ଆସନ୍ତାକାଲି ଠାରୁ ବର୍ଷା, ଚାଷୀକୁଳକୁ ଆଶ୍ୱସ୍ତି
ଭୁବନେଶ୍ୱର : ରାଜ୍ୟର ପ୍ରାୟ ସମସ୍ତ ଜିଲାରେ ନିଅଣ୍ଟିଆ ବର୍ଷା। ନିଅଣ୍ଟିଆ ବର୍ଷା ଯୋଗୁ ପ୍ରଭାବିତ ହୋଇଛି ଚାଷ କାର୍ଯ୍ୟ। ଫଳରେ ମରୁଡ଼ି ଆଡ଼କୁ ମୁହାଁଉଛି ଓଡ଼ିଶା । ସେପଟେ ବଙ୍ଗୋପସାଗର ଉପରେ ସୃଷ୍ଟି ଲଘୁଚାପ କ୍ଷେତ୍ର ବଳୟ ପ୍ରଭାବରେ ଉପକୂଳ ଓଡ଼ିଶା, ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ମଧ୍ୟମରୁ ଭୀଷଣ ବର୍ଷା ହେବ ବୋଲି ପାଣିପାଗ ବିଶେଷଜ୍ଞଙ୍କ ସମେତ ଆଞ୍ଚଳିକ ପାଣିପାଗ ବିଭାଗ ଅନୁମାନ କରିଛି । ମୌସୁମୀ ପ୍ରବାହ ଏବେ ଓଡ଼ିଶା ଉପରେ ଦୁର୍ବଳ ଥିବା ସତ୍ତ୍ୱେ ବୁଧବାର ଠାରୁ ପାଗରେ ପରିବର୍ତ୍ତନ ହେବ । ଆସନ୍ତା ୫ ଦିନ ସାମାନ୍ୟରୁ ମାଧ୍ୟମ ଧରଣର ବର୍ଷ ଲାଗି ରହିବ । ଫଳରେ ଅଭାବୀ ବର୍ଷାରେ ଯୁଝୁଥିବା ଚାଷୀକୁଳକୁ ମିଳିପାରେ ସାମାନ୍ୟ ଆଶ୍ୱସ୍ତି । ଶେଷ ପର୍ଯାୟରେ ପହଞ୍ଚିଥିବା ଧାନ ରୁଆ, ବେଉଷଣକୁ ଏହା ସୁହାଇବ ବୋଲି ଆଶା କରାଯାଉଛି । ରାଜ୍ୟର ଉପକୂଳବର୍ତ୍ତୀ ଅଞ୍ଚଳରେ ସାମାନ୍ୟ ବର୍ଷା ହେବାକୁ ଥିବା ବେଳେ କିଛି ଜିଲାରେ ପ୍ରବଳ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ବୁଧବାର ପାଇଁ ୯ ଜିଲାକୁ ଘଡ଼ଘଡ଼ି ସହ ବର୍ଷା ହେବା ନେଇ ସମ୍ଭାବନା ପ୍ରକାଶ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଜିଲାଗୁଡ଼ିକ ମଧ୍ୟରେ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ବଲାଙ୍ଗିର, ନୂଆପଡ଼ା ରହିଛି ।
ସେହିପରି ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ କହିଛନ୍ତି ଯେ, ରାଜ୍ୟରେ ୨୫ ତାରିଖରୁ ବର୍ଷା ଆରମ୍ଭ ହୋଇଯିବ । ୨୫, ୨୬, ୨୮, ୨୯ ଓ ୩୦ ତାରିଖରେ ପଶ୍ଚିମ ଓଡ଼ିଶା ସମେତ ଦକ୍ଷିଣ ଓଡ଼ିଶାରେ ଭାରୀ ବର୍ଷା ହେବ । ୨୯, ୩୦ ଓ ୩୧ ତାରିଖରେ ଭୁବନେଶ୍ୱର ସମେତ ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବ । ଦିନକୁ ୭୦ରୁ ୮୦ ମିଲିମିଟର ବର୍ଷା ହେବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ କ୍ଷେତ୍ର ବଳୟ ଓ ଘୂର୍ଣ୍ଣିବଳୟ ପ୍ରଭାବରେ ଏହି ବର୍ଷା ହେବ । ଭଲ ବର୍ଷା ଥିଲେ ବି ନିଅଣ୍ଟିଆ ବର୍ଷା ସମସ୍ୟାକୁ ଏହା ପୂରଣ କରିବନି ବୋଲି ସେ କହିଛନ୍ତି ।
