ସୁପ୍ରିମକୋର୍ଟରେ ପହଞ୍ଚିଲା ରାମ ନବମୀ ଏବଂ ହନୁମାନ ଜୟନ୍ତୀ ହିଂସା ଘଟଣା
ନୂଆଦିଲ୍ଲୀ : ସୁପ୍ରିମକୋର୍ଟରେ ପହଞ୍ଚିଲା ରାମ ନବମୀ ଏବଂ ହନୁମାନ ଜୟନ୍ତୀ ଉପରେ ହୋଇଥିବା ହିଂସା ଘଟଣା। ଦିଲ୍ଲୀର ଜାହାଙ୍ଗୀରପୁରୀ ସମେତ ଦେଶର ଅନେକ ସହରରେ ହୋଇଥିବା ହିଂସାକାଣ୍ଡର ଏନଆଇଏର ଯାଞ୍ଚ ପାଇଁ ଦାବି କରାଯାଇଛି। ଆଡଭୋକେଟ ଭିନିତ ଜିନ୍ଦଲ ଏସମ୍ପର୍କରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି। ଏକାଧିକ ରାଜ୍ୟରେ ଘଟିଥିବା ହିଂସାକାଣ୍ଡ ପରସ୍ପର ସହିତ ଯୋଡିତ ହୋଇପାରେ ବୋଲି ଆବେଦନକାରୀ ସନ୍ଦେହ କରିଛନ୍ତି। ଅନ୍ୟପଟେ ଜାହାଙ୍ଗୀରପୁରୀ କାଣ୍ଡର ମୁଖ୍ୟ ଅଭିଯୁକ୍ତ ସମେତ ୨୧ ଜଣଙ୍କୁ ଗିରଫ କରାଯାଇଛି।
ଉତ୍ତର ପଶ୍ଚିମ ଦିଲ୍ଲୀର ଜାହାଙ୍ଗୀରପୁରୀରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ସମୟରେ ଦୁଇ ସମ୍ପ୍ରଦାୟ ମଧ୍ୟରେ ସଂଘର୍ଷ ହୋଇଥିଲା, ଯାହା ପରେ ହିଂସା ରୂପ ନେଇଥିଲା। ପୋଲିସର ସୂଚନାନୁସାରେ, ପଥର ଫିଙ୍ଗିବା ସହ ଅନେକ ଗାଡିରେ ନିଆଁ ଲାଗାଯାଇଥିଲା। ଏହି ହିଂସାରେ ପୋଲିସ କର୍ମଚାରୀଙ୍କ ସମେତ ଅନେକ ଲୋକ ଆହତ ହୋଇଥିଲେ। ଏହି ଶୋଭାଯାତ୍ରାରେ ଖଣ୍ଡା ଏବଂ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ପ୍ରଦର୍ଶନ ହୋଇଥିବା ଜଣାଯାଇଛି। ଏହି ହିଂସାକାଣ୍ଡର ମାଷ୍ଟରମାଇଣ୍ଟ ଅଭିଯୋଗରେ ଅଂସାର ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି।
ପୋଲିସର ଏଫଆଇଆର ଅନୁଯାୟୀ, ଶନିବାର ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଜାମା ମସଜିଦ ନିକଟରେ ହନୁମାନ ଜୟନ୍ତୀ ଅବସରେ ଆୟୋଜିତ ଶୋଭାଯାତ୍ରା ପହଞ୍ଚିଥିଲା। ଏହି ସମୟରେ ୩୫ ବର୍ଷିୟ ଅଂସାର ନାମକ ଜଣେ ବ୍ୟକ୍ତି ତାଙ୍କ ୪-୫ ଜଣ ସାଥୀଙ୍କ ସହ ଆସି ଏହି ଶୋଭାଯାତ୍ରାରେ ସାମିଲ ଲୋକଙ୍କ ସହ ଯୁକ୍ତିତର୍କ କରିଥିଲେ। ବିତର୍କ ବଢ଼ିବା ସହିତ ପରିସ୍ଥିତି ଆହୁରି ଖରାପ ହେବା ସହ ଉଭୟ ପକ୍ଷରୁ ପଥର ଫିଙ୍ଗିବା ଆରମ୍ଭ ହୋଇଥିଲା। ଏପରରକି ସେଠାରେ ଥିବା ଯାନବାହାନରେ ନିଆଁ ଲଗାଇ ଦିଆଯାଇଥିଲା। ଲୋକମାନେ ବାଡ଼ି ଓ ଖଣ୍ଡା ବାହାର କରି ରାସ୍ତାକୁ ଆସିଥିଲେ।
