ଇରାକରେ ମିଳିଲା ୪୫୦୦ ବର୍ଷ ପୁରୁଣା ପ୍ରାଚୀନ ମନ୍ଦିରର ଅବେଶେଷାଂଶ
ନୂଆଦିଲ୍ଲୀ : ଇରାକରେ ପ୍ରାୟ ୪୫୦୦ ବର୍ଷ ପୁରୁଣା ଏକ ପ୍ରାଚୀନ ମନ୍ଦିରର ଅବଶେଷାଂଶ ମିଳିଛି। ବ୍ରିଟିଶ ସଂଗ୍ରହାଳୟର ପ୍ରତ୍ନତତ୍ତ୍ୱବିଦ ୪୫୦୦ ବର୍ଷ ପୁରୁଣା ମନ୍ଦିରର ଅବଶେଷ ଖନନ କରିଥିଲେ। ଏହି ମନ୍ଦିର ଗିରୁସୁ ସ୍ଥିତ ପ୍ରାଚୀନ ସହର ଠାରେ ଠାବ କରାଯାଇଛି। ସୂଚନା ଅନୁଯାୟୀ ଠାବ କରାଯାଇଥିବା ଏହି ପ୍ରାଚୀନ ମନ୍ଦିର ଏକ ପୁରାତନ ସୁମେରୀୟ ମନ୍ଦିର ବୋଲି ଜଣାପଡ଼ିଛି। ଏନେଇ କୁହାଯାଉଛି ଯେ ଗିରସୁ ପ୍ରାଚୀନ ମେସୋପୋଟାମିଆ ସଭ୍ୟତାର ଏକ ଆକର୍ଷଣୀୟ ସାଂସ୍କୃତିକ କେନ୍ଦ୍ର ରହିଥିଲା। ପ୍ରତ୍ନତତ୍ତ୍ୱବିତ୍ ସେବାଷ୍ଟିଆନ୍ ରୟ ଏବଂ ତାଙ୍କ ଦଳ ଦ୍ୱାରା ଏହି ପୁରୁଣା ମନ୍ଦିର ସମ୍ପର୍କରେ ଅନୁସନ୍ଧାନ କରାଯାଇଥିଲା। ଅଜ୍ଞାତ ସଭ୍ୟତା ବିଷୟରେ ଜାଣିବାରେ ଏହି ପ୍ରାଚୀନ ମନ୍ଦିରର ଆବିଷ୍କାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ।
ପ୍ରତ୍ନତତ୍ତ୍ୱବିଦ୍ ଦକ୍ଷିଣ ପୂର୍ବ ଇରାକସ୍ଥିତ ପ୍ରାଚୀନ ସହର ଗିରସୁ ସହରର ମଧ୍ୟ ଭାଗରେ ରହିଥିବା ଏକ ୪୫୦୦ ବର୍ଷ ପୁରୁଣା ସୁମେରୀୟ ମନ୍ଦିରର ଅବଶେଷାଂଶ ଆବିଷ୍କାର କରିଛନ୍ତି। ଏନେଇ ବ୍ରିଟିଶ ସଂଗ୍ରହାଳୟ ପକ୍ଷରୁ କୁହାଯାଇଛି ଯେ ଏହି ପ୍ରାଚୀନ ମନ୍ଦିର ମେସୋପୋଟାମିଆ ଦେବତା ନିଙ୍ଗିରସୁଙ୍କୁ ଉତ୍ସର୍ଗ କରାଯାଇଛି। ଖବର ଅନୁଯାୟୀ ଏହି ମନ୍ଦିର ମାଟି ଇଟା ଦ୍ୱାରା ନିର୍ମିତ ହୋଇଥିଲା ଏବଂ ଏହା ପ୍ରାଚୀନ ଗିରସୁ ସହରର କେନ୍ଦ୍ରସ୍ଥଳ ଥିଲା। ଏହା ବର୍ତ୍ତମାନ ଏକ ପ୍ରତ୍ନତାତ୍ତ୍ୱିକ ସ୍ଥାନ ଯାହା ଟେଲୋ ନାମରେ ଜଣାଶୁଣା।
