ରଜ ପୋଡ଼ପିଠା ଓ ପାନ
ପିଠା ଭିତରେ ସାର ରଜ ପୋଡ଼ ପିଠା । ଘରେ ହେଉ ବା ରଜ ଦୋଳିରେ ସବୁରି ହାତରେ ଖଣ୍ଡେ ପିଠା । ଏଇ ପୋଡ଼ପିଠାର ମହକ ଖେଳିଯାଏ ଚାରିଆଡ଼େ । ବର୍ଷକରେ ଥରେ ଘରେ ପୋଡ଼ ପିଠା ହେବ ବୋଲି କାହାରି ପାଦ ତଳକୁ ଲାଗୁନଥାଏ । ପହିଲିରଜ ପୂର୍ବଦିନ ସଜବାଜ । ରଜ ସଉଦାରେ ପୋଡ଼ ପିଠାର ସବୁ ଚିଜ କିଣା ଯାଇଥାଏ । ରାତିରେ ରୋଷେଇବାସ ସରିଲା ପରେ ଶାଶୂ-ବୋହୂ ମିଶି ପୋଡ଼ପିଠା ତିଆରିରେ ଲାଗିଯାନ୍ତି । ହାଣ୍ଡିଶାଳରେ ଚୁଲିରେ ମାଟି ହାଣ୍ଡି ବସାଇ ପାଣି ଫୁଟାଏ ବୋହୂ । ଏଥିରେ ପଡ଼େ ଆବଶ୍ୟକ ପରିମାଣର ଲୁଣ ଆଉ ଗୁଡ଼ । ଶାଶୂ ଚୁଲିମୁଣ୍ଡରେ ବସି ବଢ଼େଇ ଦେଉଥାଏ । ବୋହୂ ଫୁଟନ୍ତା ପାଣିରେ ପୂର୍ବରୁ ଶିଳରେ ପ୍ରସ୍ତୁତ ଚାଉଳ ଚୂନା ପକାଇ ଏହାକୁ ଯନ୍ତିବାକୁ ଆରମ୍ଭ କରେ । ସହଯୋଗ କରେ ଶାଶୂ । ଚୂନା ଯନ୍ତି ଆସିବାବେଳକୁ ଏଥିରେ ପଡ଼େ ଅଦା, ମରିଚ ଆଉ ପାତିନଡ଼ିଆ । କେତେବେଳେ କେମିତି ଏହି ପିଠାରେ ବସାଦହି ବି ପଡ଼ିଥାଏ, ଯାହା ସ୍ୱାଦଯୁକ୍ତ କରାଏ ପିଠାକୁ । ଚୂନା ଯନ୍ତା ସରିଲା ପରେ ଏହାକୁ ଅଜାଡ଼ି ଦିଆଯାଏ ପଲମରେ । ପଲମରେ ଦିଆଯାଏ କଦଳୀପତ୍ର । ଏଥିରେ ଚୂନାଯନ୍ତାକୁ ହାତରେ ସଜାଡ଼ି ଜୁଆଣି, ଅଳେଇଚ, ଗୁଜୁରାତି ପ୍ରଭୃତି ମସଲା ଦିଆଯାଏ । ଏତେସବୁ କାମ ଭିତରେ ଘଷି ରଡ଼ନିଆଁ ଝଟକି ଉଠୁଥାଏ ଚୁଲିରେ । ତଳେ ଚୁଲି ନିଆଁ, ଆଉ ଚୁଲି ଉପରେ ପଲମ ବସାଇ ପଲମରେ ଉପରେ ଅଜାଡ଼ି ଦିଆଯାଏ ରଡ଼ନିଆଁ । ରାତିସାରା ଚୁଲି ପାଉଁଶରେ ପିଠା ପୋଡ଼ା ହେଉଥାଏ । ପିଠାକାମ ସାରି ସମସ୍ତେ ଶୋଇପଡ଼ନ୍ତି ।
