Rajesh Khanna Death Anniversary : ଫ୍ଲପ୍ ଫିଲ୍ମରୁ କ୍ୟାରିୟର ଆରମ୍ଭ କରିଥିଲେ ରାଜେସ୍ ଖାନ୍ନା, ଜାଣନ୍ତୁ କେମିତି ହେଲେ ସୁପରଷ୍ଟାର ?
ବଲିଉଡ଼ ଅଭିନେତା ତଥା ପୂର୍ବତନ ସାଂସଦ ରାଜେସ୍ ଖାନ୍ନା । ଆଜି ସେ ନାହାଁନ୍ତି ସତ କିନ୍ତୁ ତାଙ୍କ ଅଭିନୟକୁ ଝୁରି ହେଉଛନ୍ତି ଦର୍ଶକ । ୨୯ ଡିସେମ୍ବର ୧୯୪୨ ରେ ପଞ୍ଜାବର ଅମୃତସରରେ ଏକ ମଧ୍ୟବିତ ପରିବାରରେ ଜନ୍ମ ଗ୍ରହଣ କରିଥିଲେ। ଛୋଟ ବେଳୁ ଅଭିନୟ ପାଇଁ ରୁଚି ରଖୁଥିବା ପିଲାଟିଏ ଦିନେ ବଲିଉଡରେ ବାଦଶାହା ବନିଯିବ ତାହା କେହି ଚିନ୍ତା କରି ନଥିଲେ । ୨୦୧୨, ଜୁଲାଇ ୧୮ରେ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ, ଆସନ୍ତୁ ଜାଣିବା ତାଙ୍କ ବଲିଉଡର ଯାତ୍ରା କେମିତି ଥିଲା।
ବକ୍ସ ଅଫିସରେ କ୍ରମାଗତ ଭାବରେ ‘ଆଖରି କ୍ଷତ’, ‘ଅରୈତ’, ‘ରାଜ’ ଏବଂ ‘ବାହରନ୍ କେ ସପ୍ନେ’ ଫ୍ଲପ୍ ହୋଇଥିଲା। ଏହା ପରେ ୧୯୬୯ ମସିହାରେ ରାଜେଶ ଖାନ୍ନାଙ୍କ ଫିଲ୍ମ ‘ଆରାଧନା’ ତାଙ୍କୁ ଏକ ନୂତନ ଆଶା ଦେଇଥିଲା। ରାଜେଶ ଖାନ୍ନାଙ୍କ ଏହି ଚଳଚ୍ଚିତ୍ର ତାଙ୍କ କ୍ୟାରିୟରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଫିଲ୍ମ ତାଙ୍କୁ ରାତାରାତି ସୁପରଷ୍ଟାର ଆଖ୍ୟା ଦେଇଥିଲା । “ଆରାଧନା” କଥାଚିତ୍ରରେ ଅଭିନେତ୍ରୀ ଶର୍ମିଳା ଟାଗୋରଙ୍କ ସହ ତାଙ୍କ ଅଭିନୟ ଦର୍ଶକଙ୍କ ମନକୁ କିଣି ନେଇଥିଲା ।
ସେ ଅଭିନେତ୍ରୀ ହେମାମାଳିନୀଙ୍କ ସହ ସର୍ବାଧିକ ୧୫ଟି ରୋମାଣ୍ଟିକ ଫିଲ୍ମ କରିଥିଲେ । ଫିଲ୍ମ ଆନନ୍ଦରେ ସେ ଖୁବ ଉଚ୍ଚକୋଟୀର ଅଭିନୟ କରି ପ୍ରମାଣ କରିଦେଇଥିଲେ ଯେ,”ଫିଲ୍ମରେ ଜଣେ ଅଭିନେତା କାନ୍ଦିବାଟା ଦୁଃଖ ନୁହେଁ, ତାହାକୁ ଦେଖି ଯଦି ଦର୍ଶକ ଦେଖି କାନ୍ଦିବେ ତାହା ପ୍ରକୃତ ଦୁଃଖ” । ଫିଲ୍ମଟି ଦେଖିବାପରେ ଦର୍ଶକଙ୍କ କାନରେ ରାଜେଶଙ୍କ “ବାବୁମୁସାୟ” ଡାକଟି ସତେ ଯେମିତି ଗୁଞ୍ଜରିତ ହେଉଥିଲା ।
ଜୀବନ କାଳ ମଧ୍ୟରେ ସେ ୧୬୩ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ସେଗୁଡିକ ମଧ୍ୟରେ ୧୦୬ଟି ଫିଲ୍ମରେ ମୂଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମ ଫେୟାର ଆୱାଡ ପାଇଁ ସେ ୧୪ ଥର ମନୋନୟନ ତାଲିକାରେ ସ୍ଥାନ ପାଇଥିବା ବେଳେ ତାଙ୍କୁ ୩ ଥର ଶ୍ରେଷ୍ଠ ଅଭିନେତା ପୁରସ୍କୃତ କରାଯାଇଥିଲା ।
୨୦୦୫ରେ ତାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଥିଲା । ଅଭିନେତ୍ରୀ ଅଞ୍ଜୁ ମହେନ୍ଦ୍ରୁଙ୍କ ସହ ତାଙ୍କର ୭ ବର୍ଷର ପ୍ରେମ ସମ୍ପର୍କ ରହିଥିଲା । ତାହା ତୁଟି ଯିବାପରେ ସେ ୧୯୭୩ ମସିହାରେ ହଠାତ ଅଭିନେତ୍ରୀ ଡିମ୍ପଲ କାପାଡ଼ିଆଙ୍କୁ ବିବାହ କରି ବଲିଉଡ଼ରେ ଚହଳ ସୃଷ୍ଟି କରିଥିଲେ ।
ତାଙ୍କ ଦୁଇ ଝିଅ ଟ୍ୱିଙ୍କିଲ ଓ ରିଙ୍କି । ଅଭିନେତା ଅକ୍ଷୟ କୁମାର ତାଙ୍କର ଜ୍ବାଇଁ । ୧୯୮୪ରେ ଡିମ୍ପଲଙ୍କ ସହ ମନୋମାଳିନ୍ୟ ଯୋଗୁଁ ପରସ୍ପର ଦୁରେଇଯାଇଥିଲେ । କିନ୍ତୁ ସେମାଙ୍କ ମଧ୍ୟରେ ବିବାହ ଉଚ୍ଛେଦ ହୋଇନଥିଲା ।
