ଠାନିକ ଭାବେ କେନ୍ଦ୍ର କ୍ୟାବିନେଟରେ ଅନୁମୋଦନ ମିଳିପାରେ । ନଭେମ୍ବର ୨୯ରୁ ଆରମ୍ଭ ହେବାକୁ ଥିବା ସଂସଦ ଶୀତକାଳୀନ ଅଧିବେଶନର ପ୍ରଥମ ଦିନରେ ବିଧାନସଭାରେ ୩ କୃଷି ଆଇନ-୨୦୨୦ ତାଲିକାଭୁକ୍ତ ହୋଇଛି ।
ସାରା ଦେଶରେ ବର୍ଷେ ଧରି ଚାଲିଥିବା କୃଷି ଆନ୍ଦୋଳନକୁ ଦୃଷ୍ଟିରେ ରଖି ଗତ କାର୍ତ୍ତିକ ପୂର୍ଣ୍ଣିମା ଏବଂ ଗୁରୁ ନାନକ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ୩ ଆଇନକୁ ପ୍ରତ୍ୟାହାର କରିନେଇଥିଲେ । ଏଥିସହ ସେ କହିଥିଲେ ଯେ, ଚଳିତ ମାସ ଶେଷ ହେବାକୁ ଥିବା ସଂସଦର ଶୀତକାଳୀନ ଅଧିବେଶନରେ ନୂଆ ଆବଶ୍ୟକୀୟ ବିଲ୍ ପ୍ରସ୍ତାବ ଦିଆଯିବ । ସର୍ବନିମ୍ନ ସହାୟତା ମୂଲ୍ୟ ପାଇଁ ଏକ ନୂଆ ଢାଞ୍ଚା ବାହାର କରିବା ପାଇଁ କେନ୍ଦ୍ର ଦ୍ୱାରା ଏକ କମିଟି ଗଠନ କରାଯିବ ।
ନଭେମ୍ବର ୨୬, ୨୦୨୦ରେ କେନ୍ଦ୍ର ସରକାର ୩ କୃଷି ଆଇନ ପ୍ରଣୟନ କରିବା ପରଠାରୁ ଦେଶବ୍ୟାପୀ କୃଷି ଆନ୍ଦୋଳନ ହୋଇଥିଲା । ନଭେମ୍ବର ୧୯, ୨୦୨୧ ରେ ପ୍ରଧାନମନ୍ତ୍ରୀ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ମଧ୍ୟ ଆନ୍ଦୋଳନ ହଟିନାହିଁ । ବର୍ତ୍ତମାନ ସୁଦ୍ଧା କୃଷକ ସଂଗଠନ ସେମାନଙ୍କର ଆନ୍ଦୋଳନ ବନ୍ଦ ହନେଇ ଘୋଷଣା କରି ନାହାଁନ୍ତି । ଅନ୍ୟପଟେ ନଭେମ୍ବର ୨୯ରେ ସଂସଦ ଅଧିବେଶନର ପ୍ରଥମ ଦିନରେ କୃଷକମାନେ ଦିଲ୍ଲୀ ଅଭିମୁଖେ ଯାତ୍ରା କରିବାକୁ ଯୋଜନା କରୁଥିବା ଜଣାପଡିଛି । ଆନୁଷ୍ଠାନିକ ତଥା ଆଇନଗତ ଭାବେ ଆଇନ ରଦ୍ଦ ହେବା ପରେ ଆନ୍ଦୋଳନ ବନ୍ଦ କରିବେ ବୋଲି କୃଷକ ସଂଗଠନ କହିଛି ।
