ରାଜ୍ୟସଭା ନିର୍ବାଚନ : ଓଡ଼ିଶାରୁ କିଏ? ଚର୍ଚ୍ଚାରେ ଏସବୁ ନାମ
ଭୁବନେଶ୍ୱର : ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ରାଜ୍ୟ ରାଜନୀତି ଚଳଚଞ୍ଚଳ ହୋଇପଡ଼ିଛି । ସଂଖ୍ୟା ଦୃଷ୍ଟିରୁ ବିଜୁ ଜନାତ ଦଳ ବା ବିଜେଡି ର ପଲାଭାରି ଥିବାରୁ ବିଜେଡ଼ି କାହାକୁ ପ୍ରାର୍ଥୀ କରିବ, ତା ଉପରେ ସମସ୍ତଙ୍କ ନଜର ରହିଛି । ଜୁଲାଇରେ ଓଡିଶାରୁ ଏନ ଭାସ୍କର ରାଓ , ପ୍ରସନ୍ନ ଆଚାର୍ଯ୍ୟ ଏବଂ ସସ୍ମିତ ପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେଉଛି । ଯାହା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପସନ୍ଦକୁ ନେଇ କଳ୍ପନାଜଳ୍ପନା ଜୋର ଧରିଛି । ଦଳ ଭିତରେ ନେତାଙ୍କ ଲବି ଜୋରଦାର ହୋଇଛି । କେଉଁ ଭିତ୍ତିରେ କେଉଁ କ୍ଷେତ୍ରରୁ କାହାକୁ ବାଛିବେ ନବୀନ, ତାକୁ ନେଇ ଚାଲିଛି ଅଙ୍କକଷା । ବିଜେଡିରେ ଆଶାୟୀଙ୍କ ସଂଖ୍ୟା ବଢିଚାଲିଥିବା ବେଳେ କେହି କିନ୍ତୁ ମୁହଁ ଖୋଲୁନାହାନ୍ତି । ସମସ୍ତଙ୍କ ଭରସା ନବୀନଙ୍କ ଉପରେ ।
ସେପଟେ ଚର୍ଚ୍ଚା ଚାଲିଛି ଯେ ପଶ୍ଚିମ ଓଡ଼ିଶାରୁ କଲିକେଶ ସିଂ ଦେଓ, ପୁଷ୍ପେନ୍ଦ୍ର ସିଂ ଦେଓ, ଓଟିଡିସି ଅଧ୍ୟକ୍ଷ ଶ୍ରୀମୟୀ ମିଶ୍ର, ରାଶେଶ୍ୱରୀ ପାଣିଗ୍ରାହୀ, ଯୋଗେଶ ସିଂ, ନଲିନୀ ପ୍ରଧାନ, ପ୍ରଭାସ ସିଂ ଏବଂ ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଅସିତ ତ୍ରିପାଠୀଙ୍କ ନାମ ଆଗରେ ରହିଛି । ହୁଏତ ତ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପୁଣି ଥରେ ସୁଯୋଗ ମିଳିପାରେ ବୋଲି ଚର୍ଚ୍ଚା ଚାଲିଛି । ସେହିପରି ଦକ୍ଷିଣ ଓଡ଼ିଶାରୁ ରବି ନନ୍ଦ ଓ ନବରଙ୍ଗପୁରରୁ ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ନାମ ଆଗରେ ରହିଛି । ଅନ୍ୟପଟେ ଉତ୍ତର ଓଡ଼ିଶାରୁ ବାଲେଶ୍ୱର ବିଜେଜି ଅଧ୍ୟକ୍ଷ ରବିନ୍ଦ୍ର ଜେନା, ମହେଶ୍ୱର ମହାନ୍ତି, ପ୍ରସନ୍ନ ପାଟସାନି ଏବଂ ମାନସ ମଙ୍ଗରାଜଙ୍କ ନାମକୁ ନେଇ ଚର୍ଚ୍ଚା ଚାଲୁଛି ।
କିନ୍ତୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତାଙ୍କ ଉପରେ ଭରସା କରିବେ କି ଦଳ ବାହାରୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପରେ ଗୁରୁତ୍ୱ ଦେବେ, ତାହା ଉପରେ ସମସ୍ତଙ୍କ ନଜର ରହିଛି । ନାମାଙ୍କନ ଦାଖଲର ଦିନ ଯେତିକି ପାଖେଇ ଆସିବ, ରାଜ୍ୟ ରାଜନୀତିରେ ପାରା ସେତିକି ବଢ଼ି ଚାଲିବ । ମିଡ଼ିଆରେ ଚର୍ଚ୍ଚା ହେଉଥିବା ନେତାଙ୍କ ମଧ୍ୟରୁ କାହାକୁ ନବୀନ ବାଛିବେ ନା ଆଉ ଏକ ମାଷ୍ଟର ଷ୍ଟ୍ରୋକ୍ ଖେଳିବେ? କଂଗ୍ରେସ ଭୋଟଦାନରୁ ବିରତ ରହିବ ନା କାହାକୁ ସମର୍ଥନ କରିବ? ଏସବୁ ଉପରେ ସମସ୍ତଙ୍କ ନଜର ରହିଛି ।
ସୂଚନା ଯେ, ୧୫ଟି ରାଜ୍ୟର ୫୭ଟି ରାଜ୍ୟସଭା ଆସନ ପାଇଁ ଜୁନ ୧୦ରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନ ଆୟୋଗ ଗୁରୁବାର ନିର୍ବାଚନ ତାରିଖ ଘୋଷଣା କରିଛନ୍ତି । ଏହି ସମସ୍ତ ଆସନଗୁଡ଼ିକର ସାଂସଦଙ୍କ କାର୍ଯ୍ୟକାଳ ଜୁନରୁ ଅଗଷ୍ଟ ମଧ୍ୟରେ ଶେଷ ହେଉଛି । ରାଜ୍ୟସଭାରେ ମଧ୍ୟ ସଂଖ୍ୟାଗରିଷ୍ଠତା ହାସଲ କରିବାକୁ ବିଜେପି ନଜର ରଖିଛି । ୨୪୫ଟି ଆସନ ମଧ୍ୟରୁ ବର୍ତ୍ତମାନ ବିଜେପି ପାଖରେ ୧୦୧ ଆସନ ରହିଛି । ନିର୍ବାଚନ ପରେ ଏହି ସଂଖ୍ୟା ବୃଦ୍ଧି ପାଇବ । ଅନ୍ୟପକ୍ଷରେ କଂଗ୍ରେସ ପାଖରେ ୨୯ଟି ଆସନ ରହିଛି । ଉତ୍ତରାଖଣ୍ଡ ଓ ଉତ୍ତର ପ୍ରଦେଶରୁ ୨ଟି ଆସନ କମ୍ ହେବ, ଯଦିଓ ରାଜସ୍ଥାନ ଓ ଛତିଶଗଡରୁ ଏହା କ୍ଷତି ପୂରଣ ହୋଇଯିବ । ଏଥର ପଞ୍ଜାବରୁ କଂଗ୍ରେସକୁ ସବୁଠାରୁ ବଡ଼ ଝଟକା ଲାଗିବ । ମୋଟ ଉପରେ ବିଜେପିର ଶକ୍ତି ବୃଦ୍ଧି ସହ ଜୁଲାଇରେ ହେବାକୁ ଥିବା ରାଷ୍ଟ୍ରପତି ନିର୍ବାଚନରେ ସିଧାସଳଖ ପ୍ରଭାବ ପକାଇବ ।