ସକାଳୁ ଉଠିଲେ ସମସ୍ତଙ୍କର ମନେ ପଡ଼େ ପୋଡପିଠା କଥା । ଗାଧୁଆ ସାରି ନୂଆ ବେଶପୋଷାକରେ ମଜିଯାନ୍ତି ପିଲାଠୁ ବୁଢ଼ାଯାଏ । ଖୁସି କହିଲେ ନସରେ । ପହିଲି ରଜର ପହିଲି ପୁଲକ ଭରିଯାଏ ମନରେ । ରଙ୍ଗ ବେରଙ୍ଗର ପୋଷାକରେ କିଶୋରୀ ଓ ଯୁବତୀଙ୍କର ଗାଁ ବୁଲା ଆରମ୍ଭ ହୋଇଯାଇଥାଏ । ବାଡ଼ିପଟେ ଆମ୍ବ କି ବରଗଛରେ ରଜଦୋଳି ସଜ ହୋଇଥାଏ । ଘରର ବଡ଼ବୋହୂ କି ଯେ କେହି ମହିଳା ଗାଧୁଆପାଧୁଆ ସାରି ନୂଆବସ୍ତ୍ର ପିନ୍ଧି ଚୁଲିରୁ ପିଠା ଓହ୍ଲାଇ ପନିକି ଧରି ବସିପଡ଼ନ୍ତି ପୋଡପିଠା କାଟିବାକୁ । ଚାରିପଟେ ବେଢ଼ିଯାନ୍ତି ପିଲାମାନେ । କଟା ପୋଡପିଠାରୁ କିଛି ପ୍ରଥମେ ଗୃହଦେବୀ ବୃନ୍ଦାବତୀଙ୍କ ଠାରେ ଭୋଗ ଲଗାଯାଏ । ପରେ ପିଣ୍ଡି ଓ ବାରିଆଡ଼େ ଦିଆଯାଏ ଏହି ପିଠା । ପରେ ଘରର ବୋହୂ ଏହି ପିଠାକୁ ପ୍ରଥମେ ମାନ୍ୟ ଲୋକ ଓ ପରେ ପିଲାଙ୍କ ଭିତରେ ବାଣ୍ଟି ଦିଅନ୍ତି । ପିଲାଙ୍କର ମଧ୍ୟ ଏହାକୁ ଖାଇବାର ଉତ୍ସାହ କିଛି କମ୍ ନୁହେଁ । ସାଇପଡ଼ିଶାରେ ଏହି ପିଠା ବଣ୍ଟାଯାଏ । କାହାରି ଘରେ ସେଇବର୍ଷ କେହି ମରିଥିଲେ ତାଙ୍କ ଘରେ ପିଠା ହୋଇନଥାଏ, କିନ୍ତୁ ସାଇପଡ଼ିଶାରେ କେତେଆଡ଼ୁ ପିଠା ପହଞ୍ôଚଯାଏ ତାଙ୍କ ଘରେ । ରଜରେ ପୋଡ଼ପିଠା ବାଣ୍ଟିବାର ପରମ୍ପରା ଗ୍ରାମ୍ୟ ସଂସ୍କୃତିରେ ଖୁବ୍ ନିଆରା । ଝିଅମାନେ ଦଳ ଦଳ ହୋଇ ପୋଡ ଼ପିଠା ଖାଇ ରଜଦୋଳି ଖେଳିବାର ଦୃଶ୍ୟ ଖୁବ ଆମୋଦଦାୟକ । ପୋଡ଼ପିଠାର ମହକରେ ମହକିଯାଏ ସାରା ଗାଁ । ପୋଡ଼ପିଠା ଓଡ଼ିଆ ଖାଦ୍ୟ ସଂସ୍କୃତିରେ ତା’ର ସ୍ୱତନ୍ତ୍ରତା ବଜାୟ ରଖିଛି । ଓଡ଼ିଆର ଜାତୀୟ ପର୍ବ ରଜରେ ଓଡ଼ିଆଣୀର ପୋଡ଼ପିଠା ଖୁବ୍ ସ୍ୱାଦ ଓ ରୁଚିପୂର୍ଣ୍ଣ । ଲକ୍ଷ୍ମୀପୁରାଣରେ ମହାଲକ୍ଷ୍ମୀ ଶ୍ରୀଜଗନ୍ନାଥ ଓ ଶ୍ରୀବଳରାମଙ୍କୁ ଖାଇବା ଶେଷରେ ପୋଡ଼ପିଠା ଦେବାର ବର୍ଣ୍ଣନା ରହିଛି । ତେଣୁ ଶ୍ରୀମନ୍ଦିର ପରମ୍ପରାରେ ଓଡ଼ିଶାର ଲୋକଦେବତାଙ୍କ ପାଖରେ ଏହା ଖୁବ୍ ପ୍ରିୟ, ଯେଉଁଥି ପାଇଁ ମହାପ୍ରଭୁ ରଥଯାତ୍ରାରେ ଆସନ୍ତି ମାଉସୀ ମା\’ଘର । ଓଡ଼ିଶା ଏକ କୃଷି ପ୍ରଧାନ ଦେଶ ଓ ରଜ ଏକ କୃଷିଭିତ୍ତିକ ପର୍ବ । ଏଠାରେ ଧାନ ଫସଲ ମୁଖ୍ୟ ହୋଇ ଥିବା ବେଳେ ଚାଉଳ ଚୂନାରେ ତିଆରି ଏହି ପିଠା ଉତ୍କଳୀୟ ସାଂସ୍କୃତିକ ଧାରାରେ ଚଳଣିର ଅଂଶ ହୋଇରହିଛି । ପାନ ହେଉଛି ଓଡ଼ିଆର ପ୍ରାଣ । ପ୍ରାଚୀନ ଓଡ଼ିଶାରୁ ପାନର ସୃଷ୍ଟି ଆଉ ଏହା ଆମ ସଂସ୍କୃତି ସହ ନିବିଡ଼ ହୋଇ ରହିଛି – କାହିଁ କେଉଁ କାଳରୁ । ଏମିତିକି ଓଡ଼ିଶାର ଲୋକ ଦେବତା ଜଗନ୍ନାଥଙ୍କର ମଧ୍ୟ ବିଡ଼ିଆ ପାନ ଖଣ୍ଡେ ନହେଲେ ନଚଳେ । ପାନ କାହାର ପ୍ରିୟ ନୁହେଁ ଯେ । ନ ଖାଇଲା ଲୋକଙ୍କୁ ସାଧା ଖିଲିପାନ ଖଣ୍ଡେ ଦେଲେ ସେ ବି ଖୁସିରେ ଖାଇଦେବ । ଆଉ ରଜ କଥା ପୁରା ଅଲଗା । ପୁଣି ରଜପାନର ସ୍ୱାଦ ବି ଖୁବ୍ ରୁଚିକର । ପ୍ରେମ, ପ୍ରିତୀ ଓ ପ୍ରଣୟର ପ୍ରତୀକ ଏଇ ପାନ ।
କବିସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନାରେ ଏମିତି ବି ବର୍ଣ୍ଣନା ରହିଛି – “ସେ ଯେବେ କରିବେ ମାନ, ଭାଙ୍ଗି ଭୁଞ୍ଜାଇବି ପାନ, ଗଣ୍ଡେ ଦେଇଣ ଚୁମ୍ବନ, ହରଷ ମୁଁ କରାଇବି, ମଲ୍ଲୀମାଳ ଶ୍ୟାମକୁ ଦେବି ମନ ତୋଷିବି ।’