ରେଙ୍ଗାଲି ଡ୍ୟାମରେ ପ୍ରତିଷ୍ଠା ହେବ ଦେଶର ସବୁଠୁ ବଡ ଭାସମାନ ସୋଲାର ପ୍ଲାଣ୍ଟ
ଭୁବନେଶ୍ବର : ରାଜ୍ୟରେ ଥିବା ବିଭିନ୍ନ ଜଳଭଣ୍ଡାରରେ ଭାସମାନ ସୋଲାର ଶକ୍ତି ପ୍ଳାଣ୍ଟ ସ୍ଥାପନ ହେବ। ଏନ୍ଏଚ୍ପିସି ସହାୟତାରେ ରାଜ୍ୟରେ ଖୁବଶୀଘ୍ର ୫୦୦ ମେଗାୱାଟ ସୌର ଶକ୍ତି ଉତ୍ପାଦନ କରାଯିବ। ପ୍ରଥମ ପର୍ଯ୍ୟାୟରେ ରେଙ୍ଗାଲି ଜଳ ବିଦ୍ୟୁତ ଯୋଜନାର ଜଳ ଭଣ୍ଡାରରେ ୩୦୦ ମେଗାଓ୍ବାଟ୍ ବିଦ୍ୟୁତ ଉତ୍ପାଦନ କରାଯିବ। ଏଥିପାଇଁ ପ୍ରାୟ ୨ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଏହା ଦେଶର ସର୍ବବୃହତ୍ତ ଏକକ ସୌରଶକ୍ତି ଉତ୍ପାଦନ କେନ୍ଦ୍ର ହେବ।
ଏହାପରେ ହୀରାକୁଦ, ଇନ୍ଦ୍ରାବତୀ ସମେତ ବିଭିନ୍ନ ଜଳ ଭଣ୍ଡାରରେ ଏହି ପ୍ରକଳ୍ପ ନିର୍ମାଣ କରାଯିବ। ଏନେଇ ଓଡ଼ିଶା ସବୁଜ ଶକ୍ତି ବିକାଶ ନିଗମ ଓ ଜାତୀୟ ଜଳ ବିଦ୍ୟୁତ ନିଗମ ମଧ୍ୟରେ ଚୁକ୍ତି ସ୍ବାକ୍ଷର ହୋଇଛି। ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଉପସ୍ଥିତିରେ ଓଡ଼ିଶା ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ତଥା ଜେଡ଼କୋଲ ସିଏମଡି ବିଷ୍ଣୁପଦ ସେଠୀ ଓ ଜାତୀୟ ଜାତୀୟ ଜଳ ବିଦ୍ୟୁତ ନିଗମର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ଅଭୟ କୁମାର ସିଂ ଏହି ଚୁକ୍ତିନାମା ସ୍ବାକ୍ଷର କରିଛନ୍ତି।
