ଆରଡିସିଙ୍କ ଭଦ୍ରକ ଗସ୍ତ – ବିଭିନ୍ନ ବିଭାଗର କାର୍ଯ୍ୟଧାରାର ତଦାରଖ
ଭଦ୍ରକ : କେନ୍ଦ୍ରାଞ୍ଚଳ ରାଜସ୍ୱ କମିଶନର (ଆରଡିସି) ଡ. ସୁରେଶ କୁମାର ଦଳାଇ ଭଦ୍ରକ ଗସ୍ତରେ ଆସି ଜିଲା ପ୍ରଶାସନ ଅଧୀନରେ ଥିବା ସମସ୍ତ ବିଭାଗର କାର୍ଯ୍ୟଧାରାକୁ ତଦାରଖ କରିଛନ୍ତି । ଜିଲା ସଦ୍ଭାବନା ଗୃହରେ ଅନୁଷ୍ଠିତ ଆରଡିସିଙ୍କ ଏହି ଇନ୍ସିପେକ୍ସନ ବୈଠକରେ ଜିଲାପାଳ ସିଦ୍ଦେଶ୍ୱର ବଳିରାମ ବୋନ୍ଦର, ଦୁଇ ଅତିରିକ୍ତ ଜିଲାପାଳ ଶାନ୍ତନୁ କୁମାର ମହାନ୍ତି ଓ ରାମଦାସ ଟୁଡୁ, ଉପଜିଲାପାଳ ମନୋଜ ପାତ୍ର, ଡେପୁଟି କଲେକ୍ଟର କାର୍ତିକନାଥ ମଣ୍ଡଳଙ୍କ ସହ ବିଭିନ୍ନ ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ । ଅନୁଷ୍ଠିତ ବୈଠକରେ ମୁଖ୍ୟତଃ ରାଜସ୍ୱ, ଅଡିଟ୍, ଭୂ-ଅର୍ଜନ, ଅବକାରୀ, ସଡକ ପରିବହନ, ଜିଲା ପଂଚାୟତ ଅଫିସ୍, ଜିଲା ସମାଜ ମଙ୍ଗଳ, ଜିଲା ମଂଗଳ, ଶିଶୁ ସୁରକ୍ଷା, ସାମାଜିକ ସୁରକ୍ଷା, କ୍ରୀଡା, ବିଚାର ବିଭାଗ, ନିଜାରତ ଓ ସଂସ୍କୃତି ବିଭାଗ ସହ ଅନ୍ୟାନ୍ୟ ବିଭାଗର କାର୍ଯ୍ୟଧାରାକୁ ତଦାରଖ କରିଛନ୍ତି । ଏହି ବୈଠକ ଅପରାହ୍ନ ୪ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ୭.୩୦ ପର୍ଯ୍ୟନ୍ତ ୩ ଘଂଟାରୁ ଉର୍ଦ୍ଧ୍ୱ ସମୟ ଧରି ଚାଲିଥିଲା । ଜିଲା ପ୍ରଶାସନର ଅଡିଟ୍ ବିଭାଗରେ ଦୀର୍ଘଦିନ ଧରି ପଡିରହିଥିବା ଅଡିଟ୍ ପାରା ଗୁଡିକର ଫଇସଲା ହେଉନଥିବା ନେଇ ଆରଡିସି ଅସନ୍ତୋଷ ପ୍ରକାଶ କରିଥିଲେ । ବିଶେଷକରି ଏଜି ଅଡିଟ୍ ଶହେରୁ ଉର୍ଦ୍ଧ୍ୱ ମାମଲା ଫଇସଲା ନହୋଇ ପଡିରହିଥିବା ନେଇ କ୍ଷୋଭ ପ୍ରକାଶ କରିବା ସହ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାବ୍ୟତୀତ ଜିଲା ପ୍ରଶାସନର ବହୁ ପଦବୀ ଫାଙ୍କା ପଡିଥିବାର ନେଇ ଉଦ୍ବେଗ ପ୍ରକାଶ କରିଥିଲେ । ବିଶେଷକରି ସଦର ତହସିଲରେ ଦୀର୍ଘଦିନ ଧରି ତହସିଲଦାର ଓ ସବରେଜିଷ୍ଟ୍ରାର, ଅତିରିକ୍ତ ତହସିଲଦାର, ଆସିଷ୍ଟାଂଟ କଲେକ୍ଟର ପଦବୀ ଫାଙ୍କା ପଡିଛି । ସେହିପରି ୫୬ ଟି ତୃତୀୟ ଓ ଚତୁର୍ଥୀ ଶ୍ରେଣୀ ପଦବୀ ଫାଙ୍କା ପଡିଛି । ଏହି ପଦବୀଗୁଡିକ ପୂରଣ ନେଇ ତାଙ୍କ ଜରିଆରେ ସରକାରଙ୍କ ରାଜସ୍ୱ ବିଭାଗର ଦୃଷ୍ଟି ଆକର୍ଷଣ କରିବାକୁ ପରାମର୍ଶ ଦେଇଥିଲେ । ବିଭିନ୍ନ ତହସିଲରେ ଭୂମିହୀନମାନଙ୍କୁ ପଟ୍ଟା ଶୀଘ୍ର ପ୍ରଦାନ କରିବା ଓ ନାମଜାରୀ କେଶ୍ଗୁଡିକ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଆରଟିଆଇରେ ଦୀର୍ଘଦିନ ଧରି ପଡିରହିଥିବା ୨୦ଟି ଅଭିଯୋଗର ତଥ୍ୟ ପ୍ରଦାନ ନକରିବା ନେଇ ସେ ବିରକ୍ତି ପ୍ରକାଶ କରିଥିଲେ । ଧାନକିଣାରେ ଅଂଶଗ୍ରହଣ କରିଥିବା ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଗୁଡିକ ୮ ମାସ ଧରି ପ୍ରୋତ୍ସାହନ ରାଶି ନଦେବା, ମିଶନଶକ୍ତି ଗୃହ ନିର୍ମାଣରେ ବିଳମ୍ବ ଘଟିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଜୀବିକା ମିଶନରେ ଡବ୍ଲ୍ୟୁଏସଏଚ୍ଜି ପକ୍ଷରୁ ଉତ୍ପାଦିତ କରାଯାଉଥିବା ବିଭିନ୍ନ ସାମଗ୍ରୀର ବଜାର ସୃଷ୍ଟି କରିବା ନିମନ୍ତେ ଆରଡିସି ଗୁରୁତ୍ୱ ଦେଇଥିଲେ । ସେହିପରି ଜିଲାରେ ଥିବା ଆଦିବାସୀ ସ୍କୁଲ ଗୁଡିକର ଦଶମ ଶ୍ରେଣୀର ପରୀକ୍ଷାଫଳ ଭଲ ହେଉନଥିବା ନେଇ ସେ ଅସନ୍ତୋଷ ପ୍ରକାଶ କରିଥିଲେ । ଆସନ୍ତାବର୍ଷରେ ଯେପରି ପରୀକ୍ଷା ଫଳ ଏ-୧ ରେ ୯ ଜଣ ଓ ଏ-୨ ରେ ୨୭ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିବେ ଏ ନେଇ ଜିଲା ମଙ୍ଗଳ ଅଧିକାରୀଙ୍କୁ ଟାର୍ଗେଟ୍ ଦେଇଛନ୍ତି । ଜିଲା ସଡକ ପରିବହନ ବିଭାଗ(ଆରଟିଓ)ଙ୍କ ରାଜସ୍ୱ ଆୟ କମୁଥିବା ନେଇ ବୈଠକରେ ବିଭାଗ କର୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ସହ ଅଧିକ ୨୫ ପ୍ରତିଶତ ରାଜସ୍ୱ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅବକାରୀ ବିଭାଗ ପକ୍ଷରୁ ଏନଫୋର୍ସମେ ଆଶାନୁରୂପ ହେଉନଥିବା ନେଇ ଓ ରାଜସ୍ୱ ଆୟ କମିଯିବା ନେଇ ବିରକ୍ତି ପ୍ରକାଶ କରିଥିଲେ । ଆସନ୍ତା ଆର୍ଥିକ ବର୍ଷରେ ସରକାରଙ୍କ ଲକ୍ଷ୍ୟଧାର୍ଯ୍ୟ ସହ ଅଧିକ ୨୫ ପ୍ରତିଶତ ରାଜସ୍ୱ ଆଦାୟ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଆସନ୍ତା ଖରିଫ ଧାନ ସଂଗ୍ରହ କାର୍ଯ୍ୟ ଯେପରି ସୁରୁଖୁରୁରେ ହେବ, ଏ ନେଇ ଦୃଷ୍ଟି ଦେବାକୁ ସେ ପରାମର୍ଶ ଦେଇଥିଲେ । ଧାନକିଣା ସମୟରେ ମଣ୍ଡିରେ ଭିଡ ନହେବା ପାଇଁ ସ୍ଲଟ୍ ବୁକିଂ ମାଧ୍ୟମରେ ଧାନ କିଣିବାକୁ ପରାମର୍ଶ ଦେଇଥିଲେ । ସେହିପରି ଭିନ୍ନକ୍ଷମମାନଙ୍କ ବିଭାଗ କ୍ଷେତ୍ରରେ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରିବା ନେଇ ବୈଠକରେ ନିର୍ଦ୍ଦେଶ ଦେଇଥିଲେ । ପଂଚାୟତ ଗୁଡିକର ଇନ୍ସିପେକ୍ସନ କାର୍ଯ୍ୟ ନିୟମିତ ହୋଇପାରୁନଥିବା ନେଇ ସେ କ୍ଷୋଭ ପ୍ରକାଶ କରିଥିଲେ । ଏମ୍ପି ଓ ଏମ୍ଏଲ୍ଏ ଫାଣ୍ଠି ସଠିକ୍ ଭାବେ ବିନିଯୋଗ ନହୋଇ ଅର୍ଥ ପଡିରହୁଥିବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଅପେକ୍ଷାରତ ହିତାଧିକାରୀମାନଙ୍କୁ ବିଜୁ ପକ୍କାଘର ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