ଲଣ୍ଡନସ୍ଥିତ ବ୍ରିଟିଶ ସଂଗ୍ରହାଳୟର ପ୍ରାଚୀନ ମେସୋପୋଟାମିଆ ବିଭାଗ ମୁଖ୍ୟ ପ୍ରତ୍ନତତ୍ତ୍ୱବିତ୍ ସେବାଷ୍ଟିଆନ୍ ରୟ କହିଛନ୍ତି ଯେ, ଗିରୁସୁ ସହରର ମଧ୍ୟଭାଗରେ ଆମେ ଏକ ମନ୍ଦିରର ଅବଶେଷାଂଶ ଆବିଷ୍କାର କରିଛୁ। ଖନନ କାର୍ଯ୍ୟ ଜାରି ରହିଛି। ଏହି ମନ୍ଦିର ଗିରସୁ ସହରର ମୁଖ୍ୟ ଦେବତାଙ୍କୁ ଉତ୍ସର୍ଗ କରାଯାଇଥିଲା। ଗିରୁସୁ ମେସୋପୋଟାମିଆ ସଭ୍ୟତାର ଏକ ଆକର୍ଷଣୀୟ ସାଂସ୍କୃତିକ କେନ୍ଦ୍ର ଥିଲା। ଇରାକ, ପୂର୍ବ ସିରିଆ, ଦକ୍ଷିଣ ପୂର୍ବ ତୁର୍କୀ, ପଶ୍ଚିମ ଇରାନ ଏବଂ କୁଏତର ଏକ ଅଂଶ। ଏହା ଟାଇଗ୍ରିସ୍ ନଦୀ ମଧ୍ୟରେ ଅବସ୍ଥିତ ଏକ ବିସ୍ତୃତ ଅଞ୍ଚଳ। ସୁମେରୀୟ ସଭ୍ୟତା ସମ୍ଭବତଃ ଦୁନିଆର ସର୍ବ ପୁରାତନ ସଭ୍ୟତା। ଏହି ସଭ୍ୟତା ଧର୍ମ ଏବଂ ଆଇନ ପ୍ରତିଷ୍ଠା କରିବାରେ ପ୍ରଥମ ହୋଇଥିଲେ।
ଫରାସୀ ପ୍ରତ୍ନତତ୍ତ୍ୱବିତ୍ ଏର୍ନେଷ୍ଟ ଦେ ସରଜେକ୍ ପ୍ରଥମେ ୧୮୭୭ ମସିହାରେ ଗିରସୁର ଅବଶେଷାଂଶ ଆବିଷ୍କାର କରିଥିଲେ ଏବଂ ଏଠାରୁ ମିଳିଥିବା ସମସ୍ତ କଳାକୃତି ନେଇଯାଇଥିଲେ। ଯେଉଁଥିରେ ସୁମେରୀୟ ରାଜା ଗୁଡିଆଙ୍କ ୪୦୦୦ ବର୍ଷର ପୁରୁଣା ପ୍ରତିମୂର୍ତ୍ତି ମଧ୍ୟ ଅନ୍ତର୍ଭୂକ୍ତ ରହିଥିଲା। ଅନେକ ବର୍ଷର ସଂଘର୍ଷ ପରେ ବୈଜ୍ଞାନିକଙ୍କୁ ଦକ୍ଷିଣ ଇରାକରେ ଅବସ୍ଥିତ ପ୍ରଦେଶରେ ପ୍ରବେଶ କରିବାକୁ ବାରଣ କରାଯାଇଥିଲା। ଯଦିଓ ସେବାଷ୍ଟିଆନ୍ ରୟ ଏବଂ ତାଙ୍କ ଦଳ ନିଶ୍ଚିତ ଥିଲେ ଯେ ଏଠାରେ କିଛି ରହସ୍ୟ ଲୁଚି ରହିଛି।
