ମନେ ପଡ଼ନ୍ତି ମିସାଇଲ୍ ମ୍ୟାନ୍ ! ଆଜି ଅବଦୁଲ କଲାମଙ୍କ ଜନ୍ମ ଜୟନ୍ତୀ
ଆଜି ପୂର୍ବତନ ରାଷ୍ଟ୍ରପତି ତଥା ମିସାଇଲ୍ ମ୍ୟାନ୍ ଏପିଜେ ଅବଦୁଲ୍ କଲାମଙ୍କ ଜୟନ୍ତୀ। ତାମିଲନାଡୁର ରାମେଶ୍ୱରମ୍ ଠାରେ ୧୯୩୧ ମସିହା ଅକ୍ଟୋବର ୧୫ ତାରିଖରେ ଏକ ଗରିବ ମୁସଲିମ ପରିବାରରେ ଜନ୍ମ ନେଇଥିଲେ କଲାମ । ଗରିବ ପରିବାରର ଏହି ପିଲାଟି ଦିନେ ସାରାଦେଶ ପାଇଁ ଆଦର୍ଶ ଓ ଗୌରବର ଉଦାହରଣ ପାଲଟି ଯିବ ତାହା ହୁଏତ କେହିବି କଳ୍ପନା କରିନଥିଲେ । ପିଲାଟିବେଳୁ ସଂଘର୍ଷରେ ଜୀବନ ଅତିବାହିତ କରିଥିବା କଲାମ ପରବର୍ତ୍ତୀ ସମୟରେ ଭାରତୀୟ ବିଜ୍ଞାନ ଜଗତର ମହାନାୟକ ପାଲଟି ଯାଇଥିଲେ ।
ନିଜ ଇଚ୍ଛାଶକ୍ତି ଓ ଉଦ୍ୟମ ଯୋଗୁଁ ସେ ଜଣେ ବୈଜ୍ଞାନିକ ହୋଇପାରିଥିଲେ। ପରେ ସେ ଦେଶର ରାଷ୍ଟ୍ରପତି ମଧ୍ୟ ହୋଇଥିଲେ। ସେ ଥିଲେ ଦେଶର ଅନ୍ୟତମ ଲୋକପ୍ରିୟ ରାଷ୍ଟ୍ରପତି। ରାଷ୍ଟ୍ରପତି ହୋଇଥିଲେ ହେଁ ସେ ମିସାଇଲ୍ ମ୍ୟାନ୍ ନାଁରେ ପରିଚିତ ଥିଲେ। ଭାରତରେ କ୍ଷେପଣାସ୍ତ୍ର କାର୍ଯ୍ୟକ୍ରମର ଜନକ ହେଉଛନ୍ତି ଅବଦୁଲ କଲାମ। ତାଙ୍କ ନେତୃତ୍ୱ ଓ ଦିଗଦର୍ଶନରେ ଇସ୍ରୋ ଓ ଡିଆର୍ଡିଓ ସଫଳତାର ଶିଖର ଛୁଇଁଛି। ଦେଶକୁ ଆଣବିକ ଶକ୍ତି ସଂପନ୍ନ କରିବାରେ ମଧ୍ୟ କଲାମଙ୍କର ପ୍ରମୁଖ ଭୂମିକା ଥିଲା। ୨୦୦୨ରୁ ୨୦୦୭ ଯାଏଁ କଲାମ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିଲେ।
୧୯୩୧ ମସିହା ଅକ୍ଟୋବର ମାସ ୧୫ ତାରିଖରେ ତାମିଲନାଡୁର ରାମେଶ୍ୱରମଠାରେ ଜନ୍ମ ହୋଇଥିଲେ ଅବଦୁଲ କଲାମ। ତାଙ୍କ ପୂରା ନାଁ ଥିଲା ଅଭୁଲ ପାକିର ଜୈନୁଲାବଦ୍ଦୀନ ଅବଦୁଲ କଲାମ। ତାଙ୍କ ବାପାଙ୍କ ନାଁ ଜୈନୁଲାବଦ୍ଦୀନ ଥିଲା ଓ ମା’ଙ୍କ ନାମ ଥିଲା ଅସିଆମ୍ମା। ତାଙ୍କ ବାପା ଜଣେ ନାଉରି ଥିଲେ। ଗରିବ ପରିବାରରୁ ଆସିଥିବା ଅବଦୁଲ କଲାମ ପରିବାରକୁ ସାହାଯ୍ୟ କରିବା ପାଇଁ ସ୍କୁଲ୍ ଯିବା ବୟସରେ ବି କାମ କରୁଥିଲେ। ସେ ଖବରକାଗଜ ବିତରକ କାର୍ଯ୍ୟ କରୁଥିଲେ। ଘର ଘର ଯାଇ ଖବରକାଗଜ ଦେଉଥିଲା। ରାମନାଥପୁରରେ ମାଟ୍ରିକ୍ ଶିକ୍ଷା ଶେଷ କରିବା ପରେ ସେ ତିରୁଚିରାପଲ୍ଲୀସ୍ଥିତ ସେଣ୍ଟ ଯୋଶେଫ କଲେଜରେ ନାମ ଲେଖାଇଥିଲେ। ଏଠାରୁ ସେ ପଦାର୍ଥ ବିଜ୍ଞାନରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ତେବେ ଏହି ପାଠ୍ୟକ୍ରମରେ ସେ ସନ୍ତୁଷ୍ଟ ନଥିଲେ। ଚାରି ବର୍ଷ ସେ ବେକାର କରି ଦେଲେ ବୋଲି ମନେ କରିଥିଲେ। ଏଣୁ ୧୯୫୫ରେ ସେ ମାଡ୍ରାସ ଚାଲିଗଲେ ଏରୋସ୍ପେସ୍ ଇଂଜିନିୟରିଂ ପଢ଼ିବା ପାଇଁ।
ମାଡ୍ରାସ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରୁ ୧୯୬୦ରେ ସ୍ନାତକ ଡିଗ୍ରୀ ହାସଲ କରିବା ପରେ ସେ ଡିଆରଡିଓରେ ଜଣେ ବୈଜ୍ଞାନିକ ଭାବେ ଯୋଗ ଦେଇଥିଲେ। ସେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଭାରତୀୟ ସେନା ପାଇଁ ଏକ କ୍ଷୁଦ୍ର ହେଲିକପ୍ଟରର ଡିଜାଇନରୁ। ତେବେ ପ୍ରାରମ୍ଭରେ ତାଙ୍କୁ ଦିଆଯାଉଥିବା କାର୍ଯ୍ୟ ନେଇ ସେ ସନ୍ତୁଷ୍ଟ ନଥିଲେ। ପରେ ସେ ବିଖ୍ୟାତ ବୈଜ୍ଞାନିକ ବିକ୍ରମ ସରାଭାଇଙ୍କ ଅଧୀନରେ କାର୍ଯ୍ୟ କରିବାର ସୁଯୋଗ ପାଇଥିଲେ। ବିକ୍ରମ ସରାଭାଇଙ୍କ ଅଧୀନରେ ଗଠିତ ଆଇଏନସିଓଏସପିଏଆର୍ କମିଟିରେ ସେ ସାମିଲ ହୋଇଥିଲେ। ବିକ୍ରମ ସରାଭାଇ ତାଙ୍କର ପ୍ରେରଣା ଥିଲେ ବୋଲି ଅବଦୁଲ କଲାମ ଅନେକ ଥର କହିଛନ୍ତି। ୧୯୬୯ରେ ସେ ଇଣ୍ଡିଆନ୍ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ ବା ଇସ୍ରୋକୁ ବଦଳି ହୋଇ ଯାଇଥିଲେ। ସେ ଥିଲେ ଭାରତର ପ୍ରଥମ ସାଟେଲାଇଟ୍ ଲଞ୍ଚ୍ ଭେହିକିଲ୍ (ଏସଏଲ୍ଭି-୩)ର ପ୍ରୋଜେକ୍ଟ ଡାଇରେକ୍ଟର। ୧୯୮୦ ଜୁଲାଇ ମାସରେ ଏହି ଭେହିକିଲ୍ ‘ରୋହିଣୀ’ ସାଟେଲାଇଟକୁ ପୃଥିବୀର କକ୍ଷ ପଥରେ ସଫଳତାର