ହଳଦୀପଦା ଷ୍ଟେସନରେ ରେଳରୋକ ଆନ୍ଦୋଳନ; ୬ ଘଣ୍ଟା ଅଟକିଲା ଟ୍ରେନ
ବାଲେଶ୍ୱର : ଦକ୍ଷିଣ ପୂର୍ବ ରେଳପଥର ଖଡ଼ଗପୁର ଡିଭିଜନ ଅନ୍ତର୍ଗତ ବାଲେଶ୍ୱର ଜିଲା ହଳଦୀପଦା ପ୍ରଗତୀମଞ୍ଚ ପକ୍ଷରୁ ହଳଦୀପଦା ରେଳଷ୍ଟେସନରେ ସୋମବାର ରେଳରୋକ ଆନ୍ଦୋଳନ କରାଯାଇଛି । ଏହି ଷ୍ଟେସନରେ ମୁଖ୍ୟତଃ ପୂର୍ବ ଭଳି ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ ରହଣି କରିବା, ରିଜର୍ଭେସନ କାଉଣ୍ଟର ଖୋଲାଯିବା, ନିଧିପଣ୍ଡା ପୋଲ ଉପରେ ବ୍ରିଜ ନିର୍ମାଣ, ଷ୍ଟେସନରେ ଏଟିଏମ୍, ପାନୀୟ ଜଳ ଓ ଉଜ୍ୱଳ ଆଲୋକ ବ୍ୟବସ୍ଥା, ଖଡ଼ଗପୁର-ଜଳେଶ୍ୱର ମେମୋ ଲୋକାଲ ଟ୍ରେନ୍ ବାଲେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ଆଦି ୧୦ ଦଫା ଦାବୀ ପୂରଣ ପାଇଁ ବାରମ୍ବାର ରେଳ ବିଭାଗ ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଥିଲେ ହେଁ କୌଣସି ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଉତ୍ତେଜନା ଦେଖା ଦେଇଛି ।
ରେଳବିଭାଗର ଖାମଖିଆଲି ମନୋଭାବ ପ୍ରତିବାଦରେ ପ୍ରଗତୀମଞ୍ଚ ସଭାପତି ରବୀନ୍ଦ୍ରନାଥ ମହାନ୍ତି, ସମ୍ପାଦକ ବୀରେନ୍ଦ୍ର ନନ୍ଦ, ମୁଖ୍ୟ ଉପଦେଷ୍ଟା ରାଧାକୃଷ୍ଣ ଜେନା, ବିଜୟ ନାୟକ ଓ ଚୈତନ୍ୟ ସାହୁ ପ୍ରମୁଖଙ୍କ ନେତୃତ୍ୱରେ ସକାଳ ୬ରୁ ରେଳ ରୋକ ହୋଇଥିଲା । ବିଭିନ୍ନ ଷ୍ଟେସନରେ ମାଲବାହି ଓ ଯାତ୍ରୀବାହି ଟ୍ରେନ୍ ଅଟକି ରହିବା ଫଳରେ ଯାତ୍ରୀମାନେ ଅସୁବିଧାରେ ସମ୍ମୁଖୀନ ହୋଇଥିଲେ । ଜିଲା ପରିଷଦ ଚେୟାରମ୍ୟାନ ନାରାୟଣ ପ୍ରଧାନ, ବ୍ଲକ ଚେୟାରମ୍ୟାନ ସୁନୀତା ବେହେରା, ପୂର୍ବତନ ବିଧାୟକ ସୁଦର୍ଶନ ଯେନା, ଜିଲା ପରିଷଦ ସଭ୍ୟ ସଞ୍ଜୟ କୁମାର ସେଠି, ବରିଷ୍ଠ ବିଜେଡି ନେତା ଯଯାତି କେଶରୀ ଦାସ ଓ ଶକ୍ତିପଦ ରାୟଙ୍କ ସମେତ ବହୁ ସରପଞ୍ଚ, ସମିତିସଭ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ଦାବୀ ପୂରଣ ଦିଗରେ ରେଳ ବିଭାଗ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦୃଷ୍ଟି ଆକର୍ଷଣ କରିଥିଲେ । ସଦର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନ, ଆଇଆଇସି ଅଶୋକ କୁମାର ନାୟକ, ରେଳବିଭାଗ ଏସିଏମ୍ ଆଶୁତୋଷ ସିଂହ, କମରସିଆଲ ଇନିସ୍ପେକ୍ଟର ଏସ ଶାହା, ଡିଟିଆଇ ଏକେ ଖୁଣ୍ଟିଆ ପ୍ରମୁଖ ପହଞ୍ଚି ତ୍ରିପାକ୍ଷିକ ଆଲୋଚନା କରିଥିଲେ । ପର୍ଯ୍ୟାୟ କ୍ରମେ ଦାବିପୂରଣ ହେବା ସହ ଆସନ୍ତା ୨୫ ତାରିଖ ସୁଦ୍ଧା ବାଙ୍ଗିରିପୋଷି । ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ର ରହଣି ହେବ ବୋଲି ଲିଖିତ ପ୍ରତିଶ୍ରୁତି ମିଳିବା ପରେ ଦିନ ୧୨ଟାରେ ରେଳ ରୋକ ପ୍ରତ୍ୟାହୃତ ହୋଇଥିଲା । ନହେଲେ ପୁଣି ଆସନ୍ତା ୨୬ ରେ ରେଳରୋକ ହେବ ବୋଲି ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି । ଆଲୋଚନା ବେଳେ ଆରପିଏଫ୍ର ଆସିଷ୍ଟାଣ୍ଟ ସିକ୍ୟୁରିଟି କମିଶନର ବରୁଣ କୁମାର, ଆଇଆଇସି ଏସ୍କେ ସିହ୍ନା, ଜିଆର୍ପି ଡ଼ିଏସପି ଏସ ଆର କର, ଆଇଆଇସି ଡିସି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ । ପୂର୍ବରୁ ମଧ୍ୟ ବାରମ୍ବାର ପ୍ରତିଶୃତି ମୁତାବକ ବିଭାଗୀୟ ପଦକ୍ଷେପ ନିଆଯାଉ ନଥିବାରୁ ୨୦୨୧ ଫେବୃଆରୀ ୧୫, ଏପ୍ରିଲ ୫ ଓ ମେ ୧୦ ଏବଂ ୨୦୨୨ ଏପ୍ରିଲ ୧୮ ଓ ମେ ୯ ରେ ରେଳରୋକ ଡାକରା ଦିଆଯାଇଥିଲା ।
