ଦୀର୍ଘ ପ୍ରତୀକ୍ଷାର ଅନ୍ତ ! ଜିତିଲା ଜୀବନ, ଉଦ୍ଧାର ପାଇଲା ରାହୁଲ
ଆମ୍ବୁଲାନ୍ସରେ ଯୋଗେ ଗଲା ବିଳାସପୁରର ଆପୋଲୋ ହସ୍ପିଟାଲ
ଚମ୍ପା : ଦୀର୍ଘ ପ୍ରତୀକ୍ଷାର ଅନ୍ତ । ସଫଳ ହେଲା ଅପରେସନ ରାହୁଲ । ଦୀର୍ଘ ୧୦୬ ଘଣ୍ଟାର ଅପରେସନ ପରେ ରାହୁଲକୁ ଉଦ୍ଧାର କରାଯାଇଛି । ସେପଟେ ରାହୁଲକୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାହୁଲକୁ ନେବା ଲାଗି ଡାକ୍ତରଙ୍କ ସହ ଆମ୍ବୁଲାନ୍ସ ପ୍ରସ୍ତୁତ ହୋଇ ରହିଛି । ବିଳାସପୁରର ଆପୋଲୋ ହସ୍ପିଟାଲକୁ ଗ୍ରୀନ୍ କରିଡ଼ର ସାହାଯ୍ୟରେ ନିଆଯିବ । ସେହିପରି ଆମ୍ବୁଲାନ୍ସରେ ୩ ଜଣ ଡାକ୍ତର ଓ ୨ଜଣ ନର୍ସ ଉପସ୍ଥିତ ଥିବା ବେଳେ ଆଇସିୟୁ ବ୍ୟବସ୍ଥା ରହିଛି । ଆଉ ଏକ ଆମ୍ବୁଲାନ୍ସ ପଛେ ପଛେ ଷ୍ଟାଣ୍ଡବାଇ ମୋଡ଼ରେ ଯିବ । ସେଥିରେ ରାହୁଲର ବାପାମାଆ ମଧ୍ୟ ଯିବେ ।
ଉଦ୍ଧାରକାରୀ ଦଳ ଟନେଲ ଠାରୁ ଆମ୍ବୁଲାନ୍ସ ପର୍ଯ୍ୟନ୍ତ କରିଡର କରିସାରିଛି। ଅନ୍ୟପଟରେ ରାହୁଲ ଉଦ୍ଧାର ହେବା ପରେ କେତେ ସମୟ ଭିତରେ ବିଳାସପୁରସ୍ଥିତ ଆପଲୋ ହସ୍ପିଟାଲରେ ପହଞ୍ଚିବ, ସେଥିପାଇଁ ବ୍ୟସ୍ତ ହୋଇପଡ଼ିଛନ୍ତି। ରାହୁଲ ହସ୍ପିଟାଲରେ ପହଞ୍ଚିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଚିକିତ୍ସା ସେବା ଯୋଗାଇ ଦିଆଯିବ। ଏଥି ପାଇଁ ମେଡିକାଲ ଟିମ୍ ପ୍ରସ୍ତୁତ ଅଛନ୍ତି। ସୂଚନା ଯେ, ଛତିଶଗଡ଼ ରାଜ୍ୟର ଜାଞ୍ଜଗିର-ଚାମ୍ପାର ମାଲଖାଦାରୁଆ ଥାନା ଅଧୀନରେ ଥିବା ପିରହ୍ରିଡ ଗାଁର ୧୦ବର୍ଷର ମୂକ-ବଧିର ବାଳକ ରାହୁଲ ୮୦ ଫୁଟ ଗଭୀର ବୋରୱେଲରେ ଖସିପଡ଼ିଥିଲା। ରାହୁଲର ବାପା ନିଜ ଘର ବାରିପଟେ ଥିବା ଜମିରେ ପାଣି ମଡ଼ାଇବାକୁ ଗଭୀର ନଳକୂପ ଖୋଳିଥିଲେ। ତେବେ, ପାଣି ନବାହାରିବାରୁ ତାକୁ ଖୋଲା ଛାଡ଼ି ଦେଇଥିଲେ। ରାହୁଲ ସେଇ ପାଖରେ ଖେଳୁଥିବା ସମୟରେ ଏହି ଗର୍ତ୍ତରେ ଖସିପଡ଼ିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ପ୍ରଶାସନ ତଥା ସରକାରଙ୍କ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ନାବାଳକକୁ ଉଦ୍ଧାର କରିବା ପାଇଁ ସେନା, ଏନଡିଆରଏଫ ଏବଂ ଏସଡିଆରଏଫ ଟିମ ନିୟୋଜିତ ହୋଇଥିଲେ।