ସହିତ ସ୍ଥାପିତ କରିଥିଲା। ୧୯୬୫ରେ ସେ ଡିଆରଡିଓରେ ସଂପ୍ରସାରିତ ରକେଟ୍ ପ୍ରୋଜେକ୍ଟରେ ଏକକ ଭାବେ କାର୍ଯ୍ୟ କରିଥିଲେ। ପରେ ୧୯୬୯ରେ ଏହାକୁ ଆହୁରି ସଂପ୍ରସାରିତ କରାଯାଇଥିଲା ଓ ତାଙ୍କ ଅଧୀନରେ ଅନେକ ଇଂଜିନିୟର ସାମିଲ ହୋଇଥିଲେ।
ଅବଦୁଲ କଲାମ ଏକାଧିକ ପୁସ୍ତକ ମଧ୍ୟ ରଚନା କରିଛନ୍ତି। ତାଙ୍କ ଦ୍ୱାରା ଲିଖିତ ‘ଇଗ୍ନାଇଟେଡ୍ ମାଇଣ୍ଡସ୍‘ (୨୦୦୨), ‘ୱିଙ୍ଗସ୍ ଅଫ୍ ଫାୟାର’ (୧୯୯୯) ଓ ‘ଇଣ୍ଡିଆ ୨୦୨୦- ଏ ଭିଜନ୍ ଫର୍ ଦ ନ୍ୟୁ ମିଲେନିୟମ୍’ ଦେଶର କୋଟି କୋଟି ଲୋକଙ୍କ ଲାଗି ପ୍ରେରଣାର ଉତ୍ସ ସାଜିଛି। ‘ୱିଙ୍ଗସ୍ ଅଫ୍ ଫାୟାର’ ହେଉଛି ତାଙ୍କର ଆତ୍ମଜୀବନୀ। ଏହା ବ୍ୟତୀତ ସେ ‘ମିଶନ୍ ଇଣ୍ଡିଆ’ ଓ ‘ଇନ୍ସ୍ପାୟରିଂ ଥଟ୍ସ’ ଭଳି ଅନେକ ବହି ଲେଖିଛନ୍ତି।
୧୯୮୧ରେ ଭାରତ ସରକାର ତାଙ୍କୁ ପଦ୍ମ ଭୂଷଣରେ ସମ୍ମାନିତ କରିଥିଲେ। ୧୯୯୦ରେ ତାଙ୍କୁ ପ୍ରଦାନ କରାଯାଇଥିଲା ପଦ୍ମ ବିଭୂଷଣ। ୧୯୯୭ ମସିହାରେ ତାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ’ଭାରତରତ୍ନ’ ପ୍ରଦାନ କରାଯାଇଥିଲା। ୧୯୯୭ରେ ତାଙ୍କୁ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଜାତୀୟ ସଂହତି ପାଇଁ ଇନ୍ଦିରା ଗାନ୍ଧି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୮ରେ ଅବଦୁଲ କଲାମଙ୍କୁ ଭାରତ ସରକାର ପ୍ରଦାନ କରିଥିଲେ ବୀର ସଭରକର ପୁରସ୍କାର। ଏହା ସହିତ ସେ ଏକାଧିକ ବିଶ୍ୱବିଦ୍ୟାଳୟରୁ ଡକ୍ଟରେଟ ଉପାଧି ପାଇଥିଲେ ଓ ଆହୁରି ଅନେକ ସଂସ୍ଥା ଓ ସଂଗଠନ ପକ୍ଷରୁ ସମ୍ମାନିତ କରାଯାଇଛି।
ମେଘାଳୟର ଶିଲଂର ଏକ ଶିକ୍ଷାନୁଷ୍ଠାନରେ ଲେକ୍ଚର୍ ଦେଉଥିବା ବେଳେ ୨୦୧୫ ଜୁଲାଇ ୨୭ତାରିଖରେ ତାଙ୍କର ପରଲୋକ ହୋଇଥିଲା। ସେତେବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା।