ପାନ ଖାଉଥିବା ଝିଅଙ୍କ ଓଷ୍ଠାଧାରର ସୌନ୍ଦର୍ଯ୍ୟ ଅବର୍ଣ୍ଣନୀୟ । ପାନ ଦିଆ ନିଆରେ ସମ୍ପର୍କ ବଢ଼େ, ପ୍ରେମରେ ପୂର୍ଣ୍ଣତା ଆଣେ ପାନ । ନୂଆ ବୋହୂଟିଏ ଘରକୁ ଆସିଲେ ତା’ର ଶାଶୂ, ସାଇପଡ଼ିଶା ପ୍ରଥମେ ପାନ ଭଙ୍ଗାର ପରୀକ୍ଷା ନେଉଥିଲେ । ଗୁରୁଜନମାନଙ୍କୁ ନିଜ ହାତଭଙ୍ଗା ପାନ ପରଷିଦେଇ ବୋହୂଟି ମଥାନୁଆଁଇ ପ୍ରଣାମ କରୁଥିଲା । ତେଣୁ ପାନ ଓଡ଼ିଶା ସଂସ୍କୃତିର ଛତ୍ରେ ଛତ୍ରେ ରହିଛି । ରଜପର୍ବରେ ସହୀ ସଙ୍ଗାତ, ମକର, ବଉଳଙ୍କ ସହିତ ପାନଭଙ୍ଗା ଓ ପରସ୍ପର ଆଦାନ ପ୍ରଦାନ ଓଡ଼ିଆ ଘରର ଚଳଣିରେ ଗ୍ରାମୀଣ ଜୀବନର ଧାରାକୁ ଏବେ ବି ଉଜ୍ଜିବୀତ କରି ରଖିଛି । ପାନ ଖାଇ ରଜଦୋଳିରେ ବସି ଝିଅ ମାନେ ରଜପାନର ଗୀତ ବୋଲିବା ପରିବେଶକୁ ଖୁବ୍ ଆମୋଦିତ କରିଥାଏ ।
“ବାଉଁଶ ଅଗରେ ଧାନ , ମୁଁ ଦେବି ପଇସା ଖାଇବୁ ପାନ
ମୋ ବଉଳ ମିତଲୋ , ଏବେ ଚାଲିଯିବା ବୃନ୍ଦାବନ ।
ଉଇଁ ଆସେ ନୂଆ ଜହ୍ନ, ଚାଲ ଯିବା ମିଶି ଗୁଆଖାଦାନ
ମୋ କାଇଁଚମାଳାଲୋ, ଆମେ ସେଇଠି ଖାଇବା ପାନ ।’
ପାନ ଖଣ୍ଡକରେ କିଣି ହୋଇଯାଏ ମନ । ମୁଖର ସୌନ୍ଦର୍ଯ୍ୟ ଓ ବାସ ବୃଦ୍ଧି କରିଥାଏ ବୋଲି ପାନର ଅନ୍ୟ ନାମ ମୁଖବାସ । ପୁଣି ରଜ ଖେଳ ଭିତରକୁ ବି ପାନ ପଶି ଆସିଛି । ବୟସ୍କ ଓ ମହିଳାଙ୍କ ତାସ ଖେଳରେ କଳାପାନ ଓ ନାଲିପାନର ଆଡ୍ଡା ଖୁବ୍ ଜମେ । ଏବେ ଘରେ ଘରେ ରଜପାନ । ଆଉ ରାଜଧାନୀର ଲୋକଙ୍କୁ ରଜପାନ ଦେବାକୁ ଶହ ଶହ ପାନ ଦୋକାନୀ ବି ଏବେ ପସରା ମେଲାଇ ବସିଛନ୍ତି । ସେମାନେ ଖାସ୍ ରଜପାନ ହିଁ ତିଆରି କରୁଛନ୍ତି ।