ଏହି ମାମଲାରେ ଏପର୍ଯ୍ୟନ୍ତ ଦୁଇ ନାବାଳକଙ୍କୁ ସମେତ ୨୧ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ଗୋଟିଏ ପରିବାରର ଅଛନ୍ତି। ପୋଲିସ ୩ଟି ପିସ୍ତଲ ଏବଂ୫ଟି ଖଣ୍ଡା ଜବତ କରିଛି। ସୋମବାର ସାଇଣ୍ଟିଫିକ ଟିମ୍ ଘଟଣାସ୍ଥଳକୁ ଯାଇ ଫଟୋ ଓ ଭିଡିଓଗ୍ରାଫି କରିଛି। ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସିଟିଭି ଯାଞ୍ଚ କରାଯାଉଛି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବଶୀଘ୍ର କାବୁ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ହନୁମାନ ଜୟନ୍ତୀଙ୍କ ପୂର୍ବରୁ ଦେଶର ଅନେକ ରାଜ୍ୟରେ ରାମ ନବମୀ ଅବସରରେ ହିଂସା, ପଥର ଫିଙ୍ଗିବା ଏବଂ ଅଗ୍ନିକାଣ୍ଡ ଘଟିଥିଲା। ଦିଲ୍ଲୀ, ମଧ୍ୟପ୍ରଦେଶ, ଗୁଜୁରାଟ, ପଶ୍ଚିମବଙ୍ଗ, ଗୋଆ, ମହାରାଷ୍ଟ୍ର, ଝାଡଖଣ୍ଡ, ବିହାର, କର୍ଣ୍ଣାଟକ ଏବଂ ଛତିଶଗଡର ବିଚ୍ଛିନ୍ନ ଅଞ୍ଚଳରେ ସାମ୍ପ୍ରଦାୟିକ ଉତ୍ତେଜନା ଦେଖାଦେଇଥିଲା। ଗୁଜୁରାଟର ହିମତନଗର ଏବଂ ଖମ୍ବତ, ମଧ୍ୟପ୍ରଦେଶର ଖାର୍ଗୋନ,ଝାଡଖଣ୍ଡର ଲୋହରଡାଗା, ପଶ୍ଚିମବଙ୍ଗର ବାଙ୍କୁଡା, ଦିଲ୍ଲୀର ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ, ଗୋଆର ଭାସ୍କୋ ଏବଂ ବିହାରର ମୁଜାଫରପୁରରେ ହିଂସାକାଣ୍ଡ ଘଟିଥିଲା। ଦେଶର ୧୦ଟି ରାଜ୍ୟରେ ଏକା ସମୟରେ ହିଂସାକାଣ୍ଡ ଘଟିବା ସଂଯୋଗ ନୁହେଁ ଷଡଯନ୍ତ୍ର ହୋଇପାରେ ବୋଲି ଆଡଭୋକେଟ ଭିନିତ ଜିନ୍ଦଲ ସନ୍ଦେହ କରିଛନ୍ତି। ଏହି ସମସ୍ତ ମାମଲାର ତଦନ୍ତ ଏନଆଇଏ ଦ୍ୱାରା କରାଇବାକୁ ସେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଛନ୍ତି।
