ରାଜସ୍ଥାନ କ୍ୟାବିନେଟରେ ମନ୍ତ୍ରୀଙ୍କ ସମୂହ ଇସ୍ତଫା, ଖୁବଶୀଘ୍ର ନବକଳେବର !
ଜୟପୁର : ରାଜସ୍ଥାନରେ କ୍ୟାବିନେଟରେ ହେବାକୁ ଯାଉଛି ବଡ ପରିବର୍ତ୍ତନ । ଦୀର୍ଘ ଦିନ ଧରି ଲାଗି ରହିଥିବା ଅଦଳବଦଳ ଚର୍ଚ୍ଚା ଶେଷ ହେବାକୁ ଯାଉଛି । ଶନିବାର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମନ୍ତ୍ରୀ ପରିଷଦର ବୈଠକରେ ସମସ୍ତ ମନ୍ତ୍ରୀ ଇସ୍ତଫା ହୋଇଥିବା ସୂଚନା ରହିଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲେଟ ନିଜେ ମନ୍ତ୍ରୀମାନଙ୍କ ଠାରୁ ଇସ୍ତଫା ମାଗିଥିବା ଜଣାପଡିଛି । ବର୍ତ୍ତମାନ ମନ୍ତ୍ରୀ ପରିଷଦରୁ ବାଦ ପଡିଥିବା ମନ୍ତ୍ରୀଙ୍କ ଇସ୍ତଫାପତ୍ର ରାଜ ଭବନକୁ ପଠାଯିବ।
ଆଜିର ଏହି ବୈଠକରେ ରାଜ୍ୟ ପ୍ରଭାରୀ ଅଜୟ ମାକେନ୍ ମଧ୍ୟ ଉପସ୍ଥିତ ଅଛନ୍ତି । ବର୍ତ୍ତମାନ କ୍ୟାବିନେଟରେ ନୂଆ ମୁହଁକୁ ସାମିଲ କରି ଦଳୀୟ ଅନ୍ତଃକନ୍ଦଳକୁ ପ୍ରଶମିତ କରିବା ପାଇଁ ଦଳ ଚେଷ୍ଟା କରିଯାଇପାରେ । ପୂର୍ବରୁ ରାଜ୍ୟର ୧୩ ଟି ଜିଲ୍ଲା କ୍ୟାବିନେଟରେ ପ୍ରତିନିଧିତ୍ୱ ସୁଯୋଗ ପାଇନଥିଲା ବେଳେ ବର୍ତ୍ତମାନ ଶିକ୍ଷାମନ୍ତ୍ରୀ ଗୋବିନ୍ଦ ଦୋଟାସରା, ସ୍ୱାସ୍ଥ୍ୟମନ୍ତ୍ରୀ ରଘୁ ଶର୍ମା ଏବଂ ରାଜସ୍ୱ ମନ୍ତ୍ରୀ ହରିଶ ଚୌଧୁରୀଙ୍କ ଇସ୍ତଫା ପରେ ରାଜ୍ୟରେ ୧୬ଟି ଜିଲ୍ଲା କ୍ୟାବିନେଟରେ ପ୍ରତିନିଧିତ୍ୱ ପାଇଁ ନହିଁ । ତେବେ ସମ୍ପୂର୍ଣ୍ଣ ନବଗଠିତ ହେବାକୁ ଥିବା କ୍ୟାବିନେଟରେ ସ୍ଥାନ ପାଇନଥିବା ଜିଲ୍ଲାର ବିଧାୟକ, ଅସନ୍ତୁଷ୍ଟ ଗୋଷ୍ଠୀରୁ କିଛି ନୂଆ ମୁହଁକୁ କ୍ୟାବିନେଟରେ ବଡ ଦାୟିତ୍ବ ମିଳିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ତେବେ କେମିତି ରହିବ ନୂଆ କ୍ୟାବିନେଟର ରୁପରେଖ ତାକୁ ସମସ୍ତଙ୍କ ଅପେକ୍ଷା ।
