ରଞ୍ଜିତ ସିଂ ହତ୍ୟା ମାମଲା : ରାମ ରହୀମଙ୍କୁ ଆଜୀବନ ଜେଲ
- ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ଆଜୀବନ ଜେଲ
- ୧୯ ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ
ଚଣ୍ଡିଗଡ : ରଞ୍ଜିତ ସିଂ ହତ୍ୟା ମାମଲାରେ ୧୯ ବର୍ଷ ପରେ ପରିବାରକୁ ମିଳିଲା ନ୍ୟାୟ । ବହୁ ଚର୍ଚ୍ଚିତ ଡେରା ମ୍ୟାନେଜର ରଞ୍ଜିତ ସିଂହ ହତ୍ୟା ମାମଲାରେ ସିବିଆଇର ସ୍ଵତନ୍ତ୍ର ଅଦାଲତ ସୋମବାର ଡେରା ସଚ୍ଚା ସୌଦାର ପ୍ରମୁଖ ଗୁରମିତ ରାମ ରହିମଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏହା ବ୍ୟତୀତ ଅନ୍ୟ ୪ ଅଭିଯୁକ୍ତଙ୍କୁ ମଧ୍ୟ ସମାନ ଦଣ୍ଡ ଦିଆଯାଇଛି। ପଞ୍ଚକୁଲାର ସିବିଆଇ କୋର୍ଟ ଏହି ରାୟ ଦେଇଥିବା ବେଳେ ରାମ ରହୀମଙ୍କୁ ୩୧ଲକ୍ଷ ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏହା ସହ ଅନ୍ୟ ୪ ଅଭିଯୁକ୍ତମାନଙ୍କୁ ୫୦-୫୦ ହଜାର ଟଙ୍କା ଜରିମାନା ଦେବାକୁ କୁହାଯାଇଛି। ଏହି ହତ୍ୟା ମାମଲାରେ ଅକ୍ଟୋବର ୮ରେ କୋର୍ଟ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ସିବିଆଇର ସ୍ଵତନ୍ତ୍ର ଅଦାଲତଙ୍କ ଏହି ନିଷ୍ପତ୍ତି ବିରୋଧରେ ରାମ ରହିମ ହାଇକୋର୍ଟର ଦ୍ଵାରସ୍ଥ ହେବେ ବୋଲି ଜଣା ପଡିଛି। ରଣଜିତ ସିଂହ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଡେରାମୁଖୀ ଗୁରମିତ ରାମ ରହିମ ଭିଡିଓ କନଫରେନ୍ସିଂ ଜରିଆରେ ସିବିଆଇ କୋର୍ଟରେ ହାଜର ହୋଇଥିଲେ। ଅନ୍ୟ ଚାରି ଅଭିଯୁକ୍ତ କୃଷ୍ଣ କୁମାର, ଅବତାର, ଯଶବୀର ଏବଂ ସଦବିଲଙ୍କୁ ପୋଲିସ କଡା ସୁରକ୍ଷାରେ କୋର୍ଟରେ ହାଜର କରାଇଥିଲା। ରାୟ ଶୁଣାଇବା ପୂର୍ବରୁ ହରିୟାଣାର ପଞ୍ଚକୁଲା ଜିଲାରେ ସୁରକ୍ଷା ବ୍ୟବସ୍ଥା କଡା କଡି କରାଯାଇ ୧୪୪ ଧାରା ଲାଗୁ କରାଯାଇଥିଲା।
ସୂଚନା ଯେ, ୨୦୦୨ରେ ପୂର୍ବତନ ଡେରା ମ୍ୟାନେଜର ରଣଜିତ ସିଂଙ୍କୁ ହତ୍ୟା କରାଯାଇଥିଲା। ଏକ ଅଜ୍ଞାତ ଚିଠି ପ୍ରସାରଣରେ ତାଙ୍କ ଭୂମିକା ଥିବା ନେଇ ସନ୍ଦେହ କରାଯାଇ ତାଙ୍କୁ ହତ୍ୟା କରାଯାଇଥିଲା। ଡେରା ମୁଖ୍ୟ କିପରି ମହିଳାମାନଙ୍କୁ ଯୌନ ଶୋଷଣ କରୁଛନ୍ତି, ସେ ବିଷୟରେ ଏହି ଚିଠିରେ ଲେଖାଯାଇଥିଲା। ସିବିଆଇ ଅନୁଯାୟୀ, ଅଜ୍ଞାତ ଚିଠିର ପ୍ରସାରଣ ପଛରେ ରଣଜିତ ସିଂଙ୍କ ହାତ ଅଛି ବୋଲି ଭାବି ଡେରା ମୁଖ୍ୟ ରାମ ରହିମ ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରିଥିଲେ। ସେହିପରି ତାଙ୍କର ଦୁଇ ଅନୁଗାମୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଗୁରମୀତ ରାମ ରହୀମଙ୍କୁ ୨୦୧୭ରେ ଦୋଷୀ ସାବ୍ୟସ୍ତ ସହ ୨୦ବର୍ଷ ଜେଲ ଦଣ୍ଡ ଦିଆଯାଇଥିଲା। ଏନେଇ ସେଠାରେ ଘଟିଥିବା ଦଙ୍ଗାରେ ୩୬ ଜଣଙ୍କ ମୃତ୍ୟୁ ଘଟିଥିଲା। ପଞ୍ଚକୁଲାରେ ଘଟିଥିବା ହିଂସାକୁ ଦୃଷ୍ଟିରେ ରଖି ରାମ ରହିମ ସଂପର୍କିତ କୌଣସି ବି ମାମଲାରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଉଛି।
