ଅବପାତର ରୂପ ନେଲା ଘୂର୍ଣ୍ଣିବଳୟ, ପ୍ରବଳ ବର୍ଷା ସମ୍ଭାବନା
ଭୁବନେଶ୍ୱର : ଅବପାତର ରୂପ ନେଲା ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ପାରାଦୀପ ଠାରୁ ୭୦ କିଲୋମିଟର ପୂର୍ବକୁ କେନ୍ଦ୍ରୀଭୂତ ହୋଇଥିବା ନେଇ ପାଣିପାଗ କେନ୍ଦ୍ରର ସୂଚନା ଦେଇଛି । ଏହା ଏବେ ପଶ୍ଚିମ -ଉତ୍ତରପଶ୍ଚିମ ଦଗରେ ଗତି କରୁଛି । ଚାନ୍ଦବାଲି ସୀମା ଦେଇ ଏହା ଅତିକ୍ରମ କରିବ। ଆଗାମୀ ୪୮ ଘଣ୍ଟା ମଧ୍ୟରେ ଏହା ଛତିଶଗଡ଼ ଏବଂ ମଧ୍ୟପ୍ରଦେଶ ଅଭିମୁଖେ ଅଗ୍ରସର ହେବ। ଏହାର ପ୍ରଭାବରେ ଉପକୂଳ ଏବଂ ପଶ୍ଚିମ ଓଡ଼ିଶାରେ ଆଜି ପ୍ରବଳ ବର୍ଷା ଲାଗି ରହିବି । ଉପକୂଳ ଓଡ଼ିଶାରେ ୪୫ରୁ ୫୫ କିଲୋମିଟର ବେଗରେ ପବନ ବହୁଛି । ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିଛି। ଏଣୁ ଆସନ୍ତା କାଲି ପର୍ଯ୍ୟନ୍ତ ନ ସମୁଦ୍ରକୁ ନଯିବା ଲାଗି ସତର୍କ କରାଇଦିଆଯାଇଛି। ଲଘୁଚାପ ପ୍ରଭାବରେ ରବିବାର ଦିନତମାମ ଉପକୂଳ ଓଡ଼ିଶାରେ ପ୍ରବଳରୁ ଅତିପ୍ରବଳ ବର୍ଷା ଲାଗି ରହିଥିଲା।
ପୁରୀ, ଖୋର୍ଧା, ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ବର୍ଷା ହୋଇଥିବା ବେଳେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଆଜି ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ପକ୍ଷରୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବା ଲାଗି କୁହାଯାଇଛି। ଲଗାଣ ବର୍ଷା ଯୋଗୁଁ ମହାନଦୀ, ଦେବୀ, କୁଶଭଦ୍ରା, ବୈତରଣୀ, ବୁଢ଼ାବଳଙ୍ଗ, ସୁବର୍ଣ୍ଣରେଖା ଓ ଋଷିକୂଲ୍ୟା ଆଦି ନଦୀର ଜଳସ୍ତର ଧୀରେ ଧୀରେ ବଢ଼ିବାରେ ଲାଗିଛି। ସୋମବାର ସକାଳ ୮ଟା ୩୦ ସୁଦ୍ଧା ପୁରୀ, ଖୋର୍ଧା, କଟକ, ଜଗତ୍ ସିଂହପୁର, କେନ୍ଦ୍ରାପଡ଼ା, ଢେଙ୍କାନାଳ ଓ ନୟାଗଡ଼ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ଏବଂ ସ୍ଥାନେ ସ୍ଥାନେ ଅତିରୁ ଅତିପ୍ରବଳ ଅର୍ଥାତ୍ ୨୦୦ ମିମିରୁ ଅଧିକ ବର୍ଷା ହୋଇପାରେ। ଏହି ସମୟ ମଧ୍ୟରେ ଅନ୍ୟ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ପରବର୍ତୀ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର, ଦେବଗଡ଼, ଅନୁଗୁଳ, ସୋନପୁର ଓ ବରଗଡ଼ ଜିଲ୍ଲାରେ ଅତିରୁ ଅତିପ୍ରବଳ ବର୍ଷା ହେବା ନେଇ ଆକଳନ କରାଯାଇଛି।
