ରାଜେନ୍ଦ୍ରଙ୍କୁ ମିଳିଲା ‘ଅଞ୍ଜଳି ସାହସିକତା ସମ୍ମାନ’
ନୀଳଗିରି : ଦିବ୍ୟାଙ୍ଗ ମାନେ ବି କେଉଁଥିରେ କମ୍ ନୁହନ୍ତି । ଉତ୍କଳ ମଣ୍ଡପ ଭୁବନେଶ୍ୱରରେ ଅଞ୍ଜଳି ଇଣ୍ଟରନ୍ୟାଶନାଲ ଚିଲ୍ଡ୍ରେନ୍ ଆଣ୍ଡ ୟୁଥ୍ ଫେଷ୍ଟିଭାଲ ପକ୍ଷରୁ ବୁଧବାର ଉଦ୍ଯାପନୀ ସନ୍ଧ୍ୟାରେ ଏଭଳି ଏକ ସୁନ୍ଦର ବାର୍ତ୍ତା ଦେବା ସହ ପ୍ରକୃତିକୁ ଭଲ ପାଉଥିବା ମଣିଷ ଭିନ୍ନକ୍ଷମ ସତ୍ତ୍ୱେ ସାମାଜିକ ବିକାଶ କ୍ଷେତ୍ରରେ ଜୀବନବ୍ୟାପୀ ସେବା ପାଇଁ ରାଜେନ୍ଦ୍ର କୁମାର ଜେନାଙ୍କୁ ଚଳିତବର୍ଷ ଅଞ୍ଜଳି ସାହସିକତା ପୁରସ୍କାର ସହ ୨୫,୦୦୦ ଟଙ୍କାର ଚେକ୍ ମଧ୍ୟ ପ୍ରଦାନ କରାଯାଇଥିଲା । ଉଦ୍ଯାପନୀ କାର୍ଯ୍ୟକ୍ରମରେ ଅତିଥି ଭାବେ ପରମହଂସ ପ୍ରଜ୍ଞନନ୍ଦ, ସ୍ୱାମୀ ସୁଧାନନ୍ଦ ଗିରି, ସମ୍ଭାବନା ଓ ଅଞ୍ଜଳିର ସମ୍ପାଦିକା ଶ୍ରୁତି ମହାପାତ୍ର, ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ସୂଚନାଥାଉକି, ଭିନ୍ନକ୍ଷମ ରାଜେନ୍ଦ୍ର ଜେନା (୫୦)ଙ୍କ ଘର ବାଲେଶ୍ୱର ଜିଲା ନୀଳଗିରି ଏନ୍ଏସି ଅନ୍ତର୍ଗତ ଘାଟଘରସାହିରେ । ରାଜେନ୍ଦ୍ରଙ୍କ ନିଶା ଗଛ ଲଗାଇବା । ସେହିପରି ଗରୀବ ଲୋକଙ୍କ ପାଇଁ ନୀଳଗିରିରେ ଏକ ସଞ୍ଜିବନୀ ବିଶ୍ରାମ ଗାର ପ୍ରତିଷ୍ଠା କରିବା ସହ ସ୍ୱଚ୍ଛ ଭାରତ ଅଭିଯାନ, ରକ୍ତଦାନ ଶିବିର ଓ ଚକ୍ଷୁ ପରୀକ୍ଷା ଶିବିରରେ ସହଯୋଗ ଏବଂ ସଚେତନତା ବାର୍ତ୍ତା ବାଣ୍ଟିବା ମୂଳ ଲକ୍ଷ୍ୟ । ପ୍ରକୃତି ବଞ୍ଚାଇବା ପାଇଁ ତାଙ୍କର ଉଲ୍ଲେଖନୀୟ ଭୂମିକା ଏବଂ ଅସାଧାରଣ ଅବଦାନ ସମାଜ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି । ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ ମଧ୍ୟ ସେ ଥକି ପଡ଼ିନାହାନ୍ତି । ସେ ଅନବରତ ଗଛକୁ ଭଲ ପାଇବା ସହ ଚାରାରୋପଣ କରିଚାଲିଛନ୍ତି । ବିଭିନ୍ନ ରାସ୍ତା ପାଶ୍ୱର୍ରେ ସେ ଗଛ ଲଗାଇ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଛନ୍ତି । ଗତ ୨୦୧୬ରୁ ଦୀର୍ଘ ୫ ବର୍ଷରୁ ଉର୍ଦ୍ଧ୍ୱ ହେବ କେଉଁଠିବି ଟିକିଏ ଖାଲି ସ୍ଥାନ ଦେଖିଲେ ସେ ଚାରାରୋପଣ ପାଇଁ ଚେଷ୍ଟା ଚଳାଇଥାନ୍ତି । ଏହି ଖବର ପ୍ରଚାରିତ ହେବାପରେ ନୀଳଗିରିର ବହୁ ଅନୁଷ୍ଠାନ ଏବଂ ବୁଦ୍ଧିଜୀବୀ ପ୍ରଶଂସା କରିବା ସହ ତାଙ୍କର ଦୀର୍ଘଜୀବନୀ କାମନା କରିଛନ୍ତି ।
