ଝାଡ଼ଖଣ୍ଡର ୧୦ତମ ରାଜ୍ୟପାଳ ଭାବେ ରମେଶ ବୈଶ ଶପଥ ଗ୍ରହଣ କଲେ
ରାଞ୍ଚି : ଝାଡ଼ଖଣ୍ଡର ନୂଆ ରାଜ୍ୟପାଳ ରମେଶ ବୈଶ ରାଜ୍ୟର ୧୦ତମ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି । ଝାଡ଼ଖଣ୍ଡ ହାଇକୋର୍ଟର ମୁଖ୍ୟ ବିଚାରପତି ରବି ରଞ୍ଜନ ରାଜ୍ୟପାଳଙ୍କୁ ରାଜଭବନର ବିର୍ସା ମଣ୍ଡପରେ ପଦ ଏବଂ ଗୋପନୀୟତାର ଶପଥ ଗ୍ରହଣ କରାଇଛନ୍ତି ।
ଏହା ପୂର୍ବରୁ ରମେଶ ବୈଶ ରାଜଭବନରେ ଭଗବାନ ବିର୍ସା ମୁଣ୍ଡାଙ୍କ ଫଟୋରେ ମାଲ୍ୟାର୍ପଣ କରିଥିଲେ । ଅପରାହ୍ନ ୧.୫୧ ସମୟରେ ରମେଶ ବୈଶ ଶପଥ ଗ୍ରହଣ ପାଇଁ ମଂଚରେ ପହଂଚିଲେ । ଏହି ସମୟରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍ ଏବଂ ତାଙ୍କର ମନ୍ତ୍ରିମଣ୍ଡଳର ମନ୍ତ୍ରୀ ଏବଂ ପ୍ରଶାସନିକ ଅଧିକାରୀଙ୍କ ସହ ଅନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ସେଠାରେ ରାଜ୍ୟପାଳ ରମେଶ ବୈଶଙ୍କ ପରିବାର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ । ଛତିଶଗଡ଼ର ରାୟପୁର ଆସନରୁ ସାତଥର ସାଂସଦ ଥିବା ରମେଶ ବୈଶ ଝାଡ଼ଖଣ୍ଡର ୧୦ତମ ରାଜ୍ୟପାଳ ହୋଇଛନ୍ତି । ସେ ମଙ୍ଗଳବାର ଦିନ ଝାଡ଼ଖଣ୍ଡର ରାଜଧାନୀ ରାଂଚିରେ ପହଂଚିଥିଲେ ।