ପାନରେ ଗୁଆ, ଚୂନ, ଖଇର ସହ ଅନ୍ୟାନ୍ୟ ବ୍ୟବହୃତ ମସଲା ସବୁର ଖୁବ୍ ଔଷଧୀୟ ଗୁଣ ରହିଛି । ଚରକ ସଂହିତାରେ ପାନରେ ଗୁଆ, କର୍ପୂର, ଜାଇଫଳ, ଲବଙ୍ଗ, କଙ୍କୋଳ ଓ ଗୁଜୁରାତି ଦିଆଯାଇଥିବା ପାନ କଥା କୁହାଯାଇଛି । ଏ ସବୁ ମସଲା ପାନର ସ୍ୱାଦ, ସୁଗୁଣ ଓ ସୁବାସ ନେଇ ଆସିଥାଏ । ପାନର ମୁଖ୍ୟ ଉପାଦାନ ଗୁଡ଼ିକ ହେଲା – ପାନ, ଚୂନ, ଗୁଆ, ଖଇର, ଲବଙ୍ଗ, ଗୁଜୁରାତି, ଅଳେଇଚ, ଜାଇତ୍ରୀ, ଜାଇଫଳ, ଖୁରୁଡ଼ି ନଡ଼ିଆ, ବାଦାମ, କର୍ପୂର, କବାବ ଚିନି, କେଶର, ଡାଲଚିନି, କସ୍ତୁରୀ, ସୁନା ତବକ, ରୁପାତବକ, ଶୁଣ୍ଠି, ଅଦା, ଚନ୍ଦନ, ମାତୁଲୁଙ୍ଗ, ପିପରମେଣ୍ଟ, ଲବଳୀ, ନଖି ଓ ମୁରାମାଂସ । ଏ ସବୁ ପାନ ମସଲାଦେଇ ଖୁବ୍ କୌଶଳରେ ମୋଡ଼ାଯାଏ ପାନ, ଆଉ ଏଥିରେ ଲବଙ୍ଗ ଗୁନ୍ଥି ବଢ଼େଇ ଦିଆଯାଏ । ଆତ୍ମୀୟ ସ୍ୱଜନଙ୍କୁ । ଏମିତି ଳୋକ ଅଛନ୍ତି, ଯେଉଁମାନେ ପାନଖଣ୍ଡେ ନ ହେଲେ କାମ କରି ପାରନ୍ତି ନି । ତେବେ କଡ଼ାପାନ ନିଶ୍ଚୟ ସ୍ୱାସ୍ଥ୍ୟପକ୍ଷେ ଖୁବ୍ କ୍ଷତିକାରକ । ପାନ ଖର୍ଚ୍ଚ ବି ଅନେକ ସମୟରେ ଅଣ୍ଟାରୁ ପଇସା ସାରିଦିଏ । ତଥାପି ପାନର ମହତ୍ୱ ଖୁବ୍ ବେଶୀ, ଯେତେବେଳେ ଏହା ମନରେ ସପ୍ରୀତି ଓ ପ୍ରେମଭାବ ଆଣି ଆବେଗକୁ ଉଦ୍ବେଳିତ କରେ । ପାନ ଏବେ ଦଶ ଟଙ୍କାରୁ ଆରମ୍ଭ କରି ଦେଢ଼ଶହ ଟଙ୍କା ପର୍ଯ୍ୟନ୍ତ ମିଳୁଛି ସବୁଆଡ଼େ । ନିଆଳି, କାକଟପୁର ଅଞ୍ଚଳରୁ ଏଠାକୁ ଆସୁଛି ପାନ, ପୁଣି ପାନମସଲା ଆସୁଛି ଦିଲ୍ଲୀ ଓ କଲକତାରୁ । ବନାରସ ଓ ସାଞ୍ôଚର ପାନ ବି ଏଠାକୁ ଆସୁଛି ବିକ୍ରି ପାଇଁ । ଜାଫ୍ରାନ ଓ ଗୁଲକନ୍ଦର ଚାହିଦା ବି ଓଡ଼ିଶା ବଜାରରେ ଖୁବ୍ । ରାଜଧାନୀରେ ପାନ ଦୋକାନ କରି ହଜାର ହଜାର ଲୋକ ପେଟପାଟଣା ଦେଖୁଥିବା ବେଳେ – ଏବେ ସେମାନଙ୍କର ରଜ ବଜାର ବେଶ୍ ଜମିଛି । ଝିଅଙ୍କର ଏବେ ପାନଖିଆର ବେଳ ।
