କାଳବୈଶାଖୀ ପ୍ରଭାବରେ ବର୍ଷା, ତାତିରୁ ମିଳିଲା ଆଶ୍ବସ୍ତି
ଭୁବନେଶ୍ବର : ରାଜ୍ୟରେ କାଳବୈଶାଖୀ ଆଣିଦେଲା ଆଶ୍ବସ୍ତି । ରାଜ୍ୟରେ ତାପମାତ୍ରା ହ୍ରାସ ପାଇଥିବା ବେଳେ, ଆଶ୍ବସ୍ତି ଅନୁଭୁବ କରିଛନ୍ତି ଲୋକେ । ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି । ତାତି କମିଥିବା ବେଳେ, ସମସ୍ତ ଜିଲାର ତାପମାତ୍ରା ୪୦ ଡିଗ୍ରୀ ତଳକୁ ହ୍ରାସ ପାଇଛି । ଏନେଇ ସୂଚନା ଦେଇଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ ।
ପାଣିପାଗ ବିଭାଗର ସୂଚନା ଅନୁସାରେ ଦକ୍ଷିଣ ଉପକୂଳ ଓଡ଼ିଶା, ମାଲକାନାଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲାର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସହ ବଜ୍ରପାତ ହୋଇଛି । ସେହିପରି ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ୍ ୧୬ ତାରିଖ ଶନିବାର ଅପରାହ୍ନ ସୁଦ୍ଧା ରାଜ୍ୟର କୋରାପୁଟ, ରାୟଗଡ଼ା, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ଓ ଖୋର୍ଦ୍ଧା ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ଓ ପବନ ସହ ଝଡ଼ବର୍ଷା ଜନିତ କାଳବୈଶାଖୀର ସମ୍ଭାବନା ରହିଛି ବୋଲି ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏହାକୁ ଦୃଷ୍ଟିରେ ରଖି ଏହି ୭ଟି ଜିଲ୍ଲା ପାଇଁ ୟେଲୋଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ଲୋକଙ୍କୁ ପରାମର୍ଶ ଦେଇଛି ପାଣିପାଗ କେନ୍ଦ୍ର।
